ସୋଚିରେ ରାମୋସ୍‌-ରୋନାଲ୍‌ଡୋ ରୋମାଞ୍ଚ

ସୋଚି: ମସ୍କୋ ବିଶ୍ୱକପ୍‌ରେ ଶୁକ୍ରବାର ତିନିଟିି ମ୍ୟାଚ୍‌ ଖେଳାଯିବ। ଅପରାହ୍ନ ୫ଟା ୩୦ରେ ଏକଟେରିନ୍‌ବର୍ଗରେ ଇଜିପ୍ଟ-ଉରୁଗୁଏ, ରାତି ୮ଟା ୩୦ରେ ସେଣ୍ଟପିଟର୍ସବର୍ଗରେ ମରକ୍କୋ-ଇରାନ ଏବଂ ୧୧ଟା ୩୦ରେ ଦୁଇ ୟୁରୋପୀୟ ଦେଶ ପର୍ତୁଗାଲ ଓ ସ୍ପେନ୍‌ ମୁହାଁମୁହିଁ ହେବେ। ପ୍ରଥମ, ଦ୍ୱିତୀୟ ଅପେକ୍ଷା ତୃତୀୟ ମ୍ୟାଚ୍‌ ଉପରେ ଫୁଟ୍‌ବଲ୍‌ ପଣ୍ଡିତଙ୍କ ନଜର ଅଧିକ। କାରଣ ଉଭୟ ପର୍ତୁଗାଲ ଏବଂ ସ୍ପେନ୍‌ ଚଳିତ ବିଶ୍ୱକପ୍‌ର ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛନ୍ତି। ସ୍ପେନ୍‌ ଅବଶ୍ୟ ନିଜ ଅଭିଯାନ ଆରମ୍ଭ କରିବାର ମାତ୍ର ଦୁଇ ଦିନ ପୂର୍ବରୁ ପ୍ରଶିକ୍ଷକ ଜୁଲେନ୍‌ ଲୋପେତେଗୁଇଙ୍କୁ ବହିଷ୍କୃତ କରି ଅଡ଼ୁଆରେ ପଡ଼ିଛି। ତେବେ ପର୍ତୁଗାଲ ପୂରା ଫର୍ମରେ ରହିଛି। ତେବେ ଏହି ମ୍ୟାଚ୍‌ରେ ସାଂପ୍ରତିକ ଫୁଟବଲର ଦୁଇ ମହାରଥୀ ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏବଂ ସ୍ପେନ୍‌ର ସର୍ଗେଇ ରାମୋସ୍‌ଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ଜୋରଦାର ଲଢ଼େଇ ହେବ। ଉଭୟ ରାମୋସ୍‌ ଏବଂ ରୋନାଲଡୋ ରିଅଲ ମାଦ୍ରିଦ ଦଳରୁ ଖେଳୁଥିବାରୁ ପରସ୍ପରକୁ ଭଲ ଭାବରେ ଜାଣିଛନ୍ତି। ତେବେ ରୋନାଲଡୋଙ୍କ ଆକ୍ରମଣକୁ ରାମୋସ୍‌ କିପରି ପ୍ରତିହତ କରୁଛନ୍ତି ତାହା ଉପରେ ମ୍ୟାଚ୍‌ର ଫଳାଫଳ ନିର୍ଭର କରିବ। ପ୍ରଶିକ୍ଷକ ଫର୍ନାଣ୍ଡୋ ସାଣ୍ଟୋସଙ୍କ ଅଧୀନରେ ପର୍ତୁଗାଲ ତା’ର ଗତ ୨୪ ମ୍ୟାଚ୍‌ରୁ ମାତ୍ର ଗୋଟିଏରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ବିତାଡ଼ିତ ପ୍ରଶିକ୍ଷକ ଜୁଲେନଙ୍କ ଅଧୀନରେ ସ୍ପେନ୍‌ ତାର ଗତ ୨୦ ମ୍ୟାଚ୍‌ରେ ଅପରାଜେୟ ରହିଛି। ଶେଷଥର ପାଇଁ ସେମାନେ ୨୦୧୬ ୟୁରୋକପରେ ଇଟାଲିଠାରୁ ହାରିଥିଲେ। ଉଭୟ ଦଳ ପୂର୍ବରୁ ୩୬ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ସ୍ପେନ୍‌ ୧୬ ଏବଂ ପର୍ତୁଗାଲ ମାତ୍ର ୨ଟିରେ ବିଜୟୀ ହୋଇଛି। ୧୩ ମ୍ୟାଚ୍‌ ଅମୀମାଂସିତ ରହିଛି। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଗତ ମୁକାବିଲାକୁ ସ୍ପେନ୍‌ ୪-୦ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର