ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇନାହାନ୍ତି ସୌରଭ ଗାଙ୍ଗୁଲି : ଜୟ ଶାହା

ମୁମ୍ବାଇ: ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇନାହାନ୍ତି ସୌରଭ ଗାଙ୍ଗୁଲି । ବିସିସିଆଇ ସମ୍ପାଦକ ଜୟ ଶାହା ଏହା ସ୍ପଷ୍ଟ କରିଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇକୁ ସେ ସୂଚନା ଦେଇ କହିଛନ୍ତି ଯେ ଗାଙ୍ଗୁଲି ଏ ଯାଏ ଇସ୍ତଫା ଦେଇନାହାନ୍ତି । ଗାଙ୍ଗୁଲିଙ୍କ ଏକ ଟୁଇଟ୍ ପରେ ସେ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା ଆଲୋଚନା ହୋଇଥିଲା । ସେ ରାଜନୀତିରେ ଯୋଗଦେଉଛନ୍ତି ଓ ରାଜ୍ୟସଭା ଯାଉଛନ୍ତି ବୋଲି କଳ୍ପନାଜଳ୍ପନା  ଜୋର ଧରିଥିଲା । କିନ୍ତୁ ଜୟ ଶାହାଙ୍କ ବିବୃତି ଆସିବା ପରେ  ବର୍ତ୍ତମାନ ପାଇଁ ଏହି ଚର୍ଚ୍ଚାର ଅନ୍ତ ଘଟିଛି।

ଗାଙ୍ଗୁଲି ଟୁଇଟ୍ କରି ଲେଖିଛନ୍ତି, “୨୦୨୨ରେ ମୋ କ୍ରିକେଟ ଜୀବନର ୩୦ ବର୍ଷ ପୂରଣ ହୋଇଛି । ୧୯୯୨ରେ କ୍ୟାରିୟର ଆରମ୍ଭ କରିବା ପରଠାରୁ କ୍ରିକେଟ ମୋତେ ଅନେକ କିଛି ଦେଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ମୋତେ ଆପଣମାନଙ୍କ ସମର୍ଥନ ପ୍ରଦାନ କରିଛି । ମୋର ଏହି ଯାତ୍ରାରେ ମୋ ସହିତ ଥିବା, ମୋତେ ସମର୍ଥନ କରିଥିବା ଓ ସାହାଯ୍ୟ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।’’ ଏହା ଖବରକୁ ଆସିବା ପରେ ବିସିସଆଇ ସଭାପତି ପଦରୁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଥିଲା।

ସମ୍ବନ୍ଧିତ ଖବର