ଇସ୍ଲାମାବାଦ୍: ପତି-ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟକୁ ନେଇ ଦୀର୍ଘ ଦିନରେ ନିରବତା ଭାଙ୍ଗିଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ। ଭାରତୀୟ ଟେନିସ୍ ସୁନ୍ଦରୀ ତଥା ପତ୍ନୀ ସାନିଆ ମିର୍ଜାଙ୍କ ସହ ସଂପର୍କ ଭଲ ନଥିବା ଖବରକୁ ସୋଏବ ଖଣ୍ଡନ କରିଛନ୍ତି। ୨୦୧୩ରେ ଉଭୟଙ୍କର ବିବାହ ହୋଇଥିଲାବେଳେ ସେମାନଙ୍କ ଏକ ପୁତ୍ର ସନ୍ତାନ (ଇଝାନ୍) ମଧ୍ୟ ରହିଛି। ଗତବର୍ଷ ଶେଷ ଆଡ଼କୁ ସୋଏବ-ସାନିଆଙ୍କ ସଂପର୍କରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ସଂପର୍କ ଖରାପ ଥିବା ନେଇ ଖବର ସବୁବେଳେ ଚାଲିବ, କିନ୍ତୁ ଏହା ଉପରେ କିଛ କୁହାଯାଇପାରିବନି ବୋଲି ଏକ ଟେଲିଭିଜନ୍ ସାକ୍ଷାତକାର ସମୟରେ ସୋଏବ୍ କହିଛନ୍ତି। ଇଦ୍ ପାଳିବା ସମୟରେ ଯଦି ଆମେ ଦୁହେଁ ଏକାଠି ଥାନ୍ତୁ ବହୁତ ଭଲ ହୋଇଥାନ୍ତା। କିନ୍ତୁ ଆଇପିଏଲ୍ ପାଇଁ ତାଙ୍କର ପ୍ରତିବଦ୍ଧତା ରହିଛି। ଆଇପିଏଲ୍ ପାଇଁ ସେ ଟିଭି ସୋ’ କରୁଛନ୍ତି।
ଏଥିପାଇଁ ଆମେ ଦୁହେଁ ଏଥର ଏକାଠି ନାହୁଁ। କିନ୍ତୁ ସବୁବେଳ ପରି ଆମେ ପରସ୍ପର ପ୍ରତି ଭଲପାଇବା ଦେଇ ଆସିଛୁ। ଏବେ ତାଙ୍କୁ ମୁଁ ବହୁତ ମିସ୍ କରୁଛି ବୋଲି ସୋଏବ୍ କହିଥିଲେ। ତାଙ୍କ ଅନୁସାରେ, ଉଭୟଙ୍କ ମଧ୍ୟରେ ବୃତ୍ତିଗତ ପ୍ରତିବଦ୍ଧତା ରହିଛି। ଇଦ୍ ଭଳି ଦିନଗୁଡ଼ିକେର ଆମେ ଆମର ନିକଟତମଙ୍କୁ ବହୁତ ମିସ୍ କରିଥାଉ। ଆମେ ଦୁହେଁ ଗୁଜବକୁ ବିଶ୍ବାସ କରୁନାହୁଁ। ତେଣୁ ଗୁଜବ ଉଠିଥିଲେ ବି ସେଥିରେ ନା ମୁଁ କିଛି କହିଛି, ନା ସାନିଆ କିଛି କହିବାକୁ ଚାହିଁଛନ୍ତି ବୋଲି ସୋଏବ ପ୍ରତିକ୍ରିୟା ରଖିଥିଲେ। ସାନିଆ ଶେଷ ଥର ପାଇଁ ଦୁବାଇ ଚାମ୍ପିଅନ୍ସିପ୍ରେ ଟେନିସ୍ ଖେଳିଥିଲା ବେଳେ ଅବସର ପରେ ମହିଳା ପ୍ରିମିୟର ଲିଗ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମେଣ୍ଟର ଭାବେ ଯୋଗଦେଇଥିଲେ।