ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକକୁ ୯୦ ରନ୍‌ରେ ହରାଇ ସୋନପୁର ବିଜୟୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କ ଠାରେ ଶନିବାର ଆରମ୍ଭ ହୋଇଥିବା ୨୩ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଲୁତୁରପଙ୍କ ଜୟ ଜଗନ୍ନାଥ କ୍ରିକେଟ ଆସୋସିଏସନ୍‌ଙ୍କୁ ୯୦ ରନ୍‌ରେ ପରାସ୍ତ କରି ସୋନପୁର ବିଜୟୀ ହୋଇଛି। ଘରୋଇ ଟିମ୍‌ ଲୁତୁରପଙ୍କ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୋନପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା। ଦଳର ଉମାଶଂକର ହୋତା ୧୬ଟି ବଲ ଖେଳି ବିସ୍ଫୋରକ ୫୦ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ପୁରୁଷୋତ୍ତମ ପାତ୍ରଙ୍କ ୫୧ ରନ ଓ ନିରଂଜନ ପଣ୍ଡାଙ୍କ ୪୮ ରନ ଦ୍ୱାରା ସୋନପୁର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଲୁତୁରପଙ୍କ ଟିମ୍‌ର ଯଦୁଲାଲ, ବୁବୁନ, ସିତୁ ଓ ସନାତନ ୧-୧ ଓ୍ଵିକେଟ ନେଇଥିଲେ।

ଦ୍ୱିତୀୟ ଇନିଂସରେ ୧୮୩ ରନ ବିଜୟ ଲକ୍ଷ୍ୟ ନେଇ ଲୁତୁରପଙ୍କ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୯୨ ରନ ସଂଗ୍ରହ କରିଥିଲା। ଦଳର ଏକମାତ୍ର ଖେଳାଳି ଯଦୁଲାଲ ନନ୍ଦ ସର୍ବାଧିକ ୨୯ ରନ ସଂଗ୍ରହ କରିଥିଲେ। ସୋନପୁରର ରାଣା ୩ଟି ଓ୍ଵିକେଟ ନେଇଥିବା ବେଳେ ପୁରୁଷୋତ୍ତମା ପାତ୍ର ଏବଂ ଆଦିତ୍ୟଙ୍କୁ ୨-୨ ଓ୍ଵିକେଟ୍‌ ମିଳିଥିଲା।

ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ ମୁଖ୍ୟ ଅତିଥି ଭାବରେ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଜୟଜଗନ୍ନାଥ ସ୍ପୋଟିଂ କ୍ଲବ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସୁଶିଳ ପ୍ରଧାନ ସଂଯୋଜନା କରିଥିବା ବେଳେ ଟୁର୍ଣ୍ଣାମେଣ୍ଟର ସଭାପତି ଶଶାଙ୍କ ଶେଖର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।

ଖେଳ ଶେଷ ହେବା ପରେ ବହଲପଦର ପଂଚାୟତର ସମିତି ସଦସ୍ୟ ପିତାମ୍ବର ସାହୁ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୋନପୁର ଟିମ୍‌ର ଉମାଶଙ୍କର ହୋତାଙ୍କୁ ମୁଖ୍ୟ ଅତିଥି ଇଞ୍ଜିନିୟର ବାବୁଲୁ ବିଶି ‘ପ୍ଲେୟାର ଅଫ୍‌ ଦ ମ୍ୟାଚ’ ପୁରାସ୍କାର ଦେଇଥିଲେ। ସମାରୋହରେ ପୂର୍ବତନ ସମିତି ସଭ୍ୟ ରାଧାକାନ୍ତ ବାଘ ଓ ଦିବ୍ୟଶଙ୍କର ପାଠାଗାରର ସଭାପତି ଯୁଧିଷ୍ଠୀର ପାତ୍ର ସମ୍ମାନୀତ ଅତିଥି ଥିଲେ। ଶ୍ୟାମ ସୁନ୍ଦର ପଣ୍ଡା ଓ ବିଶ୍ୱଜିତ ପୁରୋହିତ ମ୍ୟାଚ ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରର ଏବଂ ମ୍ୟାକମିଲନ ଓ ସଂଜୟ ପଟ୍ଟନାୟକ ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ ଆଜିର ବିଜେତା ସୋନପୁର ଏବଂ ଛତିଶଗଡ଼ର ରାୟପୁରର ବିବି ସ୍ପୋଟିଂ ମଧ୍ୟରେ ରବିବାର ଖେଳାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର