ସୌଭାଗ୍ୟ ଓ ବିଜୟ ‘ଆଇରନ୍‌ମ୍ୟାନ୍’

ଭୁବନେଶ୍ବର: ସୌଭାଗ୍ୟ କୁମାର ରଥ (୩୩ ବର୍ଷ) ଏବଂ ବିଜୟ କୁମାର ଦାସ (୪୮ ବର୍ଷ) ସଫଳତାର ସହ ଆଇରନ୍‌ମ୍ୟାନ‌୍ ପ୍ରତିଯୋଗିତା ଶେଷ କରିଛନ୍ତି। ରବିବାର କାଜାଖସ୍ତାନର ରାଜଧାନୀ ଅସ୍ତାନା (ନୂର୍ ସୁଲତାନ)ଠାରେ ଅନୁଷ୍ଠିତ ଆଇରନ୍‌ ମ୍ୟାନ୍‌ ଟ୍ରାଇଥଲନ ପ୍ରତିଯୋଗିତାରେ ସଫଳ ହୋଇ ସୌଭାଗ୍ୟ ଦ୍ବିତୀୟ ଥର ପାଇଁ ଆଇରନ୍‌ ମ୍ୟାନ୍‌ ହୋଇଛନ୍ତି। ସେ ମୋଟ ୩.୮ କିଲୋମିଟର ସନ୍ତରଣ, ୧୮୦ କିଲୋମିଟର ସାଇକେଲ ଚାଳନା ଏବଂ ୪୨.୨ କିଲୋମିଟର ଦୌଡ଼କୁ ୧୫ ଘଣ୍ଟା ୫୩ ମିନିଟ ୫୮ ସେକେଣ୍ଡ ସମୟରେ ସମ୍ପନ୍ନ କରିଥବା ବେଳେ ପ୍ରଥମ ଓଡ଼ିଆ ଭାବରେ ଦୁଇଟି ମହାଦେଶର ଆଇରନମ୍ୟାନ୍‌ ହେଇଛନ୍ତି। ପୂର୍ବରୁ ୨୦୧୯ରେ ସୌଭାଗ୍ୟ ଜର୍ମାନୀର ହାମବର୍ଗ ସହରରେ ଆଇରନ୍‌ମ୍ୟାନ୍‌ ହୋଇଥିଲେ। ଅନ୍ୟ ପକ୍ଷରେ ବିଜୟ ପ୍ରଥମ ଥର ପାଇଁ ଆଇରନ୍‌ମ୍ୟାନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମାନ ଦୁରତ୍ବକୁ ୧୩ ଘଣ୍ଟା ୫୨ ମିନିଟ୍‌ ୮ ସେକେଣ୍ଡ ସମୟରେ ଶେଷ କରି ନିଜର କ୍ରୀଡା ନୈପୁଣ୍ୟ ର ପରିଚୟ ଦେଇଛନ୍ତି। ସୌଭାଗ୍ୟ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ପ୍ରସାରଣ ନିଷ୍ପାଦକ ଭାବେ କାର୍ଯ୍ୟରତ ଥିବା ବେଳେ ବିଜୟ ଭାରତ ଭାରୀ ବୈଦ୍ୟୁତିକ ଉଦ୍ୟୋଗରେ ସହକାରୀ ନିର୍ଦ୍ଦେଶକ ଦାୟିତ୍ବ ନିର୍ବାହ କରୁଛନ୍ତି। ସୋମବାର ୭୫ତମ ସ୍ବାଧୀନତା ଦିବସ ଅବସରରେ କାଜାଖସ୍ତାନଠାରେ ଥିବା ଭାରତୀୟ ଦୂତାବାସଠାରେ ସମସ୍ତ ଭାରତୀୟ ଆଇରନ୍‌ମ୍ୟାନ୍‌ ଖେଳାଳିଙ୍କୁ ଭାରତୀୟ ଉଚ୍ଚାୟୁକ୍ତ ଶୁଭଦର୍ଶିନୀ ତ୍ରିପାଠୀଙ୍କ ଦ୍ବାରା ପ୍ରଶଂସା ଏବଂ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର