ବେତନଟୀ: ବେତନଟୀ ଥାନା ଅଧୀନ ଲଙ୍ଗଳକଟାର ଶକ୍ତିମାନ ଜିମ୍ନାସିୟମରେ ପ୍ରଶିକ୍ଷକ ପରେଶଚନ୍ଦ୍ର ମହାନ୍ତଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ କରି ଆର୍ନ୍ତଜାତୀୟ ଖେଳାଳି ଭାବେ ଖ୍ୟାତି ଅର୍ଜନ କରିଥିବା ଅଖ୍ୟାତ ପଲ୍ଲୀ ଶିଖରଘାଟିର ଆଦିବାସୀ ଝିଅ ସ୍ନେହା ସୋରେନ ପୁଣି ଥରେ ସଫଳତାର ସୋପାନରେ ପାଦ ଥାପିଛନ୍ତି। ପଞ୍ଜାବର ପଟିଆଲାରେ ଯୁବ ଅଲିମ୍ପିକ୍ସ ପାଇଁ ହୋଇଥିବା ଭାରୋତ୍ତୋଳନ ପରୀକ୍ଷଣରେ ସ୍ନେହାଙ୍କୁ ଚୟନ କରାଯାଇଛି। ଆସନ୍ତା ଅକ୍ଟୋବର ୬ ତାରିଖରୁ ଆର୍ଜେଣ୍ଟିନାରେ ହେବାକୁ ଥିବା ୟୁଥ୍ ଅଲିମ୍ପିକ୍ସରେ ସ୍ନେହା ୪୮ କିଗ୍ରା ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ। ସ୍ନେହା ଭାରୋତ୍ତୋଳନ ପରୀକ୍ଷଣ ବେଳେ ସ୍ନାଚ୍ରେ ୬୭ କିଗ୍ରା, ଜର୍କରେ ୮୭ କିଗ୍ରା (ମୋଟ ୧୫୪ କିଗ୍ରା) ଓଜନ ଉଠାଇଥିଲେ। ଓଡିଶା ଭାରୋତ୍ତୋଳନ ସଂଘର ସଭାପତି ଚିତ୍ତରଞ୍ଜନ ସ୍ୱାଇଁ, ସମ୍ପାଦକ ନାରାୟଣ ସାହୁ, ମୟୂରଭଞ୍ଜ ଭାରୋତ୍ତୋଳନ ସଂଘର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ସଭାପତି ନବକୁମାର ସାହୁ, ଉପସଭାପତି ଜିତେନ୍ଦ୍ର ବେହେରା, ରବୀନ୍ଦ୍ର ମହାନ୍ତି, ବିଜୟ ମିଶ୍ର, ସାଧାରଣ ସମ୍ପାଦକ ପରେଶଚନ୍ଦ୍ର ମହାନ୍ତ, ସହସମ୍ପାଦକ ତରୁଣ ମହାନ୍ତି, କୋଷାଧ୍ୟକ୍ଷ ବିଜୟ ଦାସ, ପ୍ରିୟବ୍ରତ ଦାସ, ଶଙ୍କର କର, ମନୋଜ ରାଉତ, ଶକ୍ତିମାନ ଜିମନାସିୟମରେ ଅଭ୍ୟାସରତ ସମସ୍ତ ଖେଳାଳି ସ୍ନେହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଆଦିବାସୀ ଝିଅ ସ୍ନେହା ସୋରେନ ଯୁବ ଅଲିମ୍ପିକ୍ସ ପାଇଁ ମନୋନୀତ
/sambad/media/post_attachments/wp-content/uploads/2018/08/sneha11.jpg)