ଭାରତ ଏ’ର ପ୍ରଥମ ପରାଜୟ, ଦକ୍ଷିଣ ଆଫ୍ରିକା ଏ’ଠୁ ୪ ରନ୍‌ରେ ହାରିଲା

ତିରୁବନନ୍ତପୁରମ୍‌: ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ମସ୍ୟାନ୍‌ ଶିଖର ଧାୱନ୍‌ଙ୍କ ଦମ୍‌ଦାର ଅର୍ଧଶତକ ସତ୍ତ୍ବେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷ ୫ ଟିକିଆ ଦିନିକିଆ ଶୃଙ୍ଖଳାରେ ଭାରତ ‘ଏ’ ପ୍ରଥମ ପରାଜୟ ବରଣ କରିଛି। ପ୍ରଥମ ୩ ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କରିନେଇଥିବା ଘରୋଇ ଦଳ ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନିକିଆକୁ ୪ ରନ୍‌ରେ ହାରିଯାଇଛି। ୨୫ ଓଭରରେ ଦକ୍ଷିଣ ଆଫ୍ରିକା ଗୋଟିଏ ୱିକେଟ୍‌ ବିନିମୟରେ ୧୩୭ ରନ୍‌ କରିଥିଲା ବେଳେ ଡିଏଲ୍‌ ନିୟମ ଅନୁଯାୟୀ ଭାରତ ସମ୍ମୁଖରେ ୨୫ ଓଭରରେ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଜବାବରେ ଭାରତର ସ୍କୋର୍‌ ୫୬/୧ ବେଳେ ବର୍ଷା ପୁଣି ହୋଇଥିଲା। ଫଳରେ ମ୍ୟାଚ୍‌ ସଂରକ୍ଷିତ ଦିବସକୁ ଯାଇଥିଲା। ଗୁରୁବାର ପୂର୍ବ ଦିନର ସ୍କୋର୍‌ରୁ ଖେଳ ଆରମ୍ଭ କରି ଭାରତ ୯ ୱିକେଟ୍‌ ହରାଇ ୧୮୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଶିଖର ଧାୱନ୍‌ ୫୨, ଶିଭବ ଦୁବେ ୩୨, ପ୍ରଶାନ୍ତ ଚୋପ୍ରା ଓ ଅଧିନାୟକ ଶ୍ରେୟଶ ଆୟର ୨୬ ରନ୍‌ ଲେଖାଏଁ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିଚ ନୁର୍ଜେ, ମାର୍କୋ ଜନ୍‌ସନ ଓ ଲୁଥୋ ସିପାମ‌ଲା ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ନୁର୍ଜେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶେଷ ତଥା ପଞ୍ଚମ ଦିନିକିଆ ଶୁକ୍ରବାର ଖେଳାଯିବ।

ସମ୍ବନ୍ଧିତ ଖବର