ଲେଜେଣ୍ଡ୍‌ସ୍‌ ଲିଗ୍‌ରେ ଖେଳିବେ ନାହିଁ ସୌରଭ ଗାଙ୍ଗୁଲୀ; ବ୍ୟକ୍ତିଗତ କାରଣ ଦର୍ଶାଇ ମ୍ୟାଚ୍‌ରୁ ଓହରି ଆସିଲେ

କୋଲ୍‌କାତା: ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ ‘ଲେଜେଣ୍ଡ୍‌ସ୍‌ ଲିଗ୍‌’ରୁ ଓହରି ଯାଇଥିବାରୁ ‘ବିସିସିଆଇ’ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଇଡେନ୍‌ ଗାର୍ଡେନ୍‌ରେ ଖେଳିବେ ନାହିଁ। ସମୟ ଅଭାବରୁ ସେ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ‘ଇଣ୍ଡିଆ ଟୁଡେ’କୁ କହିଛନ୍ତି।

ଏ ସଂକ୍ରାନ୍ତରେ ଗାଙ୍ଗୁଲୀ କହିଛନ୍ତି, ହଁ, ସମୟ ଅଭାବ ହେତୁ ମୁଁ ଖେଳିବି ନାହିଁ। ଦାତବ୍ୟ ସଂଗଠନ ପାଇଁ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳୁଥିଲି।

ବିଶେଷସୂତ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ, ସ୍ଥାନୀୟ ହିରୋ ଗାଙ୍ଗୁଲୀ ପୁଣି ଥରେ ଖେଳପଡ଼ିଆକୁ ଆସିବେ ବୋଲି କୋଲ୍‌କାତାର ପ୍ରଶଂସକମାନେ ୧୦ ବର୍ଷ ହେବ ପ୍ରତୀକ୍ଷା କରିଥିଲେ, କିନ୍ତୁ ତାହା ସମ୍ଭବ ହେଲାନାହିଁ। ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଅବସରରେ ‘ବିସିସିଆଇ’ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସେପ୍ଟେମ୍ବର ୧୬ରେ ଇଡେନ୍‌ ଗାର୍ଡେନ୍‌ରେ ଗୋଟାଏ ମ୍ୟାଚ୍‌ ଖେଳିବେ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ‘ଲେଜେଣ୍ଡସ୍‌ ଲିଗ୍‌’ରେ ‘ଇଣ୍ଡିଆନ୍‌ ମହାରାଜାସ୍‌’ ଇଓଇନ୍‌ ମୋର୍ଗାନ୍‌ଙ୍କ ନେତୃତ୍ବାଧୀନ ‘ବିଶ୍ବ ଏକାଦଶ’ର ମୁକାବିଲା କରିବେ।

Image Courtesy of cup news

ଏକଦା ଗାଙ୍ଗୁଲୀଙ୍କ ସହିତ ଖେଳୁଥିବା ବୀରେନ୍ଦ୍ର ସେହୱାଗ୍‌ ଏବଂ ହର୍‌ଭଜନ ସିଂହ ମଧ୍ୟ ଏହି ମ୍ୟାଚ୍‌ରେ ଖେଳୁଛନ୍ତି। ତେଣୁ, ପୂର୍ବତନ କ୍ରକେଟ୍‌ ଖେଳାଳିଙ୍କ ସମାବେଶ ଦେଖିବା ପାଇଁ ଦର୍ଶକେ ମଧ୍ୟ ଖୁବ୍‌ ଆଗ୍ରହୀ ଥିଲେ। କିନ୍ତୁ, ସୌରଭ ଖେଳୁ ନ ଥିବାରୁ ଦର୍ଶକଙ୍କ ଆଗ୍ରହ ହ୍ରାସ ପାଇବା ଏକ ପ୍ରକାରେ ସୁନିଶ୍ଚିତ।

ସୂଚନାଯୋଗ୍ୟ, ଆଗାମୀ ‘ଏଲ୍‌ଲ୍‌ସି ସିଜନ୍‌’ରେ ଦେଶର ୬ଟି ନଗରୀରେ ୪ଟି ଟିମ୍‌ ସମୁଦାୟ ୧୬ଟି ମ୍ୟାଚ୍‌ ଖେଳିବେ। ଏହି ଶୃଙ୍ଖଳର ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୬ ତାରିଖ ଦିନ କୋଲ୍‌କାତାର ଇଡେନ୍‌ ଗାର୍ଡେନସ୍‌ରେ ଖେଳାଯିବ। ଏହାଛଡ଼ା, ଲକ୍ଷ୍ନୌ, ନୂଆଦିଲ୍ଲୀ, କଟକ ଏବଂ ଯୋଧପୁରରେ ବି ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର