କଟକ : ବାରବାଟୀ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫିର ଏଲିଟ୍‌ ଗ୍ରୁପ୍‌ ସି’ ମ୍ୟାଚ୍‌ ଅବସରରେ ସ˚ଜୟ ରାଉଳ ଓ ଅରୁଣ ବାସାଙ୍କୁ ନେଇ ଚର୍ଚ୍ଚା। ଗୁରୁବାରଠୁ ବେଙ୍ଗଲ ଓ ବରୋଦା ମଧ୍ୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌କୁ ଅରୁଣ ବାସା ମ୍ୟାଚ୍‌ ପରିଚାଳନା କରୁଛନ୍ତି। ସେହିପରି ୨୪ ତାରିଖରୁ ବେଙ୍ଗଲ ଓ ହାଇଦ୍ରାବାଦ ମଧ୍ୟରେ ବାରବାଟୀରେ ଖେଳାଯିବାକୁଥିବା ମ୍ୟାଚ୍‌ରେ ସ˚ଜୟ ରେଫରି ଦାୟିତ୍ବ ଦୁଲାଇବେ। ସମ୍ବଲପୁରର ଅରୁଣ ତାଙ୍କର ଅଷ୍ଟମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ପରିଚାଳନା କରୁଥିଲା ବେଳେ ଓଡ଼ିଶାରେ ପ୍ରଥମ ଥର ଏହି ସୌଭାଗ୍ୟ ପାଇଛନ୍ତି। ଯଦିଓ ୨୦୦୭ରୁ ସେ ବିସିସିଆଇର ବିଭିନ୍ନ ବୟସ ବର୍ଗର ଘରୋଇ ପ୍ରତିଯୋଗିତାରେ ଅମ୍ପାୟାର ଭାବେ କାର୍ଯ୍ୟ କରିଆସୁଛନ୍ତି। ୨୦୧୯-୨୦ ଋତୁରେ ସେ ପ୍ରଥମ ଥର ରଣଜୀ ଟ୍ରଫିରେ ଅମ୍ପାୟାର ଭୂମିକାରେ ଆସିଥିଲେ।

Advertisment

ସେହିପରି ବିସିସିଆଇ ରେଫରି ସ˚ଜୟ ରାଉଳ ତାଙ୍କ କ୍ରିକେଟ ଜୀବନ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ କରି ଭାରତ ପାଇଁ ଖେଳିବାକୁ ସୁଯୋଗ ପାଇଥିଲେ। ଏହାପରେ ବିସିସିଆଇ ରେଫରି ଭାବେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ମ୍ୟାଚ୍‌ ପରିଚାଳନା କରିସାରିଛନ୍ତି। ହେଲେ ପ୍ରଥମ ଥର ପାଇଁ ବାରବାଟୀ ଷ୍ଟାଡିୟମରେ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସ˚ଜୟ ରେଫରି ଦାୟିତ୍ବ ତୁଲାଇବେ। ୨୦୦୯ ଅକ୍ଟୋବର ୨୧ ତାରିଖରୁ ସି.କେ.ନାଇଡୁ ଟ୍ରଫିରୁ (ଝାଡ଼ଖଣ୍ତ ବନାମ ଗୋଆ) ବିସିସିଆଇ ମ୍ୟାଚ୍‌ରେ ରେଫରି ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିବା ସ˚ଜୟ ବିଭିନ୍ନ ବସୟ ବର୍ଗରେ ମ୍ୟାଚ୍‌ ପରିଚାଳନା କରିଆସିଛନ୍ତି। ତେବେ ବରିଷ୍ଠ ସ୍ତରରେ ୨୦୧୦ ମସିହାରେ ସେ ଖେଳ ପରିଚାଳନା କରିବା ଆରମ୍ଭ କରିଥିଲେ। ୪୬ ପ୍ରଥମ ଶ୍ରେଣୀ, ୩୫ ଟ୍ବେଣ୍ଟି-୨୦ ଓ ୫୦ ଲିଷ୍ଟ ଏ’ ମ୍ୟାଚ୍‌କୁ ସେ ପରିଚାଳନା କରିସାରିଛନ୍ତି। ବରିଷ୍ଠ ସ୍ତରରେ ଓଡ଼ିଶାରେ କେବଳ ୨୦୧୦ ମସିହାରେ ତିନିଟି ବିଜୟ ହଜାରେ ଟ୍ରଫିକୁ ସେ ପରିଚାଳନା କରିଥିଲେ। ଯେଉଁଥିରୁ ବାରବାଟୀ ଷ୍ଟାଡିୟମରେ ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା। ଏହାପରଠୁ ବରିଷ୍ଠ ମ୍ୟାଚ୍‌ ପାଇଁ ସେ ଓଡ଼ିଶାକୁ ଆଉ ଫେରିନଥିଲେ। ଗୁରୁବାର ବେଙ୍ଗଲ ଓ ବରୋଦା ବିପକ୍ଷ ମ୍ୟାଚ୍‌ର ମଧ୍ୟାହ୍ନଭୋଜନ ବିରତି ସମୟରେ ସ˚ଜୟ ନେଟ୍ସରେ ବେଙ୍ଗଲର ଖେଳାଳିଙ୍କୁ ବୋଲି˚ କରୁଥିବା ଦେଖିବାକୁ ମିଳିଥିଲା।

