ନଟିଂହାମ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଶତକ ବଳରେ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଘରୋଇ ଦଳ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ଭାରତ ୯୭ ରନ୍ରେ ଜିତି ନେଇଛି। ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।
ଦୁଇ ଓପନର୍ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ୱିକେଟ୍ରେ ୭୭ ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। ଶେଫାଳି ୨୦ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ହର୍ଲିନ ଦେଓଲ ୪୩ ରନ୍ (୨୩ ବଲ୍, ୭ ଚୌକା)ଙ୍କ ସହ ଦ୍ବିତୀୟ ୱିକେଟ୍ରେ ସ୍ମୃତି ୯୪ ରନ୍ ଯୋଡ଼ି ଥିଲେ। ସ୍ମୃତି ୧୧୨ (୬୨ ବଲ୍, ୧୫ ଚୌକା, ୩ ଛକା) ରନ୍ କରି ୧୯.୨ ଓଭରରେ ଆଉଟ୍ ହୋଇଥିଲା ବେଳେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୧୦ ରନ୍ର ବଡ଼ ସ୍କୋର୍ କରିଥିଲା। ଲୌରାନେ ବେଲ୍ ୩ ୱିକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୪.୫ ଓଭରରେ ୧୧୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। କେବଳ ତାମି ବିଉମଣ୍ଟ ୬୬ (୪୨ ବଲ୍, ୧୦ ଚୌକା, ୧ ଛକା) କିଛିଟା ଲଢ଼ିଥିଲେ। ୮ ଜଣ ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଭାରତ ପକ୍ଷରୁ ପଦାର୍ପଣ କରିଥିବା ଶ୍ରୀ ଚାରଣୀ ୪/୧୨ ବୋଲିଂ ସଫଳତା ପାଇଥିଲା ବେଳେ ଦୀପ୍ତି ଶର୍ମା ଓ ରାଧା ୟାଦବ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଶତକୀୟ ପାଳି ପାଇଁ ସ୍ମୃତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।