ନୂଆଦିଲ୍ଲୀ : ଦୀର୍ଘ ୨୬ ମାସ ଧରି ବିସିସିଆଇ ସଭାପତି ଦାୟିତ୍ବ ସମ୍ଭାଳିଥିବା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମୟ ସରିସରି ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଶୁକ୍ରବାର ଏକ ଖବର ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ବିସିସିଆଇରେ ଛାଡ଼ିଯାଉଥିବା ଉତ୍ତରଦାୟିତ୍ବକୁ ମୁଁ ନୁହେଁ ଲୋକମାନେ ବିଚାର କରିବେ। କୋଭିଡ୍ ସଂକ୍ରମଣର ସବୁଠୁ ଆହ୍ବାନଭରା ସମୟରେ ଗାଙ୍ଗଲିଙ୍କ କାର୍ଯ୍ୟକାଳ କେଉଁଠି ପ୍ରଶଂସା ତ କେଉଁଠି ସମାଲୋଚନାର ଶରବ୍ୟ ହୋଇଛି। ସବୁଗୁଡିକର ରୋକଠୋକ୍ ଉତ୍ତର ଦେଇଛନ୍ତି ଗାଙ୍ଗୁଲି।
ଚୟନକର୍ତାମାନଙ୍କୁ ପ୍ରଭାବିତ କରି ଖେଳାଳିଙ୍କୁ ଭାରତୀୟ ଦଳରେ ନେବାର ଅଭିଯୋଗ ହୁଏ। ସମ୍ପାଦକ ଜୟ ସାହାଙ୍କ ସହ ମତଭେଦ କଥା ହେଉ ଅବା ରଣଜୀ ଟ୍ରଫି ଗୋଟିଏ ବର୍ଷ ଖେଳାନଯିବା ନେଇ ମଧ୍ୟ ସେ ସମାଲୋଚିତ ହୋଇଥିଲେ। ଗାଙ୍ଗୁଲି କହିଛନ୍ତି, ‘ମଁ ଭାବୁଛି ଏସବୁ ଅଭିଯାଗ ଭିତ୍ତିହୀନ, ଏ ସମ୍ପର୍କରେ ମୋତେ କାହାରିକୁ ଉତ୍ତର ଦେବାର ଆବଶ୍ୟକତା ନାହିଁ। ମୁଁ ବିସିସିଆଇ ସଭାପତି, ଜଣେ ସଭାପତି ଭାବେ ମୋତେ ଯାହା କରିବା କଥା ମୁଁ କରିଛି। ଚୟନ ସମିତିରେ ବିସିଥିବା ଯେଉଁ ଫଟୋଟି ସାମାଜିକ ଗଣମାଧ୍ୟମରେ ବୁଲିଥିଲା, ସେଇଟା ଚୟନ ସମିତି ବୈଠକର ନୁହେଁ। ଭାରତ ପାଇଁ ମୁଁ ୪୨୪ ମ୍ୟାଚ୍ ଖେଳିଛି, ଏହା ଲୋକମାନଙ୍କୁ ମନେ ପକାଇଦେବା କିଛି ଭୁଲ କଥା ନୁହେଁ। ଜୟ ସାହାଙ୍କ ସହ ମୋର ଚମତ୍କାର ସମ୍ପର୍କ ରହିଛି। ସେ ଜଣେ ଭଲ ବଂଧୁ ଓ ବିଶ୍ବସନୀୟ ସହଯୋଗୀ। କୋଭିଡ୍-୧୯ର କଠୋର ସମୟରେ ୨ ବର୍ଷ ଆମେ ଏକାଠି କାମ କରିଛୁ।
ବିରାଟ କୋହଲିଙ୍କ ଇସ୍ତଫା ପରେ ନୂଆ ଟେଷ୍ଟ୍ ଅଧିନାୟକ ନିଯୁକ୍ତ ନେଇ ଚୟନକର୍ତାମାନେ ଠିକଣା ସମୟରେ ଘୋଷଣା କରିବେ। ସେମାନଙ୍କ ମନରେ ଯାହା ଥିବ ସେମାନେ ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରାଙ୍କୁ ରଣଜୀ ଟ୍ରଫି ଖେଳିବାକୁ ପରାମର୍ଶ ଦେବାରେ କିଛି ଭୁଲ ନାହିଁ। ସେମାନଙ୍କ ସମ୍ପର୍କରେ ମଧ୍ୟ ଚୟନକର୍ତା ଚୂଡାନ୍ତ ନିଷ୍ପତ୍ତି ନେବେ। ରଣଜୀ ଟ୍ରଫି ମ୍ୟାଚ୍ କମିଯିବାରୁ ଖେଳାଳିଙ୍କ ବିପୁଳ କ୍ଷତି ହେଉଥିବା ସମ୍ପର୍କରେ ଗାଙ୍ଗୁଲି କହିଥିଲେ ମ୍ୟାଚ୍ ପାଉଣା ୨.୪ ଲକ୍ଷକୁ ବଢ଼ାଇ ଦିଆଯାଇଛି। ସେମାନେ ମଧ୍ୟ ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବର୍ଦ୍ଧିତ ରାଶି ପାଇଥିଲେ। ଚଳିତ ବର୍ଷ ଆଇପିଏଲ୍ ଭାରତରେ ସମ୍ପୂର୍ଣ୍ଣ ଖେଳାଯିବାର ସମ୍ଭାବନା ଥିବାରୁ ବଡ଼ ଆଶ୍ବସ୍ତି ମିଳିଛି। ୨୦୨୩ରୁ ପୂର୍ଣ୍ଣକାଳୀନ ମହିଳା ଆଇପିଏଲ୍ ଖେଳାଯିବ।
୧୦୦୦ତମ ଦିନିକିଆ ପାଇଁ ଉତ୍ସବ ନାହିଁ
ରବିବାର ଅହମଦାବାଦରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା ଭାରତର ୧୦୦୦ତମ ଦିନିକିଆ ଅନ୍ତର୍ଜାତୀୟ। ତେବେ କୋଭିଡ୍ କଟକଣା ଏବଂ ଜୈବ ବଳୟ କାରଣରୁ ଏଥି ପାଇଁ କିଛି ସ୍ବତନ୍ତ୍ର ଉତ୍ସବର ବ୍ୟବସ୍ଥା କରାଯାଇନାହିଁ ବୋଲି ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। କାରଣ ମ୍ୟାଚ୍ ଗୁଡିକ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ୩ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ପଶ୍ଚିମବଙ୍ଗ ସରକାର ୭୫ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ ବୋଲି କୁହାଯାଉଥିଲେ ମଧ୍ୟ ଗାଙ୍ଗୁଲି ଏଡ଼ାଇ ଯାଇଥିଲେ। କୋଲକାତାରେ ଦର୍ଶକଙ୍କୁ ନୁହେଁ କେବଳ ସିଏବି ଅଧିକାରୀ, ସଦସ୍ୟ, ପ୍ରତିନିଧିକୁ ଅନୁମତି ମିଳିବ। ସାଧାରଣ ଲୋକଙ୍କ ପାଇଁ ଟିକେଟ୍ ବ୍ୟବସ୍ଥା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/BCCI-president-Sourav-Ganguly..jpg)