ସୌରଭ ଗାଙ୍ଗୁଲି ବିଶ୍ୱକପ୍ରେ କରିବେ କମେଣ୍ଟ୍ରି, ମାଇକେଲ କ୍ଲାର୍କ ତାଙ୍କୁ କରିବେ ସହଯୋଗ
ଲଣ୍ଡନ: ଇଂଲଣ୍ଡ ଏବଂ ୱେଲସ୍ରେ ମେ’ ମାସ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କମେଣ୍ଟେଟର୍ ତାଲିକା ଜାରି କରିଛି। ଏଥି ସହତ ଆଇସିସି ନିଜର ବ୍ରୋଡକାଷ୍ଟର ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଛି। ଏହି ତାଲିକାରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ସ୍ଥାନ ମିଳିଛି। ସୌରଭଙ୍କ ବ୍ୟତୀତ ଅନ୍ୟ ୨ ଜଣ ଭାରତୀୟଙ୍କୁ ମଧ୍ୟ ତାଲିକାରେ ସ୍ଥାନ ମିଳିଛି। ତାଲିକାର ଅନ୍ୟତମ ଆକର୍ଷଣ ହେଉଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ପୂର୍ବତନ ଅଧିନାୟକ ମାଇକେଲ୍ କ୍ଲାର୍କ।
Sambad is now on WhatsApp
Join and get latest news updates delivered to you via WhatsApp
ଆଇସିସି ଗୁରୁବାର ଏକ ବୟାନ ଜାରି କରି ଏବାବଦରେ ସୂଚନା ପ୍ରଦାନ କରିଛି। ତାଲିକାରେ ସୌରଭ ଗାଙ୍ଗୁଲିଙ୍କ ବ୍ୟତୀତ ସଂଜୟ ମଂଜରେକର ଏବଂ ହର୍ଷ ଭୋଗଲେଙ୍କୁ କମେଣ୍ଟ୍ରି ପ୍ୟାନାଲରେ ସ୍ଥାନ ମିଳିଛି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ହୋଇଥିବା ୨୦୧୫ ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ୫ମ ଚାମ୍ପିଅନ୍ ଟ୍ରଫି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଅଧିନାୟକ ମାଇକେଲ୍ କ୍ଲାର୍କ ଏଥର କମେଣ୍ଟ୍ରି କରିବେ।
ଏଥର ଆଇସିସି ଅନେକ ପୂର୍ବତନ ଅଧିନାୟକଙ୍କୁ କମେଣ୍ଟେଟର ପ୍ୟାନାଲରେ ସ୍ଥାନ ଦେଇଛି। ୨୪ ଜଣିଆ ପ୍ୟାନାଲରେ ନାସିର ହୁସେନ, କୁମାର ସାଙ୍ଗାକାରା, ମାଇକେଲ ଆଥରଟନ୍, ବ୍ରାଣ୍ଡନ୍ ମ୍ୟାକୁଲମ୍, ଗ୍ରୀମ୍ ସ୍ମିଥ, ଓ୍ଵାସିମ୍ ଆକ୍ରମ୍ ଭଳି ଖେଳାଳିଙ୍କର ନାମ ସାମିଲ ଅଛି। ପୂର୍ବତନ ବ୍ୟାଟସ୍ମ୍ୟାନ୍ ମାଇକେଲ୍ ସ୍ଲେଟର, ମାର୍କ ନିକୋଲସ, ଇଆନ ବିଶପ ସାମିଲ ଅଛନ୍ତି। ମହିଳା କ୍ରିକେଟର ମେଲେନୀ ଜୋନ୍ସଙ୍କୁ ମଧ୍ୟ ଏହି ପ୍ୟାନାଲରେ ସ୍ଥାନ ମିଳିଛି।