ସୂର୍ଯ୍ୟଙ୍କ ଆଉଟ୍‌କୁ‌ ନେଇ ‘ସଫ୍ଟ ସିଗ୍‌ନାଲ୍‌’ ବିତର୍କ

ଅହମଦାବାଦ : ଭାରତୀୟ କ୍ରିକେଟ୍ ଦଳ ଅଧିନାୟକ ବିରାଟ କୋହଲି ପ୍ରଚଳିତ ‘ସଫ୍‌ଟ ସିଗ୍‌ନାଲ୍‌’ ନିୟମରେ ପରିବର୍ତନ ଲାଗି ସ୍ବର ଉଠାଇଛନ୍ତି। ଗୁରୁବାର ରାତିରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ ବେଳେ ଆକର୍ଷଣୀୟ ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ବିବାଦୀୟ ଆଉଟ୍‌ ପରେ କୋହଲି ଏଭଳି ସ୍ବର ଉଠାଇଛନ୍ତି। ସାମ କରନ୍‌ଙ୍କ ଏକ ଲେଗ୍‌ ଷ୍ଟମ୍ପ ବଲ୍‌କୁ ସୂର୍ଯ୍ୟକୁମାର ଯାଦବ ପୁଲ୍‌ ସଟ୍‌ ଖେଳିଥିବା ବେଳେ ଡିପ ସ୍କୋୟାର୍ ଲେଗ୍‌ରେ ଦାୱିଦ ମଲାନ୍‌ ଏକ ତଳୁଆ କ୍ୟାଚ୍‌ ନେଇଥିଲେ। ଫିଲ୍ଡ ଅମ୍ପାୟାର୍‌ କେଏନ୍ ଅନନ୍ତପଦ୍ମନାଭନ ତାଙ୍କ ‘ସଫ୍ଟ ସିଗ୍‌ନାଲ’ରେ ଆଉଟ୍ ସଙ୍କେତ ଦେଇ ତୃତୀୟ ଅମ୍ପାୟାରଙ୍କୁ ଚୂଡାନ୍ତ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଥିଲେ। ଟିଭି ଅମ୍ପାୟାର୍‌ ବୀରେନ୍ଦର ଶର୍ମା ଏହାକୁ କାଏମ ରଖିବାରୁ ସୂର୍ଯ୍ୟକୁମାର ଆଉଟ୍‌‌ ହୋଇଥିଲେ। ସ୍ଲୋ ଆକ୍ସନ୍‌ରେ କିନ୍ତୁ ସ୍ପଷ୍ଟ ଜଣାପଡୁଥିବା ବଲ୍‌ର ଅଧିକାଂଶ ଭାଗ ଘାସରେ ଲାଗି ରହିବା ପରେ ମଲାନ୍ ଏହାକୁ ଉଠାଇଥିଲେ।

ନିୟମ ଅନୁସାରେ ଫିଲ୍ଡ ଅମ୍ପାୟାର୍‌ଙ୍କ ନିଷ୍ପତ୍ତିକୁ କାଟିବା ଲାଗି ଟିଭି ଅମ୍ପାୟାର୍‌ଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ଆବଶ୍ୟକ। ଯାହା କି ବୀରେନ୍ଦର ସମ୍ପୂର୍ଣ୍ଣ ସ୍ପଷ୍ଟ ନ ହେବାରୁ କରିପାରିନଥିଲେ। ମ୍ୟାଚ୍‌ ପରବର୍ତୀ ଉତ୍ସବରେ ବିରାଟ କୋହଲି କିନ୍ତୁ ନିଜ ଅସନ୍ତୋଷକୁ ରୋକି ପାରିନଥିଲେ। କୋହଲିଙ୍କ କହିବା କଥା ହେଲା ବଲ୍‌ଟିକୁ କ୍ଷେତ୍ରରକ୍ଷକ ସ୍ପଷ୍ଟ ଭାବେ ଧରିଛନ୍ତି କି ନାଁ ଦେଖିବା ଫିଲ୍ଡ ଅମ୍ପାୟାର୍‌ଙ୍କ ପକ୍ଷରେ ସମ୍ଭବ ନଥିବାରୁ ‘ସଫ୍ଟ ସିଗ୍‌ନାଲ୍‌’ ବ୍ୟବସ୍ଥା ରହିବା କଥା ନୁହେଁ। ଏହା ବଦଳରେ ଅମ୍ପାୟାର୍‌ ‘ମୁଁ ଜାଣିପାରୁନାହିଁ’ ଡାକରା ‌ଦେଲେ ଭଲ ବୋଲି ସେ ପରାମର୍ଶ ଦେଇଛନ୍ତି। ପୂର୍ବତନ ଭାରତୀୟ ଟେଷ୍ଟ୍ କ୍ରିକେଟର୍‌ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ସୂର୍ଯ୍ୟଙ୍କ ବିବାଦୀୟ ଆଉଟ୍‌କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ‘ଶୀର୍ଷସ୍ତରୀୟ ଟେକ୍ନୋଲୋଜି ବ୍ୟବହାର କରି ଏତେ ରିପ୍ଲେ ଦେଖିବା ପରେ ବି ସଫ୍ଟ ସିଗନାଲ୍ ସହିତ ଯିବାକୁ ପଡ଼ିଲା। ମୁଁ ଭାବୁଛି ନିୟମର ପୁନଃସମୀକ୍ଷା ଏବଂ ପରିବର୍ତନ ହେଉ’ ବୋଲି ଲକ୍ଷ୍ମଣ ଟ୍ବିଟ୍‌ କରିଛନ୍ତି। ପୂର୍ବତନ ଇଂଲଣ୍ଡ ସ୍ପିନର୍‌ ଗ୍ରେମ୍ ସ୍ବାନ୍‌ ଏହାକୁ ‘ନିର୍ଧାରିତ ନିଷ୍ପତ୍ତି ଆଖ୍ୟା ଦେଇଥିବା‌ ବେଳେ ଇଂଲଣ୍ଡ ସିମର୍‌ ଷ୍ଟୁଆର୍ଟ ବ୍ରଡ୍‌ କୋହଲିଙ୍କ ମତ ସପକ୍ଷରେ କହିଛନ୍ତି। ‘ସଫ୍ଟ ସିଗ୍‌ନାଲ୍’ ହିଁ ଖରାପ, ପଡିଆ ବାହାର ଅମ୍ପାୟାର୍‌ ନିଷ୍ପତ୍ତିକୁ ବଦଳାଇବା କଷ୍ଟକର କାମ’ ବୋଲି ବ୍ରଡ୍‌ ନିଜ ଟ୍ବିଟ୍‌ରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର