ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ପଦ ଗ୍ରହଣ କରିବା ପରେ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍ର ବିକାଶ ସହ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମି (ଏନସିଏ)ର ପୁନର୍ଗଠନ ଲାଗି ପଦକ୍ଷେପ ନେବା ଆରମ୍ଭ କରି ସାରିଛନ୍ତି ଗାଙ୍ଗୁଲି। ଏବେ ସେ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଖେଳା ଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତର ପ୍ରସ୍ତୁତି ଉପରେ ନଜର ପକାଇଛନ୍ତି। ୨୦୧୩ ମସିହା ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଭାରତ କୌଣସି ବଡ଼ ପ୍ରତିଯୋଗିତା ନଜିତିବା ନେଇ ମଧ୍ୟ ଗାଙ୍ଗୁଲି ଚିନ୍ତା ଜାହିର କରିଛନ୍ତି। ଆଗକୁ ଏହା ଉପରେ ହିଁ ଅଧିକ ଧ୍ୟାନ ଦିଆଯିବ ବୋଲି ସେ ସଙ୍କେତ ଦେଇଛନ୍ତି।
ଆସନ୍ତା ଫେବ୍ରୁଆରିରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରେ ଭାରତ ବିଶ୍ବକପ୍ ପୂର୍ବରୁ ଆଉ ଟ୍ବେଣ୍ଟି-୨୦ ଖେଳିବାର ନାହିଁ। ତେବେ ଏହା ଏକ ସମସ୍ୟା ହେବ ନାହିଁ ବୋଲି ଗାଙ୍ଗୁଲି ମତ ରଖିଛନ୍ତି। ସେ କହିଛନ୍ତି ଯେ ବିଶ୍ବକପ୍ ପୂର୍ବରୁ ଭାରତ ୧୩ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଏହା ପରେ ଭାରତୀୟ ଖେଳାଳିମାନେ ଆସନ୍ତାବର୍ଷର ଆଇପିଏଲ୍ ଖେଳି ନିଜକୁ ବିଶ୍ବକପ୍ ପାଇଁ ପ୍ରସ୍ତୁତ ରଖିବେ। ଆଇପିଏଲ୍ ପ୍ରଦର୍ଶନକୁ ମଧ୍ୟ ଭାରତୀୟ ଦଳ ଘୋଷଣା ବେଳେ ବିଚାରକୁ ନିଆଯିବ ବୋଲି ସେ କହିଛନ୍ତି। ବିଶ୍ବକପ୍କୁ ଆଖି ଆଗରେ ରଖି ହିଁ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବାଂଲାଦେଶ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଥିବା ଗାଙ୍ଗୁଲି ସୂଚନା ଦେଇଛନ୍ତି। ଭାରତୀୟ ଦଳର ପ୍ରସ୍ତୁତ ଉପରେ ସ୍ବତନ୍ତ୍ର ନଜର ରଖିବା ଲାଗି ଗାଙ୍ଗୁଲି ଆସନ୍ତା ଏକ ବର୍ଷ ପାଇଁ କୋଲକାତା ପରିବର୍ତେ ମୁମ୍ବାଇରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ବକପ୍ ପୂର୍ବରୁ ଭାରତ ଘରୋଇ ପରିବେଶରେ ବାଂଲାଦେଶ ସହ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଖେଳିବ। ସୂଚନାଯୋଗ୍ୟ ଯେ ଭାରତ ଅକ୍ଟୋବର ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ଏଥରର ବିଶ୍ବକପ୍ ନୂଆ ଫର୍ମାଟ୍ରେ ଖେଳାଯିବ।
ବିଭାଜିତ ନେତୃତ୍ବକୁ ନା
ଟ୍ବେଣ୍ଟି-୨୦ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ବିଜୟ ପ୍ରତିଶତ ବିରାଟ କୋହଲିଙ୍କଠାରୁ ଢେର ଅଧିକ। ଅନ୍ତର୍ଜାତୀୟ ମ୍ୟାଚ୍ ସହ ଆଇପିଏଲ୍ରେ ମଧ୍ୟ ରୋହିତ ଏହି କ୍ଷେତ୍ରରେ କୋହଲିଙ୍କଠାରୁ ଆଗରେ ଅଛନ୍ତି। କୋହଲି ୧୧୦ ଆଇପିଏଲ୍ ମ୍ୟାଚ୍ରେ ଅଧିନାୟକତ୍ବ କରି ୪୭.୧୬ ପ୍ରତିଶତ ମ୍ୟାଚ୍ ଜିତିଛନ୍ତି। ରୋହିତ ନେଇଥିବା ୧୦୪ ଆଇପିଏଲ ମ୍ୟାଚ୍ର ଅଧିନାୟକତ୍ବରେ ତାଙ୍କ ସଫଳତା ହାର ହେଉଛି ୫୮.୬୫। ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବଦଳାଇବାର କୌଣସି ସମ୍ଭାବନା ନାହିଁ ବୋଲି ଗାଙ୍ଗୁଲି ସ୍ପଷ୍ଟ କରି ଦେଇଛନ୍ତି। ବିଭାଜିତ ନେତୃତ୍ବ ଅର୍ଥାତ୍ ଭିନ୍ନ ଭିନ୍ନ ଫର୍ମାଟ୍ ଲାଗି ଭିନ୍ନ ଭିନ୍ନ ଅଧିନାୟକ ନୀତିକୁ ସେ ପସନ୍ଦ କରି ନାହାନ୍ତି। ଏଥିନେଇ ଗାଙ୍ଗୁଲି କହିଛନ୍ତି ଯେ ମୁଁ ଭାବୁନି ଏହି ବିଷୟରେ ଏବେ କୌଣସି ଆଲୋଚନା କରିବାର ଆବଶ୍ୟକତା ଏବେ ଅଛି। ଭାରତ ପାଇଁ ଏଭଳି କୌଣସି ନୀତି ଫଳପ୍ରଦ ହେବ ବୋଲି ମୁଁ ଆଶା କରୁନାହିଁ।
ଦିବା-ରାତ୍ର ଟେଷ୍ଟ୍ ଉପରେ ଧ୍ୟାନ
ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ୨୦୧୫ରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ଖେଳିବାର ଚାରି ବର୍ଷ ପରେ ଭାରତ ବାଂଲାଦେଶ ବିପକ୍ଷରେ ଦିବା-ରାତ୍ର ଟେଷ୍ଟ୍ ଖେଳିବାକୁ ଯାଉଛି। ଚଳିତ ଗସ୍ତରେ ହିଁ ବାଂଲାଦେଶ ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ଖେଳିବ। ତେବେ ଆଗକୁ ଗାଙ୍ଗୁଲି ଏହାକୁ ଭାରତୀୟ କ୍ରିକେଟ୍ ଦଳର ନିୟମିତ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଯୋଜନା ରଖିଛନ୍ତି। ଇଂଲଣ୍ଡ କ୍ରିକେଟ୍ ଦଳ ୨୦୨୧ ଜାନୁଆରିରେ ଭାରତ ଗସ୍ତ କରିବା ବେଳେ ମଧ୍ୟ ଅନ୍ୟୁନ ଗୋଟିଏ ଦିବା-ରାତ୍ର ଟେଷ୍ଟ୍ ଖେଳାଯିବ ବୋଲି ସେ କହିଛନ୍ତି। ଅବଶ୍ୟ ସେତେବେଳକୁ ତାଙ୍କ ୧୦ ମାସିଆ କାର୍ଯ୍ୟକାଳ ଶେଷ ହୋଇ ଯାଇଥିବ। ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ଏଥିନେଇ ସବୁ ପ୍ରସ୍ତୁତି ସେ କରି ସାରିଥିବେ ବୋଲି ଗାଙ୍ଗୁଲି ମତ ଦେଇଛନ୍ତି। ଏଥିନେଇ ଗାଙ୍ଗୁଲି କହିଛନ୍ତି ଯେ ଭାରତରେ ଆମେ ପ୍ରତିବର୍ଷ ଅନ୍ୟୁନ ଗୋଟିଏ ଦିବା-ରାତ୍ର ଟେଷ୍ଟ୍ ଖେଳିବୁ। ଏହା ନିଶ୍ଚିତ। ଭାରତ ବିଦେଶ ଗସ୍ତ କଲା ବେଳେ ମଧ୍ୟ ଆମେ ଏଥିନେଇ ପ୍ରତିପକ୍ଷ ବୋର୍ଡଙ୍କ ସହ ଆଲୋଚନା କରିବୁ। ସବୁ ବିଦେଶ ଗସ୍ତରେ ଗୋଟିଏ ଲେଖାଏଁ ଦିବା-ରାତ୍ର ଟେଷ୍ଟ ଖେଳିବାକୁ ଚେଷ୍ଟା କରିବୁ। କାରଣ ଏହା ହିଁ ହେଉଛି ଭବିଷ୍ୟତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sourav_ganguly_jpg_1570991501.jpg)