ଫ୍ରେଣ୍ଡସିପ୍‌ ଶୃଙ୍ଗରେ ତ୍ରିରଙ୍ଗା ଉଡାଇଲେ ସୌଭାଗ୍ୟ-ପ୍ରଭାସ

କଟକ : ଓଡ଼ିଶାର ଯୁବ ଆଇରନ୍‌ମ୍ୟାନ ସୌଭାଗ୍ୟ କୁମାର ରଥ ପୁଣି ଏକ ସଫଳତାକୁ ଛୁଇଁଛନ୍ତି। ପ୍ରଥମ ଥର ପାଇଁ ସେ ପର୍ବତାରୋହଣ କରି ମନାଲିର ପିର୍‌ ପଞ୍ଜାଲ ଅଞ୍ଚଳରେ ଥିବା ଫ୍ରେଣ୍ଡସିପ୍‌ ଶୃଙ୍ଗକୁ ପହଞ୍ଚି କୀର୍ତ୍ତିମାନ ରଚିଛନ୍ତି। ଏହି ପର୍ବତ ଶୃଙ୍ଗ ସମୁଦ୍ରପତ୍ତନଠୁ ୫୨୮୭ ମିଟର ଉଚ୍ଚରେ ଅବସ୍ଥିତ। ସୌଭାଗ୍ୟ ଯାଇଥିବା ଦଳରେ ଆଉ ଜଣେ ଓଡ଼ିଆ ଯୁବକ ପ୍ରଭାସ ରଂଜନ ଚିନ୍ନାରା ମଧ୍ୟ ସାମିଲ ରହି ସମାନ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଉଭୟ ୬ ଦିନର ଆହ୍ବାନଭରା ଅଭିଯାନରେ ସଫଳ ହେବା ସହ ଫ୍ରେଣ୍ଡସିପ ଶୃଙ୍ଗରେ ଜାତୀୟ ପତାକା ଉଡ଼ାଇଛନ୍ତି।

ସୌଭାଗ୍ୟଙ୍କ ସୂଚନା ଅନୁଯାୟୀ, ପ୍ରେଣ୍ଡସିପ୍‌ ଶୃଙ୍ଗ ଶିଖରରେ ପହଞ୍ଚିବା ଯେତିକି କଷ୍ଟକର ସେତିକି ଆହ୍ବାନଭରା ଥିଲା। ପ୍ରଥମେ ତାଙ୍କୁ ମିଶାଇ ୩ ଜଣ ଏହି ଅଭିଯାନରେ ବାହାରିଥିଲେ ବି ପରେ ଆଉ ଏକ ଦଳ ତାଙ୍କ ସହିତ ଯୋଗଦେଇଥିଲା। ୧୮ ତାରିଖରୁ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ଦିନ ଧୁଣ୍ଡିରୁ ଚାଲିଚାଲି ଲାହୋଲିନାଲା ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିଶ୍ରାମ କରି ଦ୍ବିତୀୟ ଦିନ ଲାହୋଲିନାଲାରୁ ଲେଡିଲେଗ୍ ପର୍ଯ୍ୟନ୍ତ ଯାଇଥିଲେ। ତୃତୀୟ ଦିନ ସମିଟ୍‌ କ୍ୟାମ୍ପରେ ଏହି ଟିମ୍‌ ପହଞ୍ଚିଥିଲା। କିନ୍ତୁ ସେଠାରେ ପ୍ରବଳ ତୁଷାର ପାତ ହେବା ସହ ଆଗକୁ ବଢିବା ସମ୍ଭବ ହୋଇନଥିଲା। ତେଣୁ ସମସ୍ତେ ପୁଣି ଥରେ ଲେଡିଲେଗ୍‌କୁ ଫେରି ଆସିଥିଲେ। ପର୍ବତ ଶିଖରକୁ ଯିବା ସମ୍ଭାବନା କମ୍‌ ଲାଗୁଥିଲା। ହେଲେ ରାତି ୧୦ଟାରେ ଆଗକୁ ବଢିବା ପାଇଁ ସୂଚନା ମିଳିବା ପରେ ସାଢେ ୧୧ଟାରେ ପୁଣି ଥରେ ଶିଖର ଛୁଇଁବାକୁ ସମସ୍ତେ ବାହାରିଥିଲେ। ତେବେ ଆକାଶ ସଫା ନଥିବାରୁ ତୁଷାରପାତ ଭିତରେ ଯିବା ଆହ୍ବାନଭରା ଥିଲା। ତେଣୁ ସଫଳତା ସମ୍ଭାବନା କମ୍‌ ଥିବାରୁ ମନରେ ଆଶଙ୍କା ରହୁଥିଲା। କିନ୍ତୁ ଏହାକୁ ଆହ୍ବାନ ଭାବେ ଗ୍ରହଣ କରି ସମିଟ୍‌ କ୍ୟାମ୍ପରେ ବିଶ୍ରାମ କରିବା ପରିବର୍ତ୍ତେ ଆଗକୁ ବଢିଚାଲିଥିଲେ। ସେଠାରେ ବରଫ ମଧ୍ୟରେ ଆଣ୍ଠୁ ପର୍ଯ୍ୟନ୍ତ ପୋତି ହୋଇଯାଉଥିଲା।

ତେବେ ୨୩ ତାରିଖ ସକାଳ ସାଢେ ୭ଟାରେ ସମସ୍ତେ ଫ୍ରେଣ୍ଡସିପ ଶୃଙ୍ଗରେ ପହଞ୍ଚିବାରେ ସଫଳ ହୋଇଥିଲେ। କିନ୍ତୁ ପାଗ ଭଲ ନଥିବାରୁ ସେଠାରେ ମାତ୍ର ୨ ମିନିଟ୍ ରହିବା ପରେ ସ‌ମସ୍ତେ ତଳକୁ ଫେରି ଆସିଥିଲେ। ସୌଭାଗ୍ୟ ଓ ପ୍ରଭାସଙ୍କ ଏହି ସଫଳତା ପାଇଁ ଏବେ ବିଭିନ୍ନ ମହଲରୁ ସେମାନଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଲାଣି। ଉଭୟ ରବିବାର ଓଡ଼ିଶାରେ ପହଞ୍ଚିବେ। ସୂଚନାଯୋଗ୍ୟ, ସୌଭାଗ୍ୟ ବର୍ତ୍ତମାନ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରେ କାର୍ଯ୍ୟରତ ଥିଲାବେଳେ ୨୦୧୯ରେ ଆଇରନ୍‌ମ୍ୟାନ ହୋଇଥିଲେ। ପ୍ରଭାସ ଜଣେ ଧାବକ ହୋଇଥିଲା ବେଳେ ଜଣେ ସାଇକେଲ ଚାଳକ ଭାବେ ଜଣାଶୁଣା।

ସମ୍ବନ୍ଧିତ ଖବର