ଭୁବନେଶ୍ବର: ଆଇରନ୍ ମ୍ୟାନ୍ ତଥା ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ୟୁରୋପ୍ ଓ ରୁଷ୍ର ସର୍ବୋଚ୍ଚ ଶୃଙ୍ଗ ୧୮,୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍ବ୍ରସ୍ ଚଢ଼ିବାକୁ ଯାଉଛନ୍ତି। ରବିବାର ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ନୟାଗଡ଼ର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ବ ଅବସରପ୍ରାପ୍ତ ଆଇଏଏସ୍ କରୁଣାକର ପଟ୍ଟନାୟକ, ଡିଏଭିପି ଓ ପିଆଇବିର ପୂର୍ବତନ ମୁଖ୍ୟ ମହାନିର୍ଦେଶକ ଡ. ଉମାକାନ୍ତ ମିଶ୍ର ଏବଂ ପ୍ରଥିତଯଶା ଲେଖକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ସୌଭାଗ୍ୟଙ୍କୁ ଆଶୀର୍ବାଦ ଦେବା ସହ ଶୁଭକାମନା ପ୍ରଦାନ କରିଥିଲେ।
ସୌଭାଗ୍ୟ କେବଳ ନୟାଗଡ଼, ନୁହେଁ ଓଡ଼ିଶା ଓ ଭାରତ ପାଇଁ ଆଣିବେ ଏବଂ ତାଙ୍କୁ ସାରା ରାଜ୍ୟ ସ୍ବାଗତ କରିବ ବୋଲି ନିଜର ବକ୍ତବ୍ୟରେ କହିଥିଲେ ଶ୍ରୀ ପଟ୍ଟନାୟକ। ସାଧୁତା, କଠିନ ପରିଶ୍ରମ ଓ ବିନମ୍ରତା ସଫଳତା ଆଣିଥାଏ। ସୌଭାଗ୍ୟଙ୍କ ପାଖରେ ଏ ତିନି ଗୁଣ ଥିବାରୁ ସେ ନିଶ୍ଚୟ ସଫଳ ହୋଇ ଫେରିବେ ବୋଲି ଆଶା କରିଥିଲେ ଡ. ମିଶ୍ର। ପ୍ରତିଟି ସଫଳତା ପଛରେ ଅନେକ ବିଫଳତାର ତାଲିକା ଥାଏ। ମନୋବଳ ଦୃଢ଼ କରି ସୌଭାଗ୍ୟ ଆଗକୁ ବିଶ୍ବର ଅନ୍ୟ ଗିରିଶୃଙ୍ଗ ମଧ୍ୟ ଲଙ୍ଘିପାରିବେ ବୋଲି ଆଶା କରିଥିଲେ ଶ୍ରୀ ବେନହୁର।
ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ସୌଭାଗ୍ୟ ନିଜର ପୂର୍ବ ଅଭିଜ୍ଞତା ବଖାଣିବା ସହ ଆଗାମୀ ଯୋଜନା ବାବଦରେ ତଥ୍ୟ ଓ ସୂଚନା ଉପସ୍ଥାପନ କରିଥିଲେ। ପୂର୍ବରୁ ୨୦୧୯ରେ ଜର୍ମାନୀର ହାମବର୍ଗଠାରେ ଓ ୨୦୨୨ରେ କାଜାଖସ୍ତାନର ଆସ୍ଥାନା ସହରରେ ସଫଳତାର ସହ ଏକକାଳୀନ ସନ୍ତରଣ, ସାଇକ୍ଲିଂ ଓ ଦୌଡ଼ ସମାପ୍ତ କରି ଦୁଇଥର ଆଇରନ୍ ମ୍ୟାନ୍ ଟାଇଟଲ୍ ହାସଲ କରିଛନ୍ତି। ପୂର୍ବରୁ ସେ ଭୃଗୁ ଲେକ୍, ଫ୍ରେଣ୍ଡସିପ୍ ପିକ୍, ହମ୍ତା ପାସ୍ ଭଳି ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି। ଭବିଷ୍ୟତରେ ସେ ବିଶ୍ବର ୭ ମହାଦେଶର ସର୍ବୋଚ୍ଚ ୭ ଗିରିଶୃଙ୍ଗ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ପ୍ରସିଦ୍ଧ କଥାଶିଳ୍ପୀ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସାମ୍ବାଦିକ ତଥା ମଞ୍ଚର ସହଆବାହକ ସୁବ୍ରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ମଞ୍ଚର ସଦସ୍ୟଙ୍କ ସମେତ ନୟାଗଡ଼ ଜିଲ୍ଲାର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ସୌଭାଗ୍ୟ ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯିବା ପରେ ସେଠାରୁ ଅଗଷ୍ଟ ୭ରେ ‘ମିନେରାଲନୀ ଭଡୀ’ ଯାତ୍ରା କରିବେ। ଅଗଷ୍ଟ ୮ ତାରିଖରେ ତାଙ୍କର ଦୁଃସାହସିକ ପର୍ବତାରୋହଣ ଆରମ୍ଭ ହେବ।