କୋଲକାତା (ଇଡେନ୍ ଗାର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ): ଆଉ ମାତ୍ର କିଛି ମିନିଟ୍ ପରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍ରେ ଆରମ୍ଭ ହେବ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ପ୍ରଥମ ସେମିଫାଇନାଲ୍। ପ୍ରଥମ ଦଳ ଭାବେ ଫାଇନାଲ୍ରେ ସ୍ଥାନ ସୁରକ୍ଷିିତ କରିବା ଲାଗି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଦକ୍ଷିଣ ଆଫ୍ରିକା ଚତୁର୍ଥ ଥର ଲାଗି ସେମିଫାଇନାଲ୍ ଖେଳିବ।
ଅନ୍ୟପକ୍ଷରେ ର୍ଆଇସିସି ପ୍ରତିଯୋଗିତାଗୁଡ଼ିକର କଳା ଘୋଡ଼ା ନ୍ୟୁଜିଲାଣ୍ଡ ପଞ୍ଚମ ଥର ପାଇଁ ଏହି ପର୍ଯ୍ୟାୟରେ ଲଢ଼ିବେ। ଉଭୟ ଦଳ କିନ୍ତୁ ପ୍ରଥମ ଥର ଲାଗି ଟ୍ରଫି ଜିତିବା ଦିଗରେ ଆଉ ପାଦେ ଆଗେଇବାକୁ ଚେଷ୍ଟା କରିବେ। ନ୍ୟୁଜିଲାଣ୍ଡ ପୂର୍ବରୁ ଖେଳିଥିବା ସେମିଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ମାତ୍ର ଥରେ ବିଜୟୀ ହୋଇଛି। ଅନୁରୂପ ଭାବେ ଦକ୍ଷିଣ ଆଫ୍ରିକା ମଧ୍ୟ ସେମିଫାଇନାଲ୍ ପର୍ଯ୍ୟାୟରୁ କେବଳ ଥରେ ଫାଇନାଲ୍କୁ ଯାଇଛି। ଦକ୍ଷିଣ ଆଫ୍ରିକା ଗତ ସଂସ୍କରଣରେ ଫାଇନାଲ୍ ଖେଳି ଭାରତଠାରୁ ହାରିଥିଲା।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୫ ବର୍ଷ ତଳେ ଅର୍ଥାତ୍ ୨୦୨୧ ମସିହାରେ ଫାଇନାଲ୍ ଟିକେଟ୍ ହାସଲ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଏଥର କିନ୍ତୁ ଉଭୟ ଦଳ ଟ୍ରଫି ଜିତିବାର ପ୍ରତୀକ୍ଷିତ ଲକ୍ଷ୍ୟକୁ ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଏଣୁ ବୁଧବାରର ସେମିଫାଇନାଲ୍ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଦୁଇଟି ଯାକ ଦଳ ତୁଳନାତ୍ମକ ଭାବେ ଅଧିକ ଥର ସେମିଫାଇନାଲ୍ ଖେଳିବାକୁ ଯାଉଥିବାରୁ ସରିଏଲ୍ ସେମିଫାଇନାଲିଷ୍ଟ୍ର ଆଖ୍ୟା ପାଇଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନ୍ୟୁଜିଲାଣ୍ଡଠାରୁ କେବେବି ହାରିନି ଦକ୍ଷିଣ ଆଫ୍ରିକା। ଉଭୟ ଦଳ ବିଶ୍ବକପ୍ରେ ୫ଥର ମୁହାଁମୁହିଁ ହୋଇଥିଲା ବେଳେ ପ୍ରତିଥର ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ପୁଣି ଏହି ମ୍ୟାଚ୍ର ବିଜେତା ଗୁରୁବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ୍ର ବିଜେତା ଦଳକୁ ଅହମଦାବାଦରେ ଆୟୋଜିତ ହେବାକୁ ଥିବା ମେଗା ଫାଇନାଲ୍ରେ ଭେଟିବେ। ଚଳିତ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଉଭୟ ଲିଗ୍ ଓ ସୁପର-୮ ପର୍ଯ୍ୟାୟରେ ଅପରାଜେୟ ରହି ସେମିଫାଇନାଲ୍ରେ ପ୍ରବେଶ କରିଛି। ଲିଗ୍ ଓ ସୁପର-୮ ପର୍ଯ୍ୟାୟରେ ମଧ୍ୟ ଏହି ଦଳ ନିଜ ଗ୍ରୁପ୍ର ସଫଳତମ ଦଳ ଥିଲା।
ଆହୁରି ପଢ଼ନ୍ତୁ: Blind in India: ଦୃଷ୍ଟିବାଧିତ କ୍ରିକେଟ୍କୁ ବିସିସିଆଇର ସମର୍ଥନ
ଗ୍ରୁପ୍-ଡି’ରେ ଥିବା ନ୍ୟୁଜିଲାଣ୍ଡ ତା’ର ଏକମାତ୍ର ଲିଗ୍ ପର୍ଯ୍ୟାୟ ପରାଜୟ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିଲା। ସେହିଭଳି ସୁପର-୮ରେ ଗୋଟିଏ ଲେଖାଏଁ ଜୟ, ପରାଜୟ ଓ ବାତିଲ ମ୍ୟାଚ୍ ବଳରେ ସେମିଫାଇନାଲ୍ ଯାଇଛି। ପାକିସ୍ତାନ ସହ କିୱି ଦଳ ସମାନ ପଏଣ୍ଟ୍ ପାଇଥିଲେ ମଧ୍ୟ ଉନ୍ନତ ରନ୍ ରେଟ୍ ପାଇଁ ସୁପର-୮ ଯୋଗ୍ୟତା ହାସଲ କରିଥିଲା। ସେହି ଦୃଷ୍ଟିରୁ ଦେଖିଲେ ଦକ୍ଷିଣ ଆଫ୍ରିକାର ପଲା ଏହି ମ୍ୟାଚ୍ରେ କିଛିଟା ଭାରି ରହିବ। ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ଐଦେନ ମାର୍କରାମ, ଡେଭିଡ୍ ମିଲର, ତ୍ରିସ୍ତନ ଷ୍ଟବ୍ସ, ମାର୍କୋ ଜାନସେନଙ୍କ ଭଳି ଖେଳାଳିଙ୍କ ପ୍ରଦର୍ଶନ ଢେର ମହତ୍ତ୍ବ ରଖିବ। ଭେଟେରାନ୍ ତାରକା କ୍ବିଣ୍ଟନ୍ ଡି’ କକ୍ ମଧ୍ୟ ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବାର ସବୁ ଦକ୍ଷତା ରଖନ୍ତି। କର୍ବିନ ବସ୍, କାଗିସୋ ରବାଡ଼ା, ଲୁଙ୍ଗି ଏନ୍ଗିଡ଼ିଙ୍କ ସହ କେଶବ ମହାରାଜ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରନ୍ତି। ନ୍ୟୁଜିଲାଣ୍ଡର ଶକ୍ତି ହେଉଛି ଶୀର୍ଷକ୍ରମ। ଏଣୁ ଟିମ୍ ସେଫର୍ଟ ଫିନ୍ ଆଲୋନ୍, ଡାରିଲ ମିଚେଲ, ଓ ରାଚୀନ ରବୀନ୍ଦ୍ରଙ୍କ ସହ ଗ୍ଲେନ୍ ଫିଲିପ୍ସ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ପାଇଁ ଚିନ୍ତାର କାରଣ ହୋଇ ପାରନ୍ତି। ଦ୍ବିତୀୟ ସନ୍ତାନର ଜନ୍ମ ପରେ ଦଳ ମ୍ୟାଟ୍ ହେନରି ଦଳ ସହ ଯୋଗ ଦେଇଥିବାରୁ ନ୍ୟୁଜିଲାଣ୍ଡ ଶକ୍ତି ମଧ୍ୟ ପୂର୍ବଭଳି ଅକ୍ଷୁଣ୍ଣ ରହିଛି। ଲୋକି ଫର୍ଗୁସନ, ଜିମ୍ମୀ ନିସାମ ଏବଂ ଅଧିନାୟକ ମିଚେଲ ସାଣ୍ଟନର୍ ନିଜ ଶାଣିତ ବୋଲିଂରେ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିବାକୁ ପୂରା ସକ୍ଷମ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ଟିମ୍ ସେଫର୍ଟ, ଫିନ୍ ଆଲେନ୍, ରାଚିନ ରବୀନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଡାରିଲ ମିଚେଲ, ମିଚେଲ ସାଣ୍ଟନର୍ (ଅଧିନାୟକ), କୋଲ ମ୍ୟାକେଞ୍ଚି/ ଜ୍ୟାକବ୍ ଡଫି, ଜିମ୍ମୀ ନିସାମ, ମ୍ୟାଟ୍ ହେନରି, ଲୋକି ଫର୍ଗୁସନ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’ କକ୍, ଐଦେନ ମାର୍କରାମ (ଅଧିନାୟକ), ରିୟାନ ରିକେଲଟନ୍, ଡିୱାଲ୍ଡ ବ୍ରେଭିସ୍, ଡେଭିଡ୍ ମିଲର, ତ୍ରିସ୍ତନ ଷ୍ଟବ୍ସ, ମାର୍କୋ ଜାନସେନ, କର୍ବିନ ବସ୍, କାଗିସୋ ରବାଡ଼ା, କେଶବ ମହାରାଜ, ଲୁଙ୍ଗି ଏନ୍ଗିଡ଼ି।
କଳା ପିଚ୍
ସେମିଫାଇନାଲ୍ ଳାଗି ବ୍ୟବହୃତ ହେବାକୁ ଥିବା ପିଚ୍ର ରଙ୍ଗ ସାମାନ୍ୟ ଫିକା ରହିଛି। ଏଣୁ ଏହା ସ୍ପିନର୍ଙ୍କୁ ସୁହାଇବ ବୋଲି ସଙ୍କେତ ମିଳିଛି। ଉଭୟ ଦଳର ଅଧିନାୟକ ଏଥିଲାଗି ପ୍ରଥମେ ବ୍ୟାଟିଂ କରିବେ ନା ପଶ୍ଚାତଧାବନ କରିବେ ସେ ଦ୍ବନ୍ଦ୍ବରେ ରହିବେ। ତେବେ ରାତିରେ କାକର ପଡ଼ିବାର ପୂର୍ବାନୁମାନ ଥିବାରୁ ଟସ୍ ଜିତିବା ଦଳ ପଶ୍ଚାତଧାବନକୁ ଅଧିକ ପସନ୍ଦ କରିପାରେ। ଆଜି ରାତିରେ ବର୍ଷା ହେବାର ସମ୍ଭାବନା ପ୍ରାୟ ନାହିଁ କହିଲେ ଚଳେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/04/04bbs_25_04032026_112-2026-03-04-17-47-18.jpg)