ଦକ୍ଷିଣ ଆଫ୍ରିକା ବ୍ୟାଟିଂକୁ ନେଇ ଚିନ୍ତିତ

-ଗ୍ରେମ୍ ସ୍ମିଥ୍-
୨୦୧୯ ଆଇସିସି କ୍ରିକେଟ୍ ବିଶ୍ବକପ୍, ୧୯୯୨ରେ ବ୍ୟବହୃତ ଫର୍ମାଟ୍‌କୁ ଫେରିଛି। ସେଥିପାଇଁ ବିଶ୍ବକପ୍‌ର ଏଥରର ସଂସ୍କରଣକୁ ନେଇ ଉତ୍ସୁକତା ବଢ଼ି ଚାଲିଛି। ସଂଯୋଗ ବଶତଃ ୧୯୯୨ରେ ଇଂଲଣ୍ଡ ଶେଷ ଥର ପାଇଁ କୌଣସି ୫୦ ଓଭରିଆ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଥିଲା।
ଇଂଲଣ୍ଡର ବିଶ୍ବକପ୍ ଦାବିଦାରିକୁ ନେଇ ବହୁତ ଆଲୋଚନା ଓ ପର୍ଯ୍ୟାଲୋଚନା ହେଉଛି। ୧୯୯୯ ମସିହା ପରେ ମଧ୍ୟ ବିଶ୍ବକପ୍ ଏହି ଦେଶକୁ ପ୍ରଥମ ଥର ପାଇଁ ଫେରିଛି। ସେହି ଦୃଷ୍ଟିରୁ ଇଂଲଣ୍ଡ ବିଶ୍ବକପ୍ ବିଜୟ ମରୁଡ଼ିକୁ ଏଥର ଦୂର କରିବ ବୋଲି କୁହାଯାଉଛି। ଇଅନ ମୋର୍ଗାନଙ୍କ ନେତୃତ୍ବରେ ଇଂଲଣ୍ଡ ପ୍ରଦର୍ଶନରେ ମଧ୍ୟ ବ୍ୟାପକ ପରିବର୍ତନ ଆସିଛି। ତାଙ୍କ ନେତୃତ୍ବ ଶୈଳୀ ମୋତେ ବେଶ୍ ପ୍ରଭାବିତ କରିଛି। ଆରମ୍ଭରୁ ସେ ନିଜ ଖେଳାଳିଙ୍କୁ ସ୍ବାଧୀନତା ପ୍ରଦାନ କରିଛନ୍ତି। ସେମାନେ ନିର୍ଭୟରେ ନିଜ ସ୍ବାଭାବିକ ଖେଳ ଖେଳୁଛନ୍ତି। ନିଜ ଲକ୍ଷ୍ୟକୁ ନେଇ ସେମାନଙ୍କ ମନରେ କୌଣସି ସନ୍ଦେହ ନାହିଁ। ଇଂଲଣ୍ଡ ଏହି ସଫଳତା ଯାତ୍ରା ୨୦୧୫ ବିଶ୍ବକପ୍ ପରଠାରୁ ଆରମ୍ଭ ହୋଇଛି। ଇଂଲଣ୍ଡ ଶ୍ରେଷ୍ଠ ୩ ଦଳ ମଧ୍ୟରେ ରହିବାରେ ମୋର୍ଗାନଙ୍କ ନେତୃତ୍ବ ଦକ୍ଷତାର ବଳିଷ୍ଠ ପ୍ରଭାବ ରହିଛି। ସେମାନଙ୍କ ବ୍ୟାଟିଂରେ ଢେର ଗଭୀରତା ରହିଛି। ମୋଇନ ଅଲ୍ଲୀ ଓ ଆଦିଲ ରସିଦଙ୍କ ରୂପରେ ଦୁଇ ଜଣ ବିଶ୍ବସ୍ତରୀୟ ସ୍ପିନର ଏହି ଦଳରେ ରହିଛନ୍ତି। ଜୋଫ୍ରା ଆର୍ଚର ସାମିଲ ହେବା ପରେ ଇଂଲଣ୍ଡ ବୋଲିଂ ବାହିନୀ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇପାରିଛି। ମୋ ମତରେ କେବଳ ଇଂଲଣ୍ଡ ପାଖରେ ସ୍ବତନ୍ତ୍ର ଖେଳାଳି ନାହାନ୍ତି, ଅନ୍ୟ ଦଳଗୁଡ଼ିକ ମଧ୍ୟ ପ୍ରତିଭାବାନ୍ ଖେଳାଳିଙ୍କୁ ନେଇ ବେଶ୍ ସମୃଦ୍ଧ। ଏଥରର ବିଶ୍ବକପର ପ୍ରମୁଖ ଲଢ଼େଇ ବୋଲିଂ ବାହିନୀକୁ ନେଇ ହେବ। ଯେଉଁ ଦଳ ନୂଆ ବଲ୍‌ରେ ସ୍ଥିରତାର ସହ ଏବଂ ନିୟମିତ ଭାବେ ସଫଳତା ପାଇବ, ସେହି ଦଳ ହିଁ ଆଗକୁ ବଢ଼ିବ। ୧୧ରୁ ୪୦ ଓଭର ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ। ପିଚ୍ ବ୍ୟାଟରଙ୍କୁ ସୁହାଇବାର ପୂର୍ବାନୁମାନ ଥିବାରୁ ଅଧିନାୟକ ଭାବେ ମୁଁ ସେହି ମଝି ଓଭରଗୁଡ଼ିକରେ ଦକ୍ଷ ସ୍ପିନରଙ୍କ ଉପଯୋଗ କରିଥାଆନ୍ତି। ଭଲ ସ୍ପିନର ନଥିବା ଦଳ ନିଶ୍ଚିତ ଭାବେ ସଂଘର୍ଷ କରିବେ, ଅନ୍ତତଃ ଅଭ୍ୟାସ ମ୍ୟାଚ୍‌ଗୁଡ଼ିକରୁ ଏହା ପ୍ରମାଣିତ ହୋଇଛି। ସେଥିପାଇଁ ମଧ୍ୟ ଚଳିତ ବିଶ୍ବକପରେ ଏତେ ସଂଖ୍ୟକ ଲେଗ୍ ସ୍ପିନର ଦେଖିବାକୁ ମିଳିବେ। ଇମ୍ରାନ ତାହିର, ରସିଦ ଖାନ୍, ୟୁଜବେନ୍ଦ୍ର ଚହଲଙ୍କ ଭଳି ସ୍ପିନର ଏଥର ନିର୍ଣ୍ଣାୟକ ଭୂମିକା ନେବେ। ସମସ୍ତଙ୍କ ଭଳି ମୁଁ ବି ଇଂଲଣ୍ଡକୁ ବିଶ୍ବକପର ପ୍ରମୁଖ ଦାବିଦାର ବୋଲି କହିବି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଇଂଲଣ୍ଡକୁ ଭଲ ଟକ୍କର ଦେବେ। ହେଲେ ଦକ୍ଷିଣ ଆଫ୍ରିକା କଳା ଘୋଡ଼ା। ତାହିର ଓ କାଗିସୋ ରବାଦାଙ୍କ ପାଇଁ ଦକ୍ଷିଣ ଆଫ୍ରିକା ପଲ୍ଲା ଭାରି ରହିବ। ମୋର ସବୁଠାରୁ ବଡ଼ ଚିନ୍ତା ହେଲା ସେମାନଙ୍କ ବ୍ୟାଟିଂ। ସେଥିପାଇଁ ଡୁ’ପ୍ଲେସିସ୍ ଏବଂ କ୍ବିଣ୍ଟନ୍ ଡି’କକ୍‌ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଏହି ଚାରିଟି ଦଳ ଛଡ଼ା ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ପୂରା ସକ୍ଷମ। ନ୍ୟୁଜିଲାଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଇଣ୍ଡିଜ୍ ଏହି ବାର୍ତା ଦେଇ ସାରିଛି। ସେମାନେ ଯେ କୌଣସି ବୋଲିଂ ଆକ୍ରମଣକୁ ଧ୍ବସ୍ତ କରିବାକୁ ପୂରା ସକ୍ଷମ।

ସମ୍ବନ୍ଧିତ ଖବର