ଭୁବନେଶ୍ବର/ବ୍ରହ୍ମପୁର: ବାଙ୍ଗାଲୋରଠାରେ ଚାଲିଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ରବିବାର ଓଡ଼ିଶାକୁ ୩ ପଦକ ମିଳିଛି। ଏଥିରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ସାମିଲ ରହିଛି। ଏହି ୩ଟି ଯାକ ପଦକ ଭାରୋତ୍ତୋଳନରୁ ହିଁ ଅାସିଛି। କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରୁଥିବା ସ୍ନେହା ସୋରେନ୍ ସ୍ବର୍ଣ୍ଣ ଏବଂ ରାଜେନ୍ଦ୍ର ମୁଦୁଲି କାଂସ୍ୟ ଜିତିଥିଲା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରମିଳା କିର୍ସାନି ରୌପ୍ୟ ପଦକ ପକଟେସ୍ଥ କରିଥିଲେ।
୪୯ କେଜି ମହିଳା ବର୍ଗରେ ସ୍ନେହା ସ୍ନାଚ୍ରେ ୬୯ କେଜି ଏବଂ କ୍ଲିନ୍ ଓ ଜର୍କରେ ୯୨ କେଜି ସହ ମୋଟ ୧୬୧ କେଜି ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୫୫ କେଜି ମହିଳାରେ ପ୍ରମିଳା ସ୍ନାଚ୍ରେ ୭୧ କେଜି ଏବଂ କ୍ଲିନ୍ ଓ ଜର୍କରେ ୯୫ କେଜି ସହ ମୋଟ ୧୬୬ କେଜି ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ୬୧ କେଜି ପୁରୁଷ ବର୍ଗରେ ରାଜେନ୍ଦ୍ର ସ୍ନାଚ୍ରେ ୧୦୮ କେଜି ଏବଂ କ୍ଲିନ୍ ଓ ଜର୍କରେ ୧୩୦ କେଜି ସହ ମୋଟ ୨୩୮ କେଜି ଭାରୋତ୍ତୋଳନ କରି ତୃତୀୟରେ ରହିଥିଲେ।
ଅନ୍ୟପକ୍ଷେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ପ୍ରତିନିଧିତ୍ବ କରୁଥିବା ଅନ୍ୟଜଣେ ପ୍ରତିଯୋଗୀ ଜଗଦୀଶ ନାୟକ ଅଳ୍ପକେ ପଦରୁ ବଂଚିତ ହୋଇ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି।