ପୂର୍ବାଞ୍ଚଳ ସ୍ନୁକର : ବିପର୍ଯ୍ୟୟ ଘଟାଇଲେ ସୌଭାଗ୍ୟ

ଭୁବନେଶ୍ବର : ସିକ୍ସପକେଟ୍ସ ଆନୁକୂଲ୍ୟରେ ଆୟୋଜିତ ଫାଲ୍‌କନ୍‌ ଚିଲିକା ଫ୍ରେସ୍‌ ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତା‌ରେ ବୁଧବାର ଅଣମାନ୍ୟତାପ୍ରାପ୍ତ ଉଦୀୟମାନ ଓଡ଼ିଆ ତାରକା ସୌଭାଗ୍ୟ ବେହେରା ବିପର୍ଯ୍ୟୟ ଘଟାଇଛନ୍ତି। ‌ସୌଭାଗ୍ୟ ୪-୧ରେ ଭାରତର ପୂର୍ବତନ ସପ୍ତମ ମାନ୍ୟତା ଖେଳାଳି ତଥା ବହୁଥର ପଶ୍ଚିମବଙ୍ଗ ବିଜେତା ହୋଇଥିବା ଆମିର ହୁସେନ୍‌ଙ୍କୁ ମାତ୍‌ ଦେଇ ବିଦାୟ ରାସ୍ତା ଦେଖାଇଥିଲେ। ଏହି ବିଜୟ ସହ ସୌଭାଗ୍ୟ ମଧ୍ୟ କ୍ବାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ଅନ୍ୟ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ ମୁକାବିଲାରେ ପୂର୍ବତନ ପଶ୍ଚିମବଙ୍ଗ ତଥା ଉପକନିଷ୍ଠ ଜାତୀୟ ବିଜେତା ସୋଏବ ଖାନ ୪-୨ରେ ଓଡ଼ିଶାର ରାକେଶ ରୋଶନ ପ୍ରଧାନଙ୍କୁ, ଭାରତର ପୂର୍ବତନ ଦୁଇ ନମ୍ବର ଖେଳାଳି ପଶ୍ଚିମବଙ୍ଗର ମନୀଷ ଜୈନ୍‌ ୪-୩ରେ ଓଡ଼ିଶାର ଆଦର୍ଶ ବର୍ମାଙ୍କୁ, ପଶ୍ଚିମବଙ୍ଗର ସାହବାଜ ଆଦିଲ ଖାନ୍‌ ୪-୦ରେ ଓଡ଼ିଶାର ଅନୁଜ ପଣ୍ଡାଙ୍କୁ, ପଶ୍ଚିମବଙ୍ଗର ନୀରଜ କୁମାର ୪-୦ରେ ଜିତେନ ଷଡ଼ଙ୍ଗୀଙ୍କୁ ହରାଇ କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେହିପରି ମଙ୍ଗଳବାର ରାତିରେ ଅନ୍ୟ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶାର ଆଶୁତୋଷ ପାଢ଼ୀ ୪-୧ରେ ପଶ୍ଚିମବଙ୍ଗର କିଙ୍ଗସୁଖ ସାହାଙ୍କୁ ଏବଂ ଆକାଶ ମହାପାତ୍ର ୪-୨ରେ ନିଜ ରାଜ୍ୟର ମହମ୍ମଦ ରାଜ‌ାଙ୍କୁ ପରାସ୍ତ କରି କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଗୁରୁବାର ଖେଳାଯିବାକୁ ଥିବା କ୍ବାର୍ଟର୍‌ ଫାଇନାଲ୍‌ରେ ମନୀଷ ଜୈନ୍‌-ଅଶୁତୋଷ ପାଢ଼ୀ, ସାହବାଜ ଆଦିଲ ଖାନ୍‌-ସୌଭାଗ୍ୟ ବେହେରା, ସୁବ୍ରତ ଦାସ-ସୋଏବ ଖାନ୍‌ ଓ ଆକାଶ ମହାପାତ୍ର-ନୀରଜ କୁମାର ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର