ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌: ଇଂଲଣ୍ଡ ୨୬୪ ରନ୍‌ରେ ଆଗୁଆ

ସର୍ବାଧିକ ଥର ୫ ୱିକେଟ୍‌: ଅଶ୍ବିନ ଓ ବୋଥାମ୍‌ଙ୍କୁ ଟପିଲେ ଆଣ୍ଡରସନ୍‌
କେପ୍‌ ଟାଉନ୍: ସ୍ଥାନୀୟ ନ୍ୟୁଲାଣ୍ଡ୍‌ସ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଇଂଲଣ୍ଡ ଦୃଢ଼ ସ୍ଥିତିରେ ରହିଛି। ଇଂଲଣ୍ଡର ପ୍ରଥମ ପାଳି ସ୍କୋର୍‌ ୨୬୯ ଜବାବରେ ଦକ୍ଷିଣ ଆଫ୍ରିକା ୨୨୩ ରନ୍‌ କରିଛି। ପ୍ରଥମ ପାଳିରେ ୪୬ ରନ୍‌ର ଅଗ୍ରଣୀ ନେଇଥିବା ଇଂଲଣ୍ଡ ଦ୍ବିତୀୟ ପାଳିରେ ତୃତୀୟ ଦିନର ଷ୍ଟମ୍ପ୍‌ ଅପସାରଣ ବେଳକୁ ୪ ୱିକେଟ୍‌ ହରାଇ ୨୧୮ ରନ୍‌ କରିଛି। ହାତରେ ୬ ୱିକେଟ୍‌ ଥାଇ ଇଂଲଣ୍ଡ ଏବେ ୨୬୪ ରନ୍‌ରେ ଆଗୁଆ ହୋଇଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୬୯। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୮୯ ଓଭରରେ ୨୨୩ (ଡିନ୍ ଏଲଗାର ୮୮, ରସି ଭାନଡର ଦୁସେନ ୬୮, କ୍ବିଣ୍ଟନ୍ ଡି’ କକ୍ ୨୦, ଜେମ୍ସ ଆଣ୍ଡରସନ୍ ୫/୪୦, ଷ୍ଟୁଆର୍ଟ ବ୍ରଡ୍ ୨/୩୮, ସାମ୍ କରନ୍ ୨/୩୯)। ଇଂଲଣ୍ଡ ଦ୍ବିତୀୟ ପାଳି: ୭୯ ଓଭରରେ ୨୧୮/୪ (ଡମ୍‌ ସିବ୍‌ଲେ ୮୫, ଜୋ ରୁଟ୍‌ ୬୧, ଜୋ ଡେନ୍‌ଲି ୩୧, ଜ୍ୟାକ୍‌ କ୍ରୋଏଲ୍‌ ୨୫, ଅନରିଚ ନର୍ଜେ ୨/୩୬, କାଗିସୋ ରବାଦା ୧/୪୧, ଡ୍ବାନ୍‌ ପ୍ରିଟୋରିୟସ୍‌ ୧/୩୪)

ଇଂଲଣ୍ଡ ଦ୍ରୁତ ବୋଲର ଜେମସ ଆଣ୍ଡରସନ୍‌ ରବିବାର ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ ଟେଷ୍ଟ୍‌ରେ ସବୁଠୁ ଅଧିକ ଥର ୫ ୱିକେଟ୍‌ ସଫଳତା ହାତେଇବାରେ ସେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଇଆନ୍‌ ବୋଥାମ୍‌ଙ୍କୁ ଟପି ଯାଇଛନ୍ତି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ଆଣ୍ଡରସନ୍‌ ୫ ୱିକେଟ୍‌ ଅକ୍ତିଆର କରିଥିଲେ। ଏଥି ସହିତ ସେ ଟେ‌ଷ୍ଟ୍‌ରେ ୨୮ଥର ଏଭଳି ସଫଳତା ପାଇଥିଲେ। ଉଭୟ ଅଶ୍ବିନ୍‌ ଓ ବୋଥାମ୍‌ ୨୭ ଥର ଲେଖାଏଁ ୫ ୱିକେଟ୍‌ ସଫଳତା ହାତେଇଥିଲେ। ଆଣ୍ଡରସନ୍‌ ମଧ୍ୟ ଟେଷ୍ଟ୍‌ରେ ସବୁଠୁ ଅଧିକ ଥର ୫ ୱିକେଟ୍‌ ଦଖଲ ତାଲିକାର ସପ୍ତମ ସ୍ଥାନକୁ ଲମ୍ଫ ମାରିଛନ୍ତି। ପୂର୍ବତନ ସିଂହଳୀ କିଂବଦନ୍ତି ସ୍ପିନର ମୁଥାୟା ମୁରଲୀଧରନ୍‌ (୬୭ ଥର, ୧୩୩ ମ୍ୟାଚ୍‌) ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି। ଭାରତର ପୂର୍ବତନ ସ୍ପିନର ଅନିଲ କୁମ୍ବଲେ (୧୩୨ ମ୍ୟାଚ୍‌) ୩୫ ଥର ୫ ୱିକେଟ୍‌ ସଫଳତା ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର କିଂବଦନ୍ତୀ ସ୍ପିନର ସେନ୍‌ ୱର୍ନ (୩୭ ଥର, ୧୪୫ ମ୍ୟାଚ୍‌), ନ୍ୟୁଜିଲାଣ୍ଡର ସାର୍‌ ରିଚାର୍ଡ ହାଡ୍‌ଲି (୩୬ ଥର, ୮୬ ମ୍ୟାଚ୍‌) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର