ସୌରଭଙ୍କ ସ୍ପିନ୍‌ରେ ଭାରତ ‘ଏ’ର ଶୃଙ୍ଖଳା ବିଜୟ

ଗୋଟିଏ ପାଳି ଓ ୧୨୩ ରନ୍‌ରେ ହାରିଲା ବାଂଲାଦେଶ ‘ଏ’

ସିଲହଟ୍‌ : ବାଂଲାଦେଶ ‘ଏ’ ବିପକ୍ଷ ଦ୍ବିତୀୟ ତଥା ଶେଷ ଅଣଔପଚାରିକ ଟେଷ୍ଟ୍‌ରେ ଭାରତ ‘ଏ’ ଏକ ପାଳି ଓ ୧୨୩ ରନ୍‌ରେ ବିଜୟୀ ହୋଇଛି। ଏଥିସହିତ ଅଭିମନ୍ୟୁ ଈଶ୍ବରନଙ୍କ ଭ୍ରମଣକାରୀ ଭାରତୀୟ ଦଳ ୨ ମ୍ୟାଚ୍‌ ଶୃଙ୍ଖଳ‌ାକୁ ମଧ୍ୟ ୧-୦ରେ ଜିତିନେଇଛି। ଶୁକ୍ରବାର ଦ୍ବିତୀୟ ଟେଷ୍ଟର ଅନ୍ତିମ ଦିବସରେ‌ ସୌରଭ କୁମାରଙ୍କ ସ୍ପିନ୍‌ ଯାଦୁରେ ଭାରତ ବିଜୟୀ ହୋଇପାରିଥିଲା। ପ୍ରଥମ ପାଳିରେ ୩୧୦ ଅଗ୍ରଣୀ ରହିଥିବା ଭାରତ ପାଇଁ ସୌରଭ ୬ ୱିକେଟ୍ ସଫଳତା ପାଇଥିଲେ। ବାଂଲାଦେଶ ଏକଦା ୧୧୦/୩ରେ ଥିବାରୁ ମ୍ୟାଚ୍‌କୁ ଅମୀମାଂସିତ ରଖିପାରିବ ବୋଲି ବିଶ୍ବାସ ହେଉଥିଲା। ସୌରଭ କୁମାର (୩୦-୧୦-୭୪-୬) କିନ୍ତୁ ବାଂଲାଦେଶ ପାଳିକୁ ବିଗାଡି ଦେବାରୁ ଘରୋଇ ଦଳ ଏହାର ଶେଷ ୭ ୱିକେଟ୍‌ ୭୭ ରନ୍‌ ବିନିମୟରେ ହରାଇ ପରାଜୟ ବରଣ କରିଥିଲା।

ସୌରଭଙ୍କ ବ୍ୟତୀତ ଦୁଇ ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ଏବଂ ନଭଦୀପ ସୈନି ୨-୨ ୱିକେଟ୍ ବାଣ୍ଟି ନେଇଥିଲେ। ପ୍ରାରମ୍ଭିକ ବ୍ୟାଟର୍‌ ସଦମ୍ୟାନ୍‌ ଇସଲାମ (୯୩*, ୨୩୦ ବଲ୍‌) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ସାଥିହରା ହୋଇ ଦଳକୁ ବଞ୍ଚାଇ ପାରିନଥିଲେ। ବାଂଲାଦେଶ ଦ୍ବିତୀୟ ପାଳି ୧୮୭ ରନ୍‌ରେ ଶେଷ ହୋଇଯାଇଥିଲା। ପୂର୍ବରୁ ବାଂଲାଦେଶର ପ୍ରଥମ ପାଳି ୨୫୨ ରନ୍ ଜବାବରେ ଭାରତ ୫୬୨/୯ରେ ଘୋଷଣା କରିଥିଲା। ବାଂଲାଦେଶ ପ୍ରଥମ ପାଳିରେ ମୁକେଶ କୁମାର ୬ ୱିକେଟ୍ ଏବଂ ଭାରତ ପାଳିରେ ଅଧିନାୟକ ଅଭିମନ୍ୟୁ ଈଶ୍ବରନ୍ (୧୫୭) ଶତକ ହାସଲ କରିବା ଉଲ୍ଲେଖନୀୟ ଥିଲା।

ସମ୍ବନ୍ଧିତ ଖବର