ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି। କିଛି ଦୁର୍ବୃତ୍ତ ଗାଙ୍ଗୁଲିଙ୍କ ଜମି ଦଖଲ କରିବାକୁ ଚେଷ୍ଟା କରିଥିବା କୁହାଯାଉଛି। ଏ ନେଇ ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରାଯାଇଛି।

Advertisment

ଅଭିଯୋଗରେ କୁହାଯାଇଛି ଯେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଗାଙ୍ଗୁଲିଙ୍କ ଜମି କବଜା କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିଥିଲେ। ପୁଲିସରେ ଏହି ଅଭିଯୋଗ ସୌରଭ ଗାଙ୍ଗୁଲିଙ୍କ ପିଏ ତାନିଆ ଭଟ୍ଟାଚାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେହି ଅଭିଯୁକ୍ତମାନଙ୍କ ସହ ଆମେ ଫୋନରେ କଥା ହୋଇଥିଲୁ ସେମାନେ ଧମକ ଦେବା ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ।

ସୌରଭ ଗାଙ୍ଗୁଲିଙ୍କ ଏହି ଖାଲି ପଡ଼ିଥିବା ଜମି ପଶ୍ଚିମବଙ୍ଗର ୨୪ପରଗନା ଜିଲ୍ଲାର ଭାଟନଗରରେ ଅବସ୍ଥିତ। ଏହି ଜମି ସେ ବିଦ୍ୟାଳୟ ନିର୍ମାଣ ପାଇଁ ରଖିଥିଲେ। ଏଠାରେ ଆଗକୁ ଏକ ବିଦ୍ୟାଳୟ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ, ସେହି ସ୍ଥାନଟିକୁ ତାଲା ପକାଯାଇ ରଖାଯାଇଛି। ଗାଙ୍ଗୁଲିଙ୍କ ପିଏ ତାନିଆ ଭଟ୍ଟାଚାର୍ଯ୍ୟ ମହେଶତଲା ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ କିଛି ଦୁର୍ବୃତ୍ତମାନେ ସେହି ଜମି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି।

ତେବେ ତାନିଆଙ୍କ ଅଭିଯୋଗ ପରେ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି।