ନୂଆଦିଲ୍ଲୀ : କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ କିଛି ଲୋକ ଭିନ୍ନ ‌ଦିଶା ଦେବାକୁ ଚାହାନ୍ତି ବୋଲି କହିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ। ଆମେ ଜାତୀୟ ପ୍ରତିଯୋଗିତାରେ ଆଉ ଖେଳିବାକୁ ଚାହୁଁନାହୁଁ ବୋଲି ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଅସଲ ପ୍ରସଙ୍ଗ ହେଉଛି ଯୌନ ନିର୍ଯ୍ୟାତନା ଅଭିଯୋଗ। ଏପରିକି ଗଣମାଧ୍ୟମ ଆମ ଆନ୍ଦୋଳନ ତୁଳନାରେ ଅଭିଯୁକ୍ତ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଅଧିକ ସମର୍ଥନ କରୁଛି ବୋଲି ପୁନିଆ ପ୍ରକାଶ କରିଛନ୍ତି। ବ୍ରିଜଭୂଷଣଙ୍କ ଅପରାଧିକ ରେକର୍ଡ ଦେଖନ୍ତୁ, ଏଠି ଆନ୍ଦୋଳନ କରୁଥିବା କିମ୍ବା ଅନ୍ୟ ଖେଳର ଖେଳାଳି ଏଭଳି ନଥିବେ। ବ୍ରିଜଭୂଷଣଙ୍କୁ କହିବାର ମଞ୍ଚ ନଦେବାକୁ ଭିନେଶ ‌ଫୋଗଟ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।

Advertisment

ଆନ୍ଦୋଳନ ବନ୍ଦ ହେଲେ ଇସ୍ତଫା ଦେବି: ବ୍ରିଜଭୂଷଣ
ଆନ୍ଦୋଳନରୁ କୁସ୍ତିଯୋଦ୍ଧାମାନେ ଓହରିଗଲେ ମୁଁ ଇସ୍ତଫା ଦେବି। ମୋ ବିରୋଧରେ କଂଗ୍ରେସ ନେତା ଦୀପେନ୍ଦର ହୁଡ଼ା ଏବଂ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ଷଡ଼ଯନ୍ତ୍ର କରିଛନ୍ତି। କିନ୍ତୁ ଆନ୍ଦୋଳନକାରୀଙ୍କୁ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ସମର୍ଥନ ନକରିବା ପ୍ରଶଂସନୀୟ ବୋଲି ବ୍ରିଜଭୂଷଣ କହିଛନ୍ତି। ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫଆଇ) ସଭାପତି ତଥା ସାଂସଦ ବ୍ରିଜଭୂଷଣ କହିଛନ୍ତି, ଯଦି ମୁଁ ଇସ୍ତଫା ଦେବା ପରେ ସେମାନେ ଘରକୁ ଯାଇ ଶାନ୍ତିରେ ଶୋଇ ପାରିବେ ତେବେ ମୁଁ ପ୍ରସ୍ତୁତ ଅଛି’। ଉତ୍ତରପ୍ରଦେଶରେ ଯଦି ୧୦,୦୦୦ କୁସ୍ତିଯୋଦ୍ଧା ଥିବେ ତ‌େବେ ସେମାନଙ୍କ ମଧ୍ୟରୁ ୮,୦୦୦ ଯାଦବ ପରିବାରରୁ ଥିବେ। ସମାଜବାଦୀ ପାର୍ଟିକୁ ସତକଥା ଜଣାଅଛି। ଅଭିଯୋଗ ମୋ ନାମରେ ଡବଲ୍ୟୁଏଫଆଇ ସଭାପତି ଭାବେ ଆସିଛି। ତେଣୁ‌ ‌ଦଳ (ବିଜେପି)କୁ ଏହା ଭିତରକୁ ଟାଣିବାର କିଛି ଯଥାର୍ଥତା ନାହିଁ। ଅନ୍ୟତମ ଷଡ଼ଯନ୍ତ୍ରକାରୀ ଶିଳ୍ପପତିଙ୍କ ନାମ ଯଦି ମୁଁ କହିବି ତେବେ ସେ ମୋତେ ହତ୍ୟା କରିଦେବେ ବୋଲି ବ୍ରିଜ୍‌ଭୂଷଣ ପ୍ରକାଶ କରିଛନ୍ତି।

publive-image

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ରାଜନେତାଙ୍କ ଦ୍ବାରା ପରିଚାଳିତ

ଭାରତର ପ୍ରମୁଖ କୁସ୍ତିଯୋଦ୍ଧାଙ୍କ ଦ୍ବାରା ଯୌନ ନିର୍ଯ୍ୟାତନା ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ଭାରତୀୟ କୁସ୍ତି ସଂଘ (ଡବ୍ଲୁଆଇଏଫ୍‌)ର ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂହ ରବିବାର ଏକ ବିବାଦୀୟ ବୟାନ ଦେଇଛନ୍ତି। ୭ ଜଣ ମହିଳା କୁସ୍ତିବିତ୍‌ଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଆଣି ଦେଶର ପ୍ରମୁଖ କୁସ୍ତିଯୋଦ୍ଧାମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇବା ଏବଂ ତାଙ୍କୁ ଗାଦିରୁ ହଟାଇବା ସାଙ୍ଗକୁ ତାଙ୍କ ସାଂସଦ ପଦକୁ ରଦ୍ଦ କରିବା ଦାବିରେ ସପ୍ତାହ ହେଲା ଯନ୍ତର ମନ୍ତରରେ ପ୍ରତିବାଦ ଚଳାଇଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବଜରଙ୍ଗ ପୂନିଆ, ଭିନେଶ ଫୋଗତ, ସାକ୍ଷୀ ମଲ୍ଲିକଙ୍କ ଭଳି ପ୍ରମୁଖ କୁସ୍ତିଯୋଦ୍ଧା ଧାରଣା ଦେଇଛନ୍ତି। ହେଲେ ସେ ସେଭଳି କୌଣସି ଅପରାଧ କରିନାହାନ୍ତି ଏବଂ ପଦ ଛାଡ଼ିବାକୁ ଶନିବାର ନାସ୍ତିବାଣୀ ଶୁଣାଇ ସାରିଥିବା ବ୍ରିଜ୍‌ ଭୂଷଣ ରବିବାର କହିଛନ୍ତି, କୁସ୍ତିଯୋଦ୍ଧାମାନେ ଚଳାଇଥିବା ବିକ୍ଷୋଭ ପ୍ରଥମ ଦିନରୁ ହିଁ ରାଜନେତାଙ୍କ ଦ୍ବାରା ପରିଚାଳିତ ହୋଇଛି। କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଓ ଭୂପୀନ୍ଦର ସିଂହ ହୁଦା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ, ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧୁରୀ, ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଅତୀଶି ସିଂହ ଏବଂ ସୌରଭ ଭରଦ୍ବାଜ ଗତ କିଛି ଦିନ ଧରି ପ୍ରତିବାଦ ସ୍ଥଳରେ ପହଞ୍ଚି ଧାରଣାରତ କ୍ରୀଡ଼ାବିତ୍‌ଙ୍କୁ ସେମାନଙ୍କ ସମର୍ଥନ ଯୋଗାଇଦେବା ହିଁ ଏହି ମାମଲାକୁ ଅଯଥା ରାଜନୈତିକ ରୂପ ଦିଆଯାଉଥିବା ସ୍ପଷ୍ଟ ହୋଇଛି। ‘‘ଏହା ଏବେ ରାଜନେତାଙ୍କ ଦ୍ବାରା ପୂରା ପରିଚାଳିତ ହେଉଛି। ତେଣୁ ମୁଁ ଭାବୁଛି, ପ୍ରତିବାଦ ଆଥ୍‌ଲେଟ୍‌ମାନେ କରୁନାହାନ୍ତି, ବରଂ ରାଜନେତାମାନେ ସେମାନଙ୍କୁ ବିକ୍ଷୋଭ କରିବାକୁ ପ୍ରବର୍ତ୍ତାଉଛନ୍ତି’’ ବୋଲି ରବିବାର ଦାବି କରିଛନ୍ତି ବ୍ରିଜ୍‌ ଭୂଷଣ। ଧାରଣାରତ ଆଥ୍‌ଲେଟ୍‌ମାନେ କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଦ୍ବାରା ପରିଚାଳିତ ହେଉଥିବା ସ୍ପଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।

ଏବେ କୁସ୍ତିଯୋଦ୍ଧା ଅଭ୍ୟାସରେ ଧ୍ୟାନ ଦିଅନ୍ତୁ: ଯୋଗେଶ୍ବର

କୁସ୍ତିଯୋଦ୍ଧାମାନଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଯନ୍ତର ମନ୍ତର ଧାରଣାସ୍ଥଳ ପରିଦର୍ଶନ କରିବା, ସେମାନଙ୍କ ସହ ଆଲୋଚନା କରି ସାନ୍ତ୍ବନା ଦିଆଯାଉଥିଲା ବେଳେ ସରକାର ଏପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନେଇନାହାନ୍ତି। ଏପରିସ୍ଥଳେ ଡବ୍ଲୁଏଫ୍‌ଆଇ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଉଠିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗର ତଦନ୍ତ ପାଇଁ ଗଠିତ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ୭ ଜଣିଆ କମିଟିର ସଦସ୍ୟ ତଥା ପୂର୍ବତନ ଭାରତୀୟ କୁସ୍ତିବିତ୍‌ ଯୋଗେଶ୍ବର ଦତ୍ତ ରବିବାର ଭିନ୍ନ ମନ୍ତବ୍ୟ ଦେଇଛନ୍ତି। କୁସ୍ତିଯୋଦ୍ଧାମାନଙ୍କ ଅଭିଯୋଗ ଉପରେ ଡବ୍ଲୁଏଫ୍‌ଆଇ ସଭାପତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାୟର ହୋଇସାରିଛି। ତଦନ୍ତ ମଧ୍ୟ ଚାଲୁ ରହିଛି। ଏହି ମାମଲା ଅଦାଲତରେ ପହଞ୍ଚି ସାରିଛି। ଯଦିଓ ପ୍ରଧାନମନ୍ତ୍ରୀଙ୍କର ଦଣ୍ଡ ଦେବାର କୌଣସି ଅଧିକାର ନାହିଁ ତଥାପି ଅଦାଲତ ହିଁ ଏହାର ବିଚାର କରି ନିଷ୍ପତ୍ତି ଶୁଣାଇପାରିବେ। ଏହାକୁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ତେଣୁ କୁସ୍ତିଯୋଦ୍ଧାମାନେ ଧାରଣାରୁ ନିବୃତ୍ତ ରହି ଏବେ ସେମାନଙ୍କ ଅଭ୍ୟାସ ଉପରେ ଧ୍ୟାନକେନ୍ଦ୍ରୀତ କରିବା ଉଚିତ ବୋଲି ଯୋଗେଶ୍ବର କହିଛନ୍ତି।