ଜୋହାନେସବର୍ଗ : ଅନ୍ୟପଟୁ ୱିକେଟ୍ କୋଳି ଝଡ଼ିଲା ଭଳି ଝଡ଼ି ଚାଲିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫକର ଜମନ ଅବିଶ୍ବସନୀୟ ଓ ଅସାଧାରଣ ସାହସର ପରିଚୟ ଦେଇ ୧୯୩ ରନ୍‌ର ବିସ୍ଫୋରକ ଓ ସ୍ମରଣୀୟ ପାଳି ଖେଳିବା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଦିନିକିଆକୁ ପାକିସ୍ତାନ ୧୭ ରନ୍‌ରେ ହାରି ଯାଇଛି।

Advertisment

୩୪୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା‌ କରୁଥିବା ପାକିସ୍ତାନ ଏକଦା ୧୨୦ ରନ୍‌ରେ ୫ ୱିକେଟ୍ ହରାଇ ବୃହତ୍ ପରାଜୟ ବରଣ କରିବାର ଦ୍ବାର ଦେଶରେ ଥିଲା। ହେଲେ ଫକର ଏକାକି ଛକା, ଚୌକାର ବର୍ଷା କରି ପ୍ରଥମେ ଭ୍ରମଣକାରୀ ଦଳର ସ୍ଥିତି ସୁଧାରି ଥିଲେ। ତାପରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ସହ ମିଶି ନିଜ ଦଳକୁ ବିଜୟର ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ତେବେ ଶେଷ ଓଭରର ପ୍ରଥମ ବଲ୍‌ରେ ସେ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହେବା ପରେ ପାକିସ୍ତାନ ୩୨୪/୯ରେ ଅଟକି ଯାଇଥିଲା। ଦ୍ବିତୀୟ ରନ୍ ନେ‌ଲା ବେଳେ ସୀମା ରେଖା ପାଖରୁ ଏଦେନ ମର୍କରାମଙ୍କ ସିଧା ଥ୍ରୋ ଷ୍ଟମ୍ପ୍ସରେ ବାଜିବା ପରେ ତାଙ୍କ ତୋଫାନି ପାଳିର ଦୁଃଖଦ ଅନ୍ତ ଘଟିଥିଲା। ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଘରୋଇ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମାଙ୍କ ୯୨, କ୍ବିଣ୍ଟନ ଡି’କକ୍‌ଙ୍କ ୮୦, ରେସି ଭାନଡର ଦୁସାନଙ୍କ ୬୦ ଓ ଡେଭିଡ୍ ମିଲରଙ୍କ ୨୭ ବଲ୍ ୫୦ ରନ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୧ ରନ୍ କରିଥିଲା। ପରାଜିତ ଦଳରେ ଥିଲେ ମଧ୍ୟ ଫକରଙ୍କୁ ତାଙ୍କ ଅଦ୍ଭୂତପୂର୍ବ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ୩ ଟିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆକୁ ପାକିସ୍ତାନ ୭ ୱିକେଟ୍‌ରେ ଜିତିଥିଲା। ଦକ୍ଷିଣ ଆଫ୍ରିକା ଏବେ ଏହାକୁ ୧-୧ କରିଛି।

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ୩୪୧/୬ (ତେମ୍ବା ବଭୁମା ୯୨, କ୍ବିଣ୍ଟନ୍ ଡି’କକ୍ ୮୦, ରେସି ଭାନଡର ଦୁସାନ ୬୦, ଡେଭିଡ୍ ମିଲର ୫୦, ହାରିସ ରୌଫ ୩/୫୪)। ପାକିସ୍ତାନ ୩୨୪/୯ (ଫକର ଜମନ ୧୯୩, ବାବର ଆଜମ ୩୧, ଅନରିକ୍ ନର୍ଖିୟା ୩/୬୩, ଆନ୍ଦିଲ ଫେଲୁକ୍ବାଓ ୨/୬୭)।