ପାଣ୍ଡ୍ୟା ମ୍ୟାଚ୍‌ ବିଜେତା ଉଭା ହେଲେଣି: ସୌରଭ ଗାଙ୍ଗୁଲି

ମାତ୍ର କିଛି ଦୋଷ ତ୍ରୁଟିକୁ ଛାଡ଼ିଦେଲେ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ସାରା ଭାରତ ପ୍ରଧାନ୍ୟ ବିସ୍ତାର କଲା। ବର୍ଷ ପ୍ରାରମ୍ଭରେ ଟେଷ୍ଟ୍‍ ଶୃଙ୍ଖଳା ଜିତିଥିବା ଭାରତ ଏବେ ସୀମିତ ଓଭରରେ ସଫଳ ହୋଇ ଏକ ପୂର୍ଣ୍ଣାଙ୍ଗ ଚକ୍ର ସମ୍ପନ୍ନ କଲା। ସବୁଠାରୁ ବଡ଼ କଥା ହେଉଛି ହାର୍ଦିକ ପାଣ୍ଡ୍ୟାଙ୍କ ଆବିର୍ଭାବ। ବିଗତ କିଛି ମାସ ସେ ନିଜ ଖେଳକୁ ବିକଶିତ କରିଛନ୍ତି ଏବଂ ଭାରତ ଆଉ ଜଣେ ମ୍ୟାଚ୍‌ ବିଜେତାଙ୍କୁ ପାଇଛି। ସେ ଜଣେ ପ୍ରତିଭାସମ୍ପନ୍ନ, ଭଲ ଆଚରଣର। ବ୍ୟାଟିଂ ହେଉ କି ବୋଲିଂ ସେ ନିଶ୍ଚିତ ଭାରତକୁ ଆଗାମୀ ଦିନରେ ଠିକଣା ଦିଶାରେ ନେବେ।
କେଦାର ଯାଦବ ଏବଂ ମୀନଷ ପାଣ୍ଡେଙ୍କ ଭଳି ଖେଳାଳିଙ୍କୁ ଯତ୍ନର ସହ ହାତେଇବାକୁ ପଡ଼ିବ। ମୁଁ ଜାଣିଛି ଏ ଦୁହିଁଙ୍କୁ ନେଇ ଆଲୋଚନା ହେଉଛି। କିନ୍ତୁ ଉଭୟଙ୍କୁ ନେଇ ବିରାଟ କୋହଲି ଭଳ କାମ କରିଛନ୍ତି। ଯୁବ ଖେଳାଳିଙ୍କୁ ନେବା ବେଳେ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଶେଷରେ ଏହାର ଫଳ ମିଳିବ। ଅଜିଙ୍କ୍ୟ ରାହାଣେ ମଧ୍ୟ ସୁଯୋଗର ସଦ୍‌ବ୍ୟବହାର କରିଛନ୍ତି। ତାଙ୍କୁ ଶତକ ହରାଇବାକୁ ପଡ଼ିଥିଲା। ଟେ୍ଵଣ୍ଟି-୨୦ରେ କିନ୍ତୁ ତାଙ୍କୁ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ସୁଯୋଗ ମିଳିବା ଉଚିତ୍‌।
ଭାରତର ବିଜୟରେ ଦୁଇ ସ୍ପିନର୍‌ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ବଡ଼ ଯୋଗଦାନ ରହିଥିଲା। ଏଥି ପାଇଁ ସୀମିତ ଓଭରରେ ଆର୍‌ ଅଶ୍ୱିନ୍‌ ଏବଂ ରବୀନ୍ଦ୍ର ଜାଦେଜାଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। କୁଲଦୀପ ଓ ୟୁଜବେନ୍ଦ୍ର ଭଲ କରିଛନ୍ତି ଏଥିରେ ଦ୍ୱିଧା ନାହିଁ, କିନ୍ତୁ ଭାରତୀୟ ପରିବେଶରେ ସାଧାରଣତ। ସ୍ପିନରଭାବେ ଭଲ କରିଥାନ୍ତି। ଏମାନଙ୍କ ସମ୍ପର୍କରେ ମତ ରଖିବା ସଅଳ ହୋଇଯିବ। ଭାରତ ବାହାରେ ଏମାନଙ୍କ ଦକ୍ଷତା ପ୍ରଦର୍ଶନ ଦେଖିବାକୁ ହେବ। ଅଶ୍ୱିନ ଓ ଜାଦେଜା କିନ୍ତୁ ପରୀକ୍ଷିତ ଅଶ୍ୱ। ସୀମିତ ଓଭରରେ ମହମ୍ମଦ ସାମି ଏବଂ ଉମେଶ ଯାଦବଙ୍କୁ ଖେଳାଇବାକୁ ବାଟ ବାହାର କରାଯିବା ଉଚିତ୍‌। ବୁମରା ଓ ଭୁବି ଭଲ କିନ୍ତୁ ଏମାନଙ୍କ ଆହତ ପରିସ୍ଥିତିରେ ସାମି ଓ ଉମେଶ ମ୍ୟାଚ୍‌ ଉପଯୋଗୀ ବିକଳ୍ପ ସହିତ ଲୟରେ ଥିବା ଜରୁରୀ। ୫/୬ ଜଣ ଦ୍ରୁତ ବୋଲରଙ୍କୁ ଭଲ ସ୍ଥିତିରେ ଉପଲବ୍‌ଧ କରାଇବା ଏବଂ ନିୟମିତ ଅନ୍ତରରେ ଖେଳାଇବା ଉଚିତ୍‌।
ଅଷ୍ଟ୍ରେଲିଆ ଦୃଷ୍ଟିକୋଣରୁ ଦେଖିଲେ ଏହି ଦଳରେ କୌଣସି ଉନ୍ନତି ପରିଲଖିତ ହେଲା ନାହିଁ। ଆଗଭଳି ଭାରତ ଓ ଅଷ୍ଟ୍ରେଲିଆ ଆଉ ନିୟମିତ ଗସ୍ତ କରୁନାହାନ୍ତି। ଭାରତ ନିଜର ପ୍ରତି ବିଦେଶ ଗସ୍ତରେ ଉନ୍ନତି କରୁଛି, ଅଷ୍ଟ୍ରେଲିଆ କିନ୍ତୁ ପଛକୁ ପଛ ଯାଉଛି। ବହୁ ଅଷ୍ଟ୍ରେଲୀୟ ଆଇପିଏଲ୍‌ରେ ଖେଳୁଛନ୍ତି, ତଥାପି ସେମାନେ ଭାରତୀୟ ସ୍ପିନର ଓ ଘୁର୍ଣ୍ଣାୟବ ବଲ୍‌କୁ ଖେଳିବାରେ ଅସୁବିଧାରେ ପଡ଼ୁଛନ୍ତି। ଏହା ନିଶ୍ଚିତ ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବ୍ୟଥାର କାରଣ। ଭଲ ଖେଳାଳିମାନେ ସବୁବେଳେ ତୁରନ୍ତ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ନିଅନ୍ତି। ଅତୀତରେ ଷ୍ଟିଭ୍‌ ଓ୍ଵ, ମାଥ୍ୟୁ ହେଡେନ୍‌, ଜିଷ୍ଟିନ ଲାଙ୍ଗର୍‌, ଆଦାମ ଗିଲକ୍ରିିଷ୍ଟ୍‍ ଏଭଳି କରିଥିଲେ। ଜଣେ ମନେ ରଖିବା ଉଚିତ୍‌ ଦ୍ରୁତ ବୋଲିଂ ଭଳି ସ୍ପିନ୍‌କୁ ଭଲ ଖେଳିବା ଏକ କଳା। ଜଣେ ଉଚ୍ଚମାନର ଅନ୍ତର୍ଜାତୀୟ ଖେଳାଳି ହେବାକୁ ହେଲେ ଏଥିରେ ମାହିର୍‌ ହେବାକୁ ପଡ଼ିବ। (ଗେମ୍‌ପ୍ଲାନ୍‌)

ସମ୍ବନ୍ଧିତ ଖବର