ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନୂଆ ସଭାପତି ହେଲେ ପୂର୍ବତନ କ୍ରିକେଟର୍ ରୋଜର ବିନ୍ନି। ଆଜି ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବୋର୍ଡର ସଭାପତି ଭାବେ ପୂର୍ବତନ କ୍ରିକେଟର୍ ରୋଜର ବିନ୍ନିଙ୍କୁ ଦାୟିତ୍ବ ଦିଆଯାଇଛି। ନୂ୍ଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲି ସ୍ଥାନ ନେଇଛନ୍ତି। ରୋଜର ବିନ୍ନି ବିସିସିଆଇର ୩୬ତମ ସଭାପତି ହୋଇଛନ୍ତି। ହାତରୁ କ୍ଷମତା ଯାଇ ବିନ୍ନିଙ୍କୁ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗାଙ୍ଗୁଲି।
ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ମୁଁ ରୋଜର ବିବିନ୍ନିଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ମନୋନୀତ ହୋଇଥିବା ନୂତନ ଟିମ ବିସିସିଆଇର କାମକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବ। ବିସିସିଆଇର ଦାୟିତ୍ବ ଜଣେ ଦକ୍ଷ ବ୍ୟକ୍ତିଙ୍କ ହାତକୁ ଯାଇଛି। ଭାରତୀୟ କ୍ରିକେଟ୍ ଦୃଢ଼ ଭାବରେ ଆଗକୁ ବଢ଼ୁଛି, ମୁଁ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି।
ଏହାପୂର୍ବରୁ, ସୌରଭ ଗାଙ୍ଗୁଲି ୨୦୧୯ରୁ ଏହି ପଦବୀରେ ରହିଥିଲେ। କିଛି ସମୟ ପୂର୍ବରୁ, ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଆଶା କରାଯାଉଥିଲା। କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ। ବିସିସିଆଇ ସଭାପତି ପଦରୁ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ହଟାଯିବା ପରେ ଟିଏମ୍ସି ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଲାଗିରହିଛି। ସୋମବାର ଏହି ପ୍ରସଙ୍ଗରେ ଅଧିକ ପ୍ରତିକ୍ରିୟାଶୀଳ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗାଙ୍ଗୁଲିଙ୍କୁ ବିସିସିଆଇକୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବାକୁ ମମତା ଆଗ୍ରହ ଦେଖାଇଥିଲେ। କୋଲକାତା ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ସୂଚନା ଦେବାକୁ ଯାଇ ମମତା କହିଥିଲେ ଯେ ଜଣେ ପ୍ରଶାସକ ହେବା ପାଇଁ ଗାଙ୍ଗୁଲି କେତେ ଦକ୍ଷ ତାହା ସେ ପ୍ରମାଣିତ କରିଛନ୍ତି। କିନ୍ତୁ ଯେଉଁଭଳି ଢଙ୍ଗରେ ତାଙ୍କୁ ବିସିସିଆଇରୁ ବହିଷ୍କାର କରାଯାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ। ଏହା ତାଙ୍କ ପ୍ରତି ଅନ୍ୟାୟ ବୋଲି କହି ମମତା ବିସିସିଆଇକୁ ଭର୍ତ୍ସନା କରିଛନ୍ତି। ଯଦି ଜୟ ଶାହା ବୋର୍ଡର ସମ୍ପାଦକ ହୋଇପାରୁଛନ୍ତି, ତାହେଲେ ଗାଙ୍ଗୁଲି କାହିଁକି ସଭାପତି ହୋଇପାରିବେନି ବୋଲି ପାଲଟା ପ୍ରଶ୍ନ କରିଥିଲେ।