ହସରଙ୍ଗାଙ୍କ ହ୍ୟାଟ୍ରିକ୍ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ବିଜୟୀ

ସାମ୍‌ସୀଙ୍କ କୀର୍ତ୍ତିମାନ: ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ଆନ୍ତର୍ଜାତିକ ୱିକେଟ୍‌

ସାରଜା: ପଥୁମ ନିଶଙ୍କଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ୱାନିନ୍ଦୁ ହସରଙ୍ଗାଙ୍କ ହ୍ୟାଟ୍ରିକ ୱିକେଟ୍‌ ଦଖଲ ସତ୍ତ୍ବେ ଶ୍ରୀଲଙ୍କାକୁ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ଶେଷ ଓଭରରେ ୧୫ ରନ୍‌ ଆବଶ୍ୟକ ଥିଲାବେଳେ ଲାହିରୁ କୁମାରାଙ୍କୁ ଯୁଗଳ ଛକା ମାରି ଡେଭିଡ୍ ମିଲର୍‌ ମ୍ୟାଚ୍‌କୁ ସହଜ କରି ଦେଇଥିଲେ। ତେବେ ଚମତ୍କାର ସ୍ପିନ୍ ବୋଲିଂ କରି ଶ୍ରୀଲଙ୍କା ପାଳିକୁ ୧୪୨ ରନ୍‌ରେ ରୋକିଥିବାରୁ ତାବ୍ରାଇଜ୍ ସାମସୀ (୪-୦-୧୭-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
୧୪୨ ରନ୍‌କୁ ପଶ୍ଚାତଧାବନ କରିଥିବା ଦକ୍ଷିଣ ଆଫ୍ରିକା ଅଷ୍ଟମ ଓଭର ସୁଦ୍ଧା ୪୯ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିଲା। ତେବେ ଅଧିନାୟକ ତେମ୍ବା ବଭୁମା (୪୬, ୪୬ ବଲ୍‌) ଏବଂ ଏଦୈନ ମର୍କରାମ (୧୯, ୨୦ ବଲ୍‌) ମଧ୍ୟକ୍ରମ ସମ୍ଭାଳି‌ ନେଇଥିଲେ। ଶେଷକୁ ଡେଭିଡ୍ ମିଲର୍ (୨୩*, ୧୩ ବଲ୍‌, ୨ ଛକା) ଏବଂ କାଗି‌ସୋ ରବାଦା (୧୩*, ୭ ବଲ୍‌, ୧ ଚୌକା, ୧ ଛକା) ମ୍ୟାଚ୍‌କୁ ହାତଛଡ଼ା ହେବାକୁ ଦେଇନଥିଲେ।

ଅନ୍ୟତମ ଦ୍ରୁତତମ ବୋଲର ଲାହିରୁ କୁମାରାଙ୍କୁ ଶେଷ ଓଭରରେ ମିଲର୍‌ ୨ ଛକା ମାରିବା ପରେ ରବାଦା ଚୌକାରେ ମ୍ୟାଚ୍‌ ଶେଷ କରିଥିଲେ। ଏହା ପୂର୍ବରୁ କିନ୍ତୁ ଦୁଇ ଓଭର ବ୍ୟାପୀ ଲଗାତାର ୩ ବଲ୍‌ରେ ଏଦୈନ ମର୍କରାମ, ତେମ୍ବା ବଭୁମା ଓ ଡ୍ବାଇନ୍ ପ୍ରିଟୋରିୟସଙ୍କୁ ଆଉଟ୍ କରି ୱାନିନ୍ଦୁ ହସରଙ୍ଗା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ତୃତୀୟ ବୋଲର ଭାବେ ହ୍ୟାଟ୍ରିକ୍ ପୂର୍ଣ୍ଣ କରିଥିଲେ। ୧୫ତମ ଓଭର ଶେଷ ବଲ୍ ଏବଂ ୧୮ତମ ଓଭରର ପ୍ରଥମ ଦୁଇ ବଲ୍‌ରେ ସେ ଏହି ୩ ୱିକେଟ୍ ନେଇଥିଲେ। ତେବେ ଲାହିରୁ କୁମାର ଶେଷ ଓଭରରେ ୧୫ ରନ୍‌କୁ ସୁରକ୍ଷିତ ରଖି ନପାରିବାରୁ ଶ୍ରୀଲଙ୍କା ମ୍ୟାଚ୍‌ ହାରିଯାଇଥିଲା।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଶ୍ରୀଲଙ୍କା ପାଇଁ ପ୍ରାରମ୍ଭିକ ବ୍ୟାଟର୍‌ ପଥୁମ ନିଶଙ୍କ (୭୨, ୫୮ ବଲ୍‌, ୬ ଚୌକା, ୩ ଛକା) ଏକା ଲଢ଼ିଥିଲେ। ଆଉ ମାତ୍ର ୨ ଜଣ ଚରିଥ ଅସଲଙ୍କା (୨୧) ଏବଂ ଦାସୁନ ସଣକା (୧୧) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରାଇଜ୍ ସାମସୀ (୩/୧୭) ଏବଂ ଡ୍ବାନ୍ ପ୍ରିଟୋରିୟସ୍‌ (୩/୧୭) ମିଳିତ ଭାବେ ୭ ଓଭରରେ ମାତ୍ର ୩୪ ରନ୍‌ ଦେଇ ୬ ୱି‌କେଟ୍ ଦଖଲ କରିବାରୁ ଶ୍ରୀଲଙ୍କା ୧୪୨ ରନ୍‌ରେ ସୀମିତ ରହିଥିଲା। ଅନରିକ୍‌ ନର୍ଖିୟା ମଧ୍ୟ ବଢ଼ିଆ ବୋଲିଂ କରି ନିଜ ୪ ଓଭରରେ ୨୭ ରନ୍‌ ଦେଇ ୨ ୱିକେଟ୍‌ ଅକ୍ତିଆର କରିଥିଲେ।

ଆଣ୍ଠୁ ମାଡ଼ି ବସିଲେ ଡି’କକ୍
ଶେଷରେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍‌ କ୍ବିଣ୍ଟନ୍ ଡି’କକ୍ ବ୍ଲାକ୍ ଲାଇଫ୍ ମ୍ୟାଟର୍‌ (ବିଏଲ୍‌ଏମ୍) ଅଭିଯାନକୁ ସମର୍ଥନ କରିଛନ୍ତି। ଦକ୍ଷିଣ ଆଫ୍ରିକାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ ଏଭଳି କରିବେ ନାହିଁ ବୋଲି ସିଧାସିଧା ସେ ମନା କରି ଦେଇଥିଲେ। ଏପରିକି ଏହି ମ୍ୟାଚ୍‌ରୁ ଓହରି ଯାଇଥିଲେ। ତେବେ ଏଥିଲାଗି ଚାରିଆଡ଼କୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମଧ୍ୟ ଏଭଳି ଆଭିମୁଖ୍ୟ ବଦାଇବାକୁ ଡି’କକ୍‌ଙ୍କ ଉପରେ ଚାପ ପକାଇଥିଲା। ଫଳରେ ଡି’କକ୍ ନିଜ କଲା କର୍ମ ପାଇଁ କ୍ଷମା ମାଗି ନେଇଥିଲେ। ତା ସହ ଶନିବାରର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ଡି’କକ୍ ଅନ୍ୟ ସାଥୀ ଖେଳାଳିଙ୍କ ଭଳି ଆଣ୍ଠୁ ମାଡ଼ି ବସିବା ସହ ବିଏଲ୍‌ଏମ୍‌କୁ ନିଜ ସମର୍ଥନ ଜଣାଇଥିଲେ।

ସାମ୍‌ସୀଙ୍କ କୀର୍ତ୍ତିମାନ: ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ଆନ୍ତର୍ଜାତିକ ୱିକେଟ୍‌

ସାର୍‌ଜା: ଦକ୍ଷିଣ ଆଫ୍ରିକାର ବାମହାତୀ ଲେଗ୍‌ ସ୍ପିନର ତାବ୍ରିଜ୍‌ ସାମ୍‌ସୀ ଚଳିତ ଟି-୨୦ ବିଶ୍ବକପ୍‌ ଅବସରରେ ଶନିବାର ଏକ ନୂଆ କୀର୍ତ୍ତିମାନ ରଚିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-୨୦ ଆନ୍ତର୍ଜାତିକ ୱିକେଟ୍‌ ଦଖଲ କରିବାର ମାଇଲଖୁଣ୍ଟ ନିଜ ନାମ‌ରେ କରିନେଇଛନ୍ତି। ସାମ୍‌ସୀ ଶନିବାର ଚଳିତ ବିଶ୍ବକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ୧୭ ରନ୍‌ ଦେଇ ୩ ୱିକେଟ୍‌ ଦଖଲ କରିଥିଲେ। ଏଥି ସହିତ ଚଳିତ ୨୦୨୧ ବର୍ଷରେ ସେ ନିଜର ମୋଟ ୱିକେଟ୍‌ ସଂଖ୍ୟା ୩୨ରେ ପହଞ୍ଚାଇ ଦେଇଛନ୍ତି। ଏହି କୀର୍ତ୍ତିମାନ ରଚିବା କ୍ଷେତ୍ରରେ ସାମ୍‌ସୀ ଉଗାଣ୍ଡାର ଦୀନେଶ ନାକ୍ରନି (୨୦୨୧) ଏବଂ ଅଷ୍ଟ୍ରେଲିଆର ଆଣ୍ଡରୁ ଟାଇ (୨୦୧୮)ଙ୍କୁ ପଛରେ ପକାଇ ଦେଇଛନ୍ତି। ଉଭୟ ନାକ୍ରନି ଏବଂ ଟାଇ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩୧ ଲେଖାଏଁ ୱିକେଟ୍‌ ଦଖଲ କରି କୀର୍ତ୍ତିମାନ ସେମାନଙ୍କ ନାମରେ ରଖିଥିଲେ। ସଂଯୋଗବଶତଃ ୨୦୨୧ରେ ସର୍ବାଧିକ ଟି-୨୦ ଆନ୍ତର୍ଜାତିକ ୱିକେଟ୍‌ ଦଖଲକାରୀଙ୍କ ମଧ୍ୟରୁ ସାମ୍‌ସୀ ଏକମାତ୍ର ବୋଲର ଭାବେ ଚଳିତ ଟି-୨୦ ବିଶ୍ବକପ୍‌ ଖେଳୁଛନ୍ତି। ଏଠାରେ ସୂଚନାଯୋଗ୍ୟ, ସାମ୍‌ସୀ ମଧ୍ୟ ଏବେ ଆଇସିସି ଟି-୨୦ ଆନ୍ତର୍ଜାତିକ ମାନ୍ୟତାରେ ଏକ ନମ୍ବର ବୋଲର ରହିଛନ୍ତି।

ସମ୍ବନ୍ଧିତ ଖବର