ନୂଆଦିଲ୍ଲୀ : ବିଶ୍ବ କ୍ରିକେଟ୍ରେ ପ୍ରଥମେ ୧୦,୦୦୦ ରନ୍ ଏବଂ ୩୦ ଶତକ ହାସଲକାରୀ ଭାରତୀୟ ବ୍ୟାଟିଂ କିଂବଦନ୍ତି ସୁନିଲ ମନୋହର ଗାଭାସ୍କରଙ୍କ ପାଇଁ ଶନିବାର ସ୍ବତନ୍ତ୍ର ପାଲଟିବ। ଭାରତୀୟ କ୍ରିକେଟ୍ ସହ ଜଡ଼ିତ ରହିବାର ୫ ଦଶନ୍ଧି ପୂର୍ଣ୍ଣ ହେବ। ୫୦ ବର୍ଷ ତଳେ ଠିକ୍ ଏହି ତାରିଖ (ମାର୍ଚ୍ଚ ୬)ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ୧୭ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପରେ ଏବେ ମଧ୍ୟ ବିଭିନ୍ନ ଭୂମିକାରେ କ୍ରିକେଟ୍ ସହ ଜଡ଼ିତ ଅଛନ୍ତି ଏହି ୭୨ ବର୍ଷୀୟ ମହାନ ବ୍ୟାଟ୍ସମ୍ୟାନ୍। ଜୀବନ ସାରା ବିନା ହେଲମେଟରେ ଖେଳିବା, ଏପରିକି ଦୁର୍ଦ୍ଦଶ ବୋଲିଂ ଆକ୍ରମଣ ବିପକ୍ଷରେ ରନ୍ର ପାହାଡ଼ ସୃଷ୍ଟି କରି ନିଜ ପାଇଁ କାଳଜୟୀ କୃତିତ୍ବ ରଖି ଯାଇଛନ୍ତି ସନ୍ନି ନାମରେ ପରିଚିତ ସୁନିଲ ଗାଭାସ୍କର। ପଦାର୍ପଣ ଶୃଙ୍ଖଳାରେ ୭୭୪ ରନ୍ ସଂଗ୍ରହ କରିବାଠାରୁ ଆରମ୍ଭ କରି ୧୯୮୩ ବିଶ୍ବକପ୍ ବିଜୟର ସ୍ମୃତି ପର୍ଯ୍ୟନ୍ତ ଗାଭାସ୍କରଙ୍କ କ୍ରିକେଟ୍ ଜୀବନରେ ରହିଛି ଅନେକ ମାଇଲଖୁଣ୍ଟ। ଏକ ଅନଭିଜ୍ଞ ଯୁବ ଭାରତର ନେତୃତ୍ବ ନିଜ କାନ୍ଧରେ ବୋହିବାଠାରୁ ଆରମ୍ଭ କରି ଭଦ୍ରଲୋକଙ୍କ ଖେଳର ଭଦ୍ର ମଣିଷଟିଏ ହୋଇ ଜୀଇଁବାର ସାବାସୀ ବି ମିଳେ ସନ୍ନିଙ୍କୁ। ସତୁରୀ ଓ ଅଶି ଦଶକରେ ଯେତେବେଳେ ଅମିତାଭ ବଚ୍ଚନ ‘ଜଞ୍ଜିର’ ଓ ‘ଦିୱାର’ ଚଳଚ୍ଚିତ୍ରରେ ତାଙ୍କ ପ୍ରଶଂସକଙ୍କୁ ଆମୋଦିତ କରୁଥିଲେ ଏବଂ କିଶୋର କୁମାର ଭାରତୀୟ ସଂଗୀତ ଦୁନିଆକୁ ବିମୋହିତ କରୁଥିଲେ ଠିକ୍ ସେତିକିବେଳେ ସଂଘର୍ଷରତ ଭାରତୀୟ କ୍ରିକେଟ୍କୁ ନୂଆ ଭରସାର ରାହା ଦେଖାଇଥିଲେ ଗାଭାସ୍କର। ୫୦ତମ ପଦାର୍ପଣ ବାର୍ଷିକୀର ଅବ୍ୟବହିତ ପୂର୍ବରୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସନ୍ନି କହିଛନ୍ତି ‘ଅମିତାଭ ବଚ୍ଚନ ଏବେ ବି ଭାରତର ମହାନ ଆଇକନ୍ ଏବଂ ସ୍ବର୍ଗତ କିଶୋର କୁମାର ଚିରସବୁଜ ଓ ଅଭୁଲା। ଏମାନଙ୍କ ସହ ଗୋଟିଏ ବଂଧନିରେ ରହିଥିବାରୁ ମୁଁ ନିଜକୁ ନମ୍ର ଓ ଧନ୍ୟ ମଣୁଛି’। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଦାର୍ପଣ ଶୃଙ୍ଖଳାରେ ୭୭୪ ବଦଳରେ ୪୦୦ ରନ୍ କରିଥିଲେ ବି ମୁଁ ଖୁସି ହୋଇଥା’ନ୍ତି। ନିଜ ଦେଶର ଟୋପି ପରିଧାନ କରିବାଠାରୁ ଆଉ କିଛି ଉଲ୍ଲାସ ମୁହୂର୍ତ ନାହିଁ। ସାର୍ ଗ୍ୟାରି ସୋର୍ବସଙ୍କ ଭଳି ମହାନ ଖେଳାଳିଙ୍କ ନେତୃତ୍ବାଧୀନ ଦଳ ବିପକ୍ଷରେ ପ୍ରଥମ ଶୃଙ୍ଖଳା ଖେଳୁଥିବା ବେଳେ ସ୍ବାଭାବିକ ଭାବେ ନର୍ଭସ ଆସିଥିଲା। କ୍ଲବ୍ସ୍ତରରେ କ୍ରିକେଟ୍ ଖେଳିବାଠାରୁ ମୁଁ ପ୍ରତିପକ୍ଷଙ୍କ ବାଉଁସରକୁ ଖେଳିବାରେ ଅଭ୍ୟସ୍ତ ହୋଇଥିବାରୁ ହେଲମେଟ୍ର ଆବଶ୍ୟକତା ମଣିନଥିଲି’। ସନ୍ନିଙ୍କ ଏହି ବିରଳ ଅର୍ଦ୍ଧଶତକ ଅବସରରେ ‘ସମ୍ବାଦ’ ମଧ୍ୟ ଅଜସ୍ର ଶୁଭକାମନା ଜଣାଉଛି।
ସନ୍ନିଙ୍କ ବିରଳ ଅର୍ଦ୍ଧଶତକ
/sambad/media/post_attachments/wp-content/uploads/2021/03/3-Sunil-Gavaskar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)