ଲଣ୍ଡନ୍: ୨୦୦୪ ଓ୍ଵିମ୍ବଲ୍ଡନ୍ ବିଜୟିନୀ ମାରିଆ ସାରାପୋଭା ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ରାତିରେ ଖେଳା ଯାଇଥିବା ମୁକାବିଲାରେ ଏହି ରୁଷିଆ ସୁନ୍ଦରୀ ୭-୬, ୬-୭, ୪-୬ ସେଟ୍ରେ ନିଜ ଦେଶର ଭିତାଲିଆ ଦିଆଚେଙ୍କୋଙ୍କଠୁ ହାରି ଯାଇଥିଲେ। ବୁଧବାର ଖେଳାଯାଇଥିବା ଓ୍ଵିମ୍ବଲ୍ଡନ୍ ପ୍ରତିଯୋଗିତାର ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ସପ୍ତମ ମାନ୍ୟତା କାରୋଲିନା ପ୍ଲିସ୍କୋଭା, ନବମ ମାନ୍ୟତା ଭେନସ୍ ଓ୍ଵିଲିୟମ୍ସ, ଦଶମ ମାନ୍ୟତା ମାଡିସନ୍ କିଜ୍ ବିଜୟୀ ହୋଇଛନ୍ତି। ଚେକ୍ ଗଣରାଜ୍ୟର ପ୍ଲିସ୍କୋଭା ୬-୩, ୬-୩ ସିଧାସଳଖ ସେଟ୍ରେ ବେଲାରୁଷର ଭିକ୍ଟୋରିଆ ଆଝାରେଙ୍କାଙ୍କୁ, ଭେନସ୍ ୪-୬, ୬-୦, ୬-୧ ସେଟ୍ରେ ଆଲେକଜାଣ୍ଡ୍ରା ଦୁଲଘେରୁଙ୍କୁ, ଆମେରିକାର କିଜ୍ ୬-୪, ୬-୩ ସିଧାସଳଖ ସେଟ୍ରେ ଥାଇଲାଣ୍ଡ୍ର ଲୁକ୍ସିକା କୁମ୍ଖୁମ୍ଙ୍କୁ ହରାଇ ତୃତୀୟ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିନେଇଥିଲେ।
ପୁରୁଷ ଏକକ ମୁକାବିଲାରେ ଶୀର୍ଷ ମାନ୍ୟତା ରୋଜର ଫେଡେରର୍, ଏକାଦଶ ମାନ୍ୟତା ସାମ୍ କ୍ୱେରି, ତ୍ରୟୋଦଶ ମାନ୍ୟତା ମିଲୋସ ରାଓନିକ୍ ନିଜ ନିଜ ମ୍ୟାଚ୍ ଜିତି ତୃତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ଦ୍ୱିତୀୟ ପଯ୍ୟାୟ ମୁକାବିଲେରେ ଗତଥରର ବିଜେତା ଫେଡେରର୍ ୬-୪, ୬-୪, ୬-୧ ସିଧାସଳଖ ସେଟ୍ରେ ସ୍ଲୋଭାକିଆର ଲୋକାସ୍ ଲାକୋଙ୍କୁ, କ୍ୱେରି ୭-୬, ୬-୩, ୬-୩ ସିଧାସଳଖ ସେଟ୍ରେ ୟୁକ୍ରେନ୍ର ସର୍ଜିଏ ଷ୍ଟାକୋଭସ୍କିଙ୍କୁ, ରାଓନିକ୍ ୭-୬, ୭-୬, ୭-୬ ସିଧାସଳଖ ସେଟ୍ରେ ଅଷ୍ଟ୍ରେଲିଆର ଜନ୍ ମିଲ୍ମାନ୍ଙ୍କୁ ପରାସ୍ତ କରିଥିଲେ। ହେଲେ ଅଷ୍ଟ୍ରିଆର ଡେନିସ୍ ନୋଭାକ ପ୍ରବଳ ସଂଘର୍ଷ କରିବା ପରେ ୪-୬, ୨-୬, ୭-୬, ୬-୩, ୨-୬ ସେଟ୍ରେ ସପ୍ତଦଶ ମାନ୍ୟତା ଫ୍ରାନ୍ସର ଲୁକାସ ପାଉଲିଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି।
ସଂଘର୍ଷ କରି ହାରିଲେ ରାଜା
ଭାରତୀୟ ତାରକା ପୂରବ ରାଜା ଏବଂ ତାଙ୍କ ଫ୍ରାନ୍ସ ସାଥୀ ଫାବ୍ରିକ୍ ମାର୍ଟିନ୍ ଓ୍ଵିମ୍ବଲ୍ଡନ୍ ପ୍ରତିଯୋଗିତାର ପୁରୁଷ ଯୁଗଳ ମୁକାବିଲାରେ କଡ଼ା ସଂଘର୍ଷ କରି ପରାଜିତ ହୋଇଛନ୍ତି। ବୁଧବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଏହି ଭାରତ-ଫ୍ରାନ୍ସ ଯୋଡ଼ି ପ୍ରଥମ ଦୁଇ ସେଟ୍ ୨-୬, ୪-୬ରେ ସର୍ବିଆ ଓ ବୋସନିଆ ଯୋଡ଼ି ଦୁସାନ ଲାଜୋଭିକ୍ ଓ ବାସିକ୍ ମିର୍ଜାଙ୍କଠୁ ପଛରେ ରହିଥିଲେ। ହେଲେ ପରବର୍ତୀ ଦୁଇ ସେଟ୍କୁ ରାଜା-ମାର୍ଟିନ୍ ୭-୪, ୬-୪ରେ ଜିତି ସ୍ଥିତି ସମାନ କରିଥିଲେ। ନିଣ୍ଣାୟକ ଶେଷ ସେଟ୍କୁ ଲାଜୋଭିକ୍-ମିର୍ଜା ୧୧-୯ରେ ଜିତି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲେ।