ଭାରତ-୧, ଦକ୍ଷିଣ ଆଫ୍ରିକା-୩

ଲଣ୍ଡନ୍: ବିଶ୍ବକପ୍‌ ମଇଦାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ୪ ଥର ମୁହାମୁହିଁ ହୋଇଛନ୍ତି। ଭାରତ କିନ୍ତୁ ୧-୩ରେ ପଛୁଆ ରହିଛି। ଭାରତର ଏକମାତ୍ର ବିଜୟ ଗତ ୨୦୧୫ ସଂସ୍କରଣରେ ହିଁ ମିଳିଥିଲା। ଆସନ୍ତୁ ଏହି ୪ ମୁକାବିଲା ଉପରେ ନଜର ପକାଇନେବା।
।୧୫ ମାର୍ଚ ୧୯୯୨, ଆଡିଲେଡ୍
ଦକ୍ଷିଣ ଆଫ୍ରିକା ୬ ୱିକେଟ୍‌ରେ ବିଜୟୀ
୧୯୯୨ ମସିହାର ବିଶ୍ବକପ୍‌ରେ ଅନେକ ନୂଆ କଥା ଘଟିଥିଲା। ପ୍ରଥମ ଥର ପାଇଁ ଦକ୍ଷିଣ‌ ଗୋଲାର୍ଧରେ ଖେଳାଯାଇଥିଲା ଏବଂ ଦକ୍ଷିଣ ଆଫ୍ରିକା ପ୍ରଥମ ପଦାର୍ପଣ କରିଥିଲା। ରାଉଣ୍ଡ ରବିନ୍‌ର ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା କିନ୍ତୁ ଭାରତକୁ ୬ ୱିକେଟ୍‌ରେ ହରାଇ ଦେଇଥିଲା। ୩୦ ଓଭରକୁ ହ୍ରାସ କରାଯାଇଥିବା ଏହି ମ୍ୟାଚ୍‌ରେ ମହମ୍ମଦ ଆଝାରୁଦ୍ଦିନ (୭୯, ୭୭ ବଲ) ଏବଂ କପିଳ ଦେବ (୪୨, ୨୯ ବଲ୍‌)ଙ୍କ ବଳରେ ଭାରତ ଓଭର ପ୍ରତି ୬ ରନ୍ ହାରରେ ୧୮୦/୬‌ ସ୍କୋର୍ କରିଥିଲା। ଜବାବରେ ଆଣ୍ଡ୍ରିଉ ହଡସନ୍ (୫୩) ଏବଂ ଶ୍ରେଷ୍ଠ ଖେଳାଳି ବିବେଚିତ ପିଟର୍ କର୍ଷ୍ଟେନ (୮୪)ଙ୍କ ବଳରେ ଦକ୍ଷିଣ ଆଫ୍ରିକା ସହଜ ବିଜୟ ହାସଲ କରିଥିଲା। ଏମାନେ ପ୍ରଥମ ୱିକେଟ୍‌ ପାଇଁ ୧୨୮ ରନ୍ ଯୋଡ଼ିବାରୁ ଭାରତ ହାତରୁ ମ୍ୟାଚ୍‌ ଖସିଯାଇଥିଲା। ୫ ବଲ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିଜୟୀ‌ ହୋଇଥିଲା।
। ୧୫ ମେ’ ୧୯୯୯, ହୋଭ୍‌
ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ରେ ବିଜୟୀ
୭ ବର୍ଷ ପରେ ପୁଣି ଥରେ ମୁହଁାମୁହିଁ ହୋଇଥିଲେ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଫଳାଫଳ ମଧ୍ୟ ସମାନ ଥିଲା। ରାହୁଲ ଦ୍ରାବିଡ଼ (୫୪) ଏବଂ ସୌରଭ ଗାଙ୍ଗୁଲି (୯୭)ଙ୍କ ପ୍ରଦର୍ଶନ ବଳରେ ଭାରତ ୨୫୩/୫ରେ ସୀମିତ ରହିଥିଲା ପ୍ରାରମ୍ଭିକ ଯୋଡ଼ି ଗ୍ୟାରି କର୍ଷ୍ଟେନ (୩) ଏବଂ ହରସେଲ୍ ଗିବ୍ସ (୭)ଙ୍କୁ ସଅଳ ଆଉଟ୍ କରିଦେବା ପରେ ଭାରତ ଜିତିଯିବ ବୋଲି ଆଶା କରୁଥିଲା। ହେଲେ ମାର୍କ ବାଉଚର (୩୪) ଏବଂ ଜଣ୍ଟି ରୋଡ୍ସ (୩୯*) ଦଳକୁ ୧୬ ବଲ୍‌ ପୂର୍ବରୁ ବିଜୟୀ କରାଇଥିଲେ।
। ୧୨ ମାର୍ଚ ୨୦୧୧, ନାଗପୁର
ଦକ୍ଷିଣ ଆଫ୍ରିକା ୩ ୱିକେଟ୍‌ରେ ବିଜୟୀ
ନାଗପୁରରେ ଭାରତର ନାକ କାଟିବା ସହିତ ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲା ଦକ୍ଷିଣ ଆଫ୍ରିକା। ଭାରତ ପାଳିର ପ୍ରଥମ ୩ ଜଣ ସଚିନ ତେନ୍ଦୁଲକର (୧୧୧), ବୀରେନ୍ଦ୍ର ସେହବାଗ (୭୩) ଏବଂ ଗୌତମ ଗମ୍ଭୀର (୬୯)ଙ୍କ ପାଳି ବଳରେ ଭାରତ ୨୯୬ ରନ୍ କରିଥିଲା। ସଚିନ-ସେହବାଗ ପ୍ରଥମ ୱିକେଟ୍ ପାଇଁ ୧୪୨ ରନ୍ ଉଠାଇଥିଲେ। ଗମ୍ଭୀରଙ୍କ ୱିକେଟ୍‌ ସହିତ ଡେଲ୍ ଷ୍ଟେନ୍ (୫/୫୦) ଭାରତ ପାଳିକୁ ୨୯୬ ରନ୍‌ରେ ସୀମିତ ରଖିଥିଲେ। ରୋମାଞ୍ଚ ଭରା ଏହି ମ୍ୟାଚ୍‌ରେ ହାସିମ୍ ଆମଲା (୬୧), ଜ୍ୟାକ୍ କାଲିସ୍ (୬୯), ଏବି ଡି’ଭିଲିୟର୍ସ (୫୨)ଙ୍କ ଅର୍ଧଶତକ ପରେ ଦକ୍ଷିଣ ଆଫ୍ରିକାକୁ ଫାପ ଡୁ ପ୍ଲେସିସ୍ (୨୫*, ୨୩ ବଲ୍‌) ଏବଂ ରବିନ୍ ପିଟରସନ୍ (୧୮*, ୭ ବଲ୍) ୨ ବଲ୍‌ ପୂର୍ବରୁ ରୋମାଞ୍ଚକ ବିଜୟ ଦେଇଥିଲେ।
। ୨୨ ଫେବ୍ରୁ୍ଆ ରି, ୨୦୧୫, ମେଲବର୍ନ
ଭାରତ ୧୩୦ ରନ୍‌ରେ ବିଜୟୀ
ବିଶ୍ବକପ୍ ମୁହାଁମୁହିଁର ୨୩ ବର୍ଷ ପରେ ଭାରତ ଚତୁର୍ଥ ମୁକାବିଲାରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ଶିଖର ଧାୱନ (୧୩୭, ୧୪୬ ବଲ୍‌)ଙ୍କ ଶତକ ବଳରେ ଭାରତ ୩୦୭/୭ ସ୍କୋର୍ ଛିଡ଼ା କରିଥିଲା। ବିରାଟ କୋହଲି (୪୬) ଏବଂ ଅଜିଙ୍କ୍ୟ ରାହାଣେ (୭୯) ଭଲ ଅବଦାନ ରଖିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକାକୁ ୧୭୭ ରନ୍‌ରେ ଆଉଟ୍ କରି ଦେଇଥିଲେ ଭାରତୀୟ ବୋଲର। ରବିଚନ୍ଦ୍ରନ୍‌ ଅଶ୍ବିନ୍ ୩ ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ସାମି ଏବଂ ମୋହିତ ଶର୍ମା ୨ ଲେଖାଏଁ ଦଖଲ କରିଥିଲେ। ୧୩୦ ରନ୍ ବିଜୟ ଭାରତ ପାଇଁ ଦିନିକିଆରେ ତୃତୀୟ ସର୍ବୋଚ୍ଚ ବ୍ୟବଧାନ ଥିଲା।

ସମ୍ବନ୍ଧିତ ଖବର