ସନ୍ୟାସ ନେବେ ନାହିଁ ୪୧ ବର୍ଷୀୟ ଶୋଏବ, ୨୫ ବର୍ଷୀୟ ଖେଳାଳିଙ୍କ ତୁଳନାରେ ଅଧିକ ଫିଟ ଅଛି କହିଲେ ମଲିକ

ଲାହୋର: ପାକିସ୍ତାନର ଅଲରାଉଣ୍ଡର ଶୋଏବ ମଲିକ ଆସନ୍ତାକାଲି ୪୧ ବର୍ଷରେ ପାଦ ଦେବେ | କିନ୍ତୁ ସେ ପାକିସ୍ତାନ ଦଳକୁ ଫେରିବା ଆଶା ଛାଡି ନାହାଁନ୍ତି। ବାସ୍ତବରେ, ଶୋଏବ ମଲିକ ଦୀର୍ଘ ଦିନ ଧରି ଦଳରେ ନାହାନ୍ତି | ଏହି ଅଲରାଉଣ୍ଡର ନଭେମ୍ବର ୨୦୨୧ରେ ପାକିସ୍ତାନ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ସେ ପାକିସ୍ତାନ କ୍ରିକେଟ୍ ଦଳରେ ଆଉ ସାମିଲ ହୋଇନାହାନ୍ତି। ଏବେ ସେ ଟିମକୁ ଫେରିବା ପ୍ରଶ୍ନ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଶୋଏବ ମଲିକ କହିଛନ୍ତି ଯେ ତାଙ୍କ ଭିତରେ ବହୁତ କ୍ରିକେଟ୍ ବାକି ଅଛି |

ସେ କହିଛନ୍ତି ଯେ, ‘ମୋତେ ବିଶ୍ୱାସ କରନ୍ତୁ, ଏହା ସତ୍ୟ ଯେ ମୁଁ ଦଳର ସର୍ବପୁରାତନ ଖେଳାଳି, କିନ୍ତୁ ମୋର ଫିଟନେସ୍ ୨୫ ବର୍ଷ ବୟସ୍କ ଖେଳାଳିଙ୍କ ଅପେକ୍ଷା ଭଲ | ମୁଁ ପାକିସ୍ତାନ ପାଇଁ ଅଧିକ କ୍ରିକେଟ୍ ଖେଳିବାକୁ ଚାହୁଁଛି, ମୋର ଖେଳିବାର ଇଚ୍ଛା ଅଛି। ମୁଁ ବର୍ତ୍ତମାନ ଅବସର ବିଷୟରେ ଚିନ୍ତା କରୁନାହିଁ, ମୋର ଧ୍ୟାନ ପାକିସ୍ତାନ ଟିମକୁ ପ୍ରତ୍ୟାବର୍ତ୍ତନ ଉପରେ ରହିଛି। ବର୍ତ୍ତମାନ, ଶୋଏବ ମଲିକ ବାଂଲାଦେଶ ପ୍ରିମିୟର ଲିଗରେ ରଙ୍ଗପୁର ରାଇଡର୍ସ ପାଇଁ ଖେଳୁଛନ୍ତି।

ଶୋଏବ ମଲିକ କହିଛନ୍ତି ଯେ ଯେତେବେଳେ ସେ କ୍ରିକେଟକୁ ବିଦାୟ ଦେବେ, ସେତେବେଳେ ସେ ସମସ୍ତ ଫର୍ମାଟ ଏବଂ ଲିଗ୍ କ୍ରିକେଟ୍ ସହିତ ବିଦାୟ ନେବେ, କିନ୍ତୁ ବର୍ତ୍ତମାନ ମୋର ଏପରି ଉଦ୍ଦେଶ୍ୟ ନାହିଁ। ସେ କହିଛନ୍ତି ଯେ ମୁଁ ପୂର୍ବରୁ ଟେଷ୍ଟ କ୍ରିକେଟରୁ ବିଦାୟ ଦେଇଥିଲି, କିନ୍ତୁ ଦିନିକିଆ ଏବଂ ଟିଟ୍ୱେଣ୍ଟି ଫର୍ମାଟ୍ ପାଇଁ ଉପଲବ୍ଧ ଅଛି | ପାକିସ୍ତାନୀ ଅଲରାଉଣ୍ଡର କହିଛନ୍ତି ଯେ ଯେତେବେଳେ ବି ମୋତେ ସୁଯୋଗ ମିଳିବ, ମୁଁ ମୋର ସର୍ବୋତ୍ତମ ଦେବି।

ସମ୍ବନ୍ଧିତ ଖବର