ବେଙ୍ଗଲ ବିପକ୍ଷରେ ମିତେଶଙ୍କ ଅର୍ଦ୍ଧଶତକ

କଟକ, ୧୭।୨(ଇମିସ): ବାରବାଟୀ ଷ୍ଟାଡିୟମରେ ବରୋଦା ଓ ବେଙ୍ଗଲ ମଧ୍ୟରେ ଏଲିଟ୍‌ ଗ୍ରୁପ୍‌-ବି ରଣଜୀ ମୁକାବିଲା ଆରମ୍ଭ ହୋଇଛି। ଏଠାରେ ମଧ୍ୟ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ବେଙ୍ଗଲ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ପ୍ରଥମ ଵିକେଟ୍‌ ପାଇଁ ଦଳକୁ ୧୫ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ସେହି ଓଭରର ପ୍ରଥମ ବଲ୍‌ରେ ବରୋଦା ଅଧିନାୟକ କେଦାର ଦେଓଧର ଓ ତୃତୀୟ ବଲ୍‌ରେ ପ୍ରତ୍ୟୁଷ କୁମାରଙ୍କୁ ଆଉଟ୍‌ କରିବା ପରେ ଗୋଟିଏ ଓଭର ବ୍ୟବଧାନରେ ଶିବାଲିକ ଶର୍ମାଙ୍କ ଵିକେଟ୍‌ ନେଇ ଇଶାନ ପୋରେଲ୍‌ ବେଙ୍ଗଲକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ୨୦ତମ ଓଭରରେ ଆନ୍ତର୍ଜାତିକ ଖେଳାଳି କୃନାଲ ପାଣ୍ତ୍ୟା (୬) ଓ ଅଭିମନ୍ୟୁ ସି˚ହ (୦)ଙ୍କୁ ଆକାଶଦୀପ ଆଉଟ୍‌ କରିଥିଲେ। ସପ୍ତମ ସ୍ଥାନରେ ଆସିଥିବା ମିତେଶ ପଟେଲ ୬୬ ରନ୍‌ (୬ ଚୌକା, ୧ ଛକା)ର ସ˚ଘର୍ଷପୂର୍ଣ୍ଣ ପାଳି ଖେଳି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଶେଷ ଆଡ଼କୁ ଆସିଥିବା ଭାର୍ଗବ ଭଟ୍ଟ ୪୭ ବଲ୍‌ରୁ ୩୦ ରନ୍‌ କରି ଅପରାଜିତ ରହିଥିଲେ। ବେଙ୍ଗଲର ଇଶାନ ପୋରେଲ ୪, ମୁକେଶ କୁମାର ୩, ଆକାଶଦୀପ ୨ ଵିକେଟ୍‌ ନେଇଥିଲେ। ତେବେ ପ୍ରଥମ ଦିନର ଷ୍ଟମ୍ସ ଅପସାରଣ ବେଳକୁ ବେଙ୍ଗଲ ପ୍ରଥମ ପାଳିରେ ୧ ଵିକେଟ ହରାଇ ୨୪ ରନ୍‌ କରିଛି। ଅଭିମନ୍ୟୁ ଇଶ୍ବରନ୍‌ (୪) ଆଉଟ ହୋଇଥିଲା ବେଳେ ସୁଦୀପ କୁମାର ଘରାମି ୧୧ ଓ ସୁଦୀପ ଚାଟାର୍ଜୀ ୯ ରନ୍‌ରେ ଅପରାଜିତ ଅଛନ୍ତି।

ବିହାରୀଙ୍କ ଅର୍ଦ୍ଧଶତକରେ ହାଇଦ୍ରାବାଦ ୨୭୦/୭
ଭୁବନେଶ୍ବରର ବିକାଶ ପଡ଼ିଆରେ ଆରମ୍ଭ ହୋଇଥିବା ଚଣ୍ତିଗଡ଼ ବିପକ୍ଷ ମ୍ୟାଚ୍‌ରେ ହାଇଦ୍ରାବାଦ ପ୍ରଥମ ଦିନ ୮୮ ଓଭର ଖେଳି ୭ ଵିକେଟ୍‌ ବିନିମୟରେ ୨୭୦ ରନ୍‌ କରିଛି। ଚଣ୍ତିଗଡ଼ ଟସ୍‌ ଜିତି ବୋଲି˚ କରିଥିଲା। ତନ୍ମୟ ଅଗ୍ରଵାଲ (୧୬) ଓ ଅକ୍ଷତ ରେଡ଼ି (୨୮)ଙ୍କ ୱିକେଟ୍‌ ଶୀଘ୍ର ପତନ ଘଟିବା ପରେ ଆନ୍ତର୍ଜାତିକ ଖେଳାଳି ହନୁମା ବିହାରୀ ରକ୍ଷଣାତ୍ମକ ଖେଳି ୧୩୪ ବଲ୍‌ରୁ ୫୯ ରନ୍‌ କରିଥିଲେ। ତାଙ୍କ ବ୍ୟତୀତ ତିଲକ ବର୍ମା ୩୨, ହିମାଳୟ ଅଗରଵାଲ ୨୦, ପ୍ରତୀକ ରେଡ଼ି ୩୬, ଟି ରବି ତେଜା ୩୨, ତନୟ ତ୍ୟାଗରାଜନ ୨୦* ରନ୍‌ର ଯୋଗଦାନ ଦେଇଥିଲେ। ଚଣ୍ତିଗଡ଼ର ଜଗଜିତ ସି˚ହ ସାନ୍ଧୁ ୩, ରାଜଙ୍ଗଡ଼ ବାଵା ଓ ଗୌରବ ଗମ୍ଭୀର ୨ ଲେଖାଏଁ ଵିକେଟ ନେଇଛନ୍ତି।