ଚେଷ୍ଟର୍-ଲି-ଷ୍ଟ୍ରିଟ୍: ସେମିଫାଇନାଲ୍ ସୁଯୋଗକୁ ହାତଛଡ଼ା କରିବା ପରେ ଦକ୍ଷିଣ ଆଫ୍ରିକା ନିଜ ଦମ୍ ଦେଖାଇଛି। ୧୯୯୬ ବିଜେତା ଶ୍ରୀଲଙ୍କାକୁ ଶୁକ୍ରବାର ୯ ୱିକେଟ୍ରେ ଶୋଚନୀୟ ଭାବେ ପରାସ୍ତ କରି ସାନ୍ତ୍ବନାମୂଳକ ବିଜୟ ହାସଲ କରିଛି। ଅଷ୍ଟମ ମ୍ୟାଚ୍ରୁ ଫାପ୍ ଡୁ ପ୍ଲେସିସ୍ଙ୍କ ଦଳ ଦ୍ବିତୀୟ ବିଜୟ ପାଇଛି। ଅନ୍ୟପକ୍ଷରେ ଗତ ମ୍ୟାଚ୍ରେ ଇଂଲଣ୍ଡକୁ ହରାଇଥିବା ଶ୍ରୀଲଙ୍କା ଏହି ପରାଜୟ ସହିତ ସେମିଫାଇନାଲ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି। ଶ୍ରୀଲଙ୍କାର ଏହା ସପ୍ତମ ମ୍ୟାଚ୍ରୁ ତୃତୀୟ ପରାଜୟ। କିନ୍ତୁ ଦଳ ୬ ପଏଣ୍ଟ ପାଇଥିବାରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିନାହିଁ। ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭର୍ ସାଇଡ୍ ପଡିଆରେ ଖେଳାଯାଇଥିବା ଶୁକ୍ରବାର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। କାଗିସୋ ରବାଦା କିନ୍ତୁ ମ୍ୟାଚ୍ର ପ୍ରଥମ ବଲ୍ରେ ଶ୍ରୀଲଙ୍କା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଦିମୁଥ କରୁଣାରତ୍ନେଙ୍କୁ ଦ୍ବିତୀୟ ସ୍ଲିପ୍ରେ ଥିବା ଫାପ ଡୁ ପ୍ଲେସିସଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଏହା ପରେ କୁସାଲ ପେରେରା (୩୦, ୩୪ ବଲ, ୪ ଚୌକା) ଏବଂ ଅଭିସ୍କା ଫର୍ନାଣ୍ଡୋ (୩୦, ୨୯ ବଲ, ୪ ଚୌକା) ୬୬ ରନ୍ ଭାଗୀଦାରି କରିଥିଲେ ମଧ୍ୟ ପ୍ରଥମ ବୋଲିଂ ପରିବର୍ତନରେ ଆସିଥିବା ଡ୍ବାନ୍ ପ୍ରିଟୋରିୟସ୍ଙ୍କ ଦ୍ବାରା ପ୍ୟାଭିଲିଅନ୍ ଫେରିଥିଲେ। ପେରେରା ବୋଲଡ୍ ହୋଇଥିବା ବେଳେ ଫାପ ଡୁ ପ୍ଲେସିସ୍ ନେଇଥିଲେ ତାଙ୍କ ଦ୍ବିତୀୟ କ୍ୟାଚ୍। କିଛି ସମୟ ପରେ ଆଞ୍ଜେଲୋ ମାଥ୍ୟୁସ (୧୧)ଙ୍କୁ କ୍ରିସ୍ ମୋରିସ୍ ବୋଲଡ୍ କରି ଦେଇଥିଲେ। କୁସାଲ ମେଣ୍ଡିଜ୍ (୨୩)ଙ୍କୁ ପ୍ରିଟୋରିୟସ୍ ନିଜ ତୃତୀୟ ଶିକାର କରିନେବାରୁ ଶ୍ରୀଲଙ୍କା ୧୧୧/୫ରେ ସଂଘର୍ଷ କରିଥିଲା। ଏହା ପରେ କିଛି ଛୋଟ ଛୋଟ ଅବଦାନ ବଳରେ ହିଁ ଶ୍ରୀଲଙ୍କା ୨୦୩ ରନ୍ କରି ୩ ବଲ୍ ପୂର୍ବରୁ ସମସ୍ତ ୱିକେଟ୍ ହରାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡ୍ବାନ୍ ପ୍ରିଟୋରିୟସ୍-କ୍ରିସ୍ ମୋରିସ୍ ୩-୩, କାଗିସୋ ରାବାଦା ୨ ୱିକେଟ୍ ନେଇଥିଲେ। ଆନ୍ଦିଲ ଫେଲୁକ୍ବାୟୋ ଏବଂ ଜେପି ଡୁମିନି ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।
ଜବାବରେ ସଂଘର୍ଷରତ କ୍ବିଣ୍ଟନ୍ ଡି’କକ୍ (୧୫, ୧୬ ବଲ)ଙ୍କୁ ଲସିଥ୍ ମାଲିଙ୍ଗା ପଞ୍ଚମ ଓଭରରେ ବୋଲଡ୍ କରି ଦେଇଥିଲେ। ଏହା ପରେ କିନ୍ତୁ ଅଭିଜ୍ଞ ହାସିମ୍ ଆମଲା ଏବଂ ଅଧିନାୟକ ଫାପ ଡୁ ପ୍ଲେସିସ୍ ଶତକୀୟ ଭାଗୀଦାରି କରି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ଡୁ ପ୍ଲେସିସ୍ ୧୦୩ ବଲ୍ ଖେଳି ୧୦ ଚୌକା ଓ ୧ ଛକା ବଳରେ ୯୬* ରନ୍ ଏବଂ ଆମଲା ୧୦୫ ବଲ୍ ଖେଳି ୫ ଚୌକା ବଳରେ ୮୦* ରନ୍ କରିଥିଲେ। ଉଭୟ ