ଗାଙ୍ଗୁଲିଙ୍କ ଉପରେ ଭିନ୍ନକ୍ଷମ କ୍ରିକେଟ୍ ସଂଘ କ୍ଷୁବ୍ଧ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅପ୍ରତ୍ୟାଶିତ ସମାଲୋଚନା କରିଛି ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍‌ ସଂଘ (ପିସିସିଏଆଇ)। ଏହାର ମହାସଚିବ ରବି ଚୌହାନ ସୋମବାର କହିଛନ୍ତି ଯେ, ଲକ୍‌ଡାଉନ୍ ସମୟରେ ଦେଶର ଭିନ୍ନକ୍ଷମ କ୍ରିକେଟର୍‌ମାନେ ଜୀବନ ଜୀବିକାକୁ ନେଇ ସଂଘର୍ଷ କରୁଥିବା ବେଳେ ବର୍ତମାନର ବିସିସିଆଇ ସଭାପତି ସହାୟତା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି। ବିସିସିଆଇ ସଭାପତି ଭାବେ ନିର୍ବାଚିତ ହେବା ପରେ ଗାଙ୍ଗୁଲି ଯେଉଁ ଆଶା ‌ଦେଖାଇଥିଲେ ଏବେ ତାହା ନିରାଶାରେ ପରିଣତ ହୋଇଛି। ପ୍ରଥମେ ଅଧିନାୟକ ହେବା ବେଳେ ସେ ଯେଭଳି କରିଥିଲେ ସଭାପତି ହେବା ପରେ ବୋର୍ଡ ଭାଗ୍ୟରେ ପରିବର୍ତନ କରିବେ ବୋଲି ଆଶା ଥିଲା। ଭିନ୍ନକ୍ଷମ କ୍ରିକେଟର୍‌ମାନେ ସେମାନଙ୍କ ଭାଗ୍ୟରେ ପରିବର୍ତନ ନେଇ ଆଶାବାଦୀ ଥିଲେ। ତାଙ୍କ ସହ ଏକାଧିକ ଆଲୋଚନା ମଧ୍ୟ ହୋଇଥିଲା। କିନ୍ତୁ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନାହିଁ।

ଭିନ୍ନକ୍ଷମ କ୍ରିକେଟର୍‌ମାନେ ଅନ୍ତର୍ଜାତୀୟ ଗୌରବ ଆଣିବା ବେଳେ ସମସ୍ତେ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନ ଜଣାଉଛନ୍ତି। କିନ୍ତୁ ବାସ୍ତବରେ କେହି ଏମାନଙ୍କ ପାଇଁ କିଛି କରିବା ସ୍ଥିତିରେ ନାହାଁନ୍ତି। ଲୋଧା ସମିତି ସୁପାରିସ୍ ପରେ ଉଚ୍ଚତ୍ତମ ନ୍ୟାୟାଳୟ ଦେଇଥିବା ନିର୍ଦେଶନାମାରେ ଭିନ୍ନକ୍ଷମ କ୍ରିକେଟର୍‌ମାନଙ୍କ ପାଇଁ ଏକ ସମିତି ଗଠନ କରିବାକୁ କୁହାଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ବୋର୍ଡ ଭିନ୍ନକ୍ଷମ କ୍ରିକେଟର୍‌ଙ୍କ ପାଇଁ କାମ କରୁଥିଲେ ମଧ୍ୟ ବିସିସିଆଇ କରୁନାହିଁ। ଏହି ଶ୍ରେଣୀୟ କ୍ରିକେଟର୍‌ମାନଙ୍କ ମଧ୍ୟରେ ବହୁ ପ୍ରତିଭା ରହିଛି ଏବଂ ବିଭିନ୍ନ ବୟସ ବର୍ଗରେ ସେମାନେ ଖେଳୁଛନ୍ତି। କିନ୍ତୁ ଦୃଷ୍ଟିହୀନ, ହ୍ବିଲଚେୟାର, ମୁକ, ବଧିର ଆଦି ବର୍ଗର କ୍ରିକେଟର୍‌ଙ୍କୁ ନେଇ ଗଠିତ ପିସିସିଏଆଇ’ର ଦାବି ପ୍ରତି ଉପ‌େକ୍ଷା କରାଯାଉଛି ବୋଲି ରବି ଚୌହାନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର