ସୋହିନୀଙ୍କୁ ବାଳିକା ଯୁଗଳ ଟ୍ରଫି, ଆଦିତ୍ୟ ରନର୍‌

ଭୁବନେଶ୍ବର: ହରିୟାଣାରେ ଶୁକ୍ରବାର ଦେବାଶିଷ ସାହୁ ଆଇଟା ସୁପର୍ ସିରିଜ୍ (ଏସ୍ଏସ୍‌)ରୁ ଦୁଇଟି ଟ୍ରଫି ଜିତିଥିବାବେଳେ ଶନିବାର ଏହି ଧାରାକୁ ଆଗକୁ ନେଇଛନ୍ତି ଅନ୍ୟତମ ଉଦୀୟମାନ ପ୍ରତିଭା ସୋହିନୀ ଏସ୍ ମହାନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ଆଇଟା ସୁପର୍‌ ସିରିଜ୍‌ର ୧୪ ବର୍ଷରୁ କମ୍‌ ବାଳିକା ଏକକ ବର୍ଗର ସେମିଫାଇନାଲରେ ସୋହିନୀ ହାରିଯାଇଥିଲେ ମଧ୍ୟ ବାଳିକା ଯୁଗଳ ବର୍ଗରେ ଟ୍ରଫି ଜିତି ନେଇଛନ୍ତି। ଶନିବାରର ଫାଇନାଲରେ ସୋହିନୀ ଏବଂ ତାଙ୍କ ମହାରାଷ୍ଟ୍ର ସାଥି ନୈନିକା ରେଡ୍ଡି ୬-୧, ୬-୧ ସିଧାସଳଖ ସେଟରେ ସେଜଲ ଗୋପାଳ ଓ ଭେନିଲା ରେଡ୍ଡିଙ୍କୁ ପରାସ୍ତ କରିଥିଲେ।

ସେହିଭଳି ହରିୟାଣାରେ ଚାଲିଥିବା ଆଇଟା ସିଏସ୍‌-୭ରେ ଓଡ଼ିଆ ପୁଅ ଆଦିତ୍ୟ ଆଚାର୍ଯ୍ୟ ଫାଇନାଲ୍ ପର୍ଯ୍ୟନ୍ତ ଉଠିଥିଲେ ମଧ୍ୟ ଆଗକୁ ବଢ଼ି ପାରିନାହାନ୍ତି। ସୋନିପତରେ ଅନୁଷ୍ଠିତ ଏହି ପ୍ରତ‌ିଯୋଗିତାର ୧୪ ବର୍ଷରୁ କମ୍‌ ବାଳକ ସେମିଫାଇନାଲରେ ଆଦିତ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ୬-୪, ୩-୬, ୬-୩ରେ ଅଗ୍ରିମ ସିଂହଙ୍କୁ ହରାଇ ଫାଇନାଲ୍ ଆସିଥିଲେ। କିନ୍ତୁ ଆଦିତ୍ୟ ଫାଇନାଲରେ ୧-୬, ୧-୬ରେ ଆଦିତ୍ୟ ମୋରଙ୍କଠାରୁ ହାରିଯାଇଥିଲେ। ଭୁବନେଶ୍ବର ପଟିଆସ୍ଥିତ ଫାରହାନ୍‌ ଅଲୀ ଏକାଡେମିରେ ପ୍ରଶିକ୍ଷଣ ନେଇ ଏହି ତିନି ଖେଳାଳି ଏବେ ଜାତୀୟ ଜୁନିୟର୍‌ ସର୍କିଟରେ ନିଜ ଛାପ ଛାଡ଼ିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର