ବିଶ୍ୱ ବନ୍ଧୁକଚାଳନା: ବିଶ୍ୱ କୀର୍ତିମାନ ସହ ସୌରଭଙ୍କୁ ସ୍ୱର୍ଣ୍ଣ

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବନ୍ଧୁକଚାଳନା ବିଶ୍ୱ ପ୍ରତିଯୋଗିତାରେ ଭାରତୀୟ ତାରକା ସୌରଭ ଚୌଧୁରୀ ନୂଆ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ସୌରଭ କନିଷ୍ଠ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ନୂଆ କୀର୍ତିମାନ ସହ ସ୍ୱର୍ଣ୍ଣ ପଦକ ମଧ୍ୟ କରାୟତ କରିଛନ୍ତି। ଫଳରେ ମିର୍‌ଟର କାଲିନା ଗ୍ରାମ ବାସିନ୍ଦା ଏକ କୃଷକ ପରିବାରରୁ ଆସିଥିବା ୧୫ ବର୍ଷ ବୟସ୍କ ସୌରଭ ନୂଆ କନିଷ୍ଠ ବିଶ୍ୱ ବିଜେତା ଆଖ୍ୟା ହାତେଇଛନ୍ତି। ଗତ ମାସରେ ଜାକର୍ତା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ସୌରଭ ୫୮୧ ସ୍କୋର୍‌ ସହିତ ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନ ଦଖଲ କରି ଫାଇନାଲ୍‌ ପ୍ରବେଶ କରିଥିଲେ। ଫାଇନାଲ୍‌ରେ ସେ ୨୪୫.୫ ସ୍କୋର୍‌ କରି ନିଜ ପୂର୍ବ କୀର୍ତିମାନକୁ ଭାଙ୍ଗିବା ସାଙ୍ଗକୁ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ କବ୍‌ଜା କରିନେଇଥିଲେ। ଏହି ବର୍ଗରେ ଅନ୍ୟତମ ଭାରତୀୟ ଅର୍ଜୁନ ସିଂହ ଚିମା (୨୧୮) କାଂସ୍ୟ ପଦକ ପାଇଥିଲା ବେଳେ ଯୋଗ୍ୟତା ପର୍ଯ୍ୟାୟର ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଫାଇନାଲ୍‌ ପ୍ରବେଶ କରିଥିବା କୋରିଆର ହୋଜିନ୍‌ ଲିମ୍‌ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଅକ୍ତିଆର କରିଥିଲେ। ସୌରଭ ଚଳିତ ମାସ ଜୁନ୍‌ରେ ଆୟୋଜିତ କନିଷ୍ଠ ବିଶ୍ୱକପ୍‌ରେ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଥିଲେ। ସୌରଭ ଓ ଅର୍ଜୁନଙ୍କ ବ୍ୟତୀତ ଭାରତୀୟ ଦଳ ମଧ୍ୟ ପଦକ ହାସଲ କରିଛି। ସୌରଭ, ଅର୍ଜୁନ ଓ ଅନ୍‌ମୋଲ୍‌ଙ୍କୁ ନେଇ ଗଠିତ ଦଳ ମିଳିତ ଭାବେ ୧୭୩୦ ସ୍କୋର୍‌ କରି ରୌପ୍ୟ ପଦକ ଜିତିଛନ୍ତି। ଦଳଗତ ବର୍ଗରେ କୋରିଆ (୧୭୩୨)କୁ ସ୍ୱର୍ଣ୍ଣ ଓ ରୁଷିଆ (୧୭୧୧)କୁ କାଂସ୍ୟ ପଦକ ମିଳିଥିଲା। କୋରିଆ ଦଳ ମଧ୍ୟ ସ୍ୱର୍ଣ୍ଣ ଜିତିବା ସାଙ୍ଗକୁ ନୂଆ ବିଶ୍ୱ କୀର୍ତିମାନ ପ୍ରତିଷ୍ଠା କରିଛି। ଅନ୍ୟପକ୍ଷରେ ବରିଷ୍ଠରେ ଭାରତୀୟ ପ୍ରତିଯୋଗୀମାନଙ୍କ ବିଫଳତା ଧାରା ଲମ୍ବି ଚାଲିଛି। କ୍ରମାଗତ ତୃତୀୟ ଦିନ ଧରି କୌଣସି ଭାରତୀୟ ପ୍ରତିଯୋଗୀ ପଦକ ଜିତିବାରେ ସମର୍ଥ ହୋଇନାହାନ୍ତି। ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ଅଭିଷେକ ବର୍ମା ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସ୍ଥାନ ସହ ଫାଇନାଲ୍‌ ପ୍ରବେଶ କରିଥିଲେ ମଧ୍ୟ ଶେଷରେ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

ସମ୍ବନ୍ଧିତ ଖବର