ଭଦୋଦରା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓ୍ଵିକେଟ୍ ରକ୍ଷକ ନୟନ ମୋଙ୍ଗିଆଙ୍କ ପୁଅ ମୋହିତ ୧୯ ବର୍ଷରୁ କମ୍ କ୍ରିକେଟ୍ରେ ନୂଆ କୀର୍ତିମାନ କରିଛନ୍ତି। ମୋହିତ ବୁଧବାର କେରଳ ବିପକ୍ଷ କୁଚ୍ ବେହାର ଟ୍ରଫିରେ ୨୪୬ ବଲ୍ରେ ୨୪୦ ରନ୍ର ପାଳି ଖେଳି ଏହି କୀର୍ତିମାନ କରିଥିଲେ। ଏ କ୍ଷେତ୍ରରେ ସେ ତାଙ୍କ ବାପାଙ୍କୁ ବଳି ଯାଇଛନ୍ତି। ପୂର୍ବରୁ ୧୯ ବର୍ଷରୁ କମ୍ କ୍ରିକେଟ୍ରେ ବରୋଦା ପକ୍ଷରୁ ସର୍ବାଧିକ ସ୍କୋର୍ କରିବାର କୀର୍ତିମାନ ମୋହିତଙ୍କ ବାପା ନୟନ (୨୨୪)ଙ୍କ ନାମରେ ଥିଲା। ଯାହାକୁ ବରୋଦାର ଅଧିନାୟକ ମୋହିତ ଭାଙ୍ଗି ଦେଇଛନ୍ତି। ଏହି ୧୮ ବର୍ଷୀୟ କ୍ରିକେଟର୍ ଚଳିତ ବର୍ଷ ଅକ୍ଟୋବରରେ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ୩୬ ବଲ୍ରେ ୯୧ ରନ୍ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ମୋ କୀର୍ତିମାନକୁ ପୁଅ ଭାଙ୍ଗିଥିବାରୁ ଖୁସି ବୋଲି ନୟନ କହିଛନ୍ତି। ଏହି ଦ୍ୱିଶତକରେ ବେଶି ଖୁସି ନହୋଇ, ଏହାଠୁ ଅଧିକ ରନ୍ କରିବାକୁ ଚେଷ୍ଟା କର ବୋଲି ମୋହିତକୁ ପରାମର୍ଶ ଦେଇଥିବା ନୟନ ପ୍ରକାଶ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp