ମହିଳା କ୍ରିକେଟ: ୫ ଓ୍ଵିକେଟରେ ଦକ୍ଷିଣ ଆଫ୍ରିକା ବିଜୟୀ, ଶୃଙ୍ଖଳାରେ ଭାରତ ୨-୧ ଆଗରେ

ଜୋହାନେସବର୍ଗ: ସୁନ ଲସଙ୍କ ୪୧ ଓ ଡେନ ଓ୍ଵାନ୍‌ଙ୍କ ୨୬ ରନ୍‌ ବଳରେ ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ୩ୟ ଟି-୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍‌ରେ ଭାରତୀୟ ମହିଳା ଟିମ୍‌କୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ୧୯ ଓଭରରେ ୫ଟି ଓ୍ଵିକେଟ ହରାଇ ଲକ୍ଷ୍ୟ ପୂରା କରିଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ନେଇ ଅନେକ ଆଶାବାଦୀ ହୋଇ ପଡ଼ିଛି। ଅନ୍ୟ ପକ୍ଷରେ ଭାରତ ୫ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ୨-୧ ଆଗରେ ଅଛି।

ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତୀୟ ଟିମ୍‌ ୧୭.୫ ଓଭରରେ ୧୩୩ ରନ୍‌ରେ ସମସ୍ତ ଖେଳାଳିଙ୍କୁ ହରାଇଥିଲା। ଏଥି ସହିତ ଭ୍ରମଣକାରୀ ଦଳ ଘରୋଇ ଟିମ୍‌କୁ ୧୩୪ ରନ୍‌ ଟାର୍ଗେଟ ଦେଇଥିଲା। ହରମନପ୍ରୀତ କୌର ସବୋର୍ଚ୍ଚ ୩୦ଟି ବଲରେ ୪୮ ରନ୍‌ ସଂଗ୍ରହ କରିଥିଲେ। ଏତଦ୍‌ ବ୍ୟତୀତ ସ୍ମୃତି ମନ୍ଧାନା ୨୪ଟି ବଲ ଖେଳି ୩୭ ରନ୍‌ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ଦ୍ରୁତ ବୋଲର ସବନମ୍‌ ଇସ୍ମାଇଲ ୩୦ ରନ ଦେଇ ୫ଟି ଓ୍ଵିକେଟ ନେଇଥିଲେ। ସେହିଭଳି ମାସବାତା କ୍ଲାସ ୨୦ ରନ ଦେଇ ୨ଟି ଓ୍ଵିକେଟ୍‌ ନେଇଥିଲେ।

ପ୍ରଥମ ଓଭରରେ ଅଭିଜ୍ଞ ମିତାଲି ରାଜ(୦) ପାଭଲିଅନ ଫେରିବା ପରେ ହରମନପ୍ରୀତ ଓ ସ୍ମୃତି ମନ୍ଧାନା ୨ୟ ଓ୍ଵିକେଟ ପାଇଁ ଦ୍ରୁତ ଗତିରେ ସ୍କୋରକୁ ୫୫ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ବାମହାତୀ ସ୍ପିନର ଡେନ ଓ୍ଵାନ୍‌ ନୀକର୍କ, ସ୍ମୃତିକୁ ମୋସେଲିନ ଡାନିଏଲସ୍‌ଙ୍କ ହାତରେ କ୍ୟାଚ ଦେଇଥିଲେ। ସ୍ମୃତି ୨୪ଟି ବଲରୁ ୫ଟି ଚୌକା ମାରିଥିଲେ।

ସମ୍ବନ୍ଧିତ ଖବର