ଅକ୍‌ଲାଣ୍ଡ: ସ୍ପିନର ଈଶ ସୋଢ଼ୀ ନ୍ୟୁଜିଲାଣ୍ଡ ପୁରୁଷ ଘରୋଇ କ୍ରିକେଟ୍‌ରେ ସବୁଠୁ କଞ୍ଜୁସ ବୋଲିଂ କରିବାରେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସୁପର ସ୍ମାସ୍‌ ଟି-୨୦ ପ୍ରତିଯୋଗିତାରେ ନର୍ଦନ ବ୍ରେଭ୍‌ ପକ୍ଷରୁ ଖେଳୁଥିବା ସୋଢ଼ୀ ଅକ୍‌ଲାଣ୍ଡ ବିପକ୍ଷରେ ୪ ଓଭର ବୋଲିଂ କରି ୨/୫ ସଫଳତା ପାଇଥିଲେ। ତାଙ୍କ ସହ ଅନୁରାଗ ବର୍ମା (୩/୧୪) ଓ ଫ୍ରେଡେରିକ ୱ‌‌ାଲ୍‌କର (୩/୧୦) ସଫଳତା ଯୋଗୁଁ ଅକ୍‌ଲାଣ୍ଡ ୧୭.୨ ଓଭରରେ ୯୨ ରନ୍‌ରେ ଅ‌ଲ୍‌ଆଉଟ୍‌ ହୋଇଥିଲା। ଜବାବରେ ନର୍ଦନ ବ୍ରେଭ୍‌ ୨୯ ବଲ୍‌ ପୂର୍ବରୁ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସୋଢ଼ୀଙ୍କ ଏହି ସଫଳତାର ଦୁଇ ଦିନ ପୂର୍ବରୁ ଓଟାଗା ସ୍ପାର୍କର ଇଡେନ କାର୍ସନ (୧/୫) ଦ୍ବିତୀୟ କଞ୍ଜୁସ ମହିଳା ବୋଲର ମାନ୍ୟତା ପାଇଥିଲେ। ତେବେ ‌ମେଲି କେର୍‌ (୪/୪)ଙ୍କ ନାମରେ ଜାତୀୟ କୀର୍ତ୍ତିମାନ ରହିଛି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍‌ କହିଛି।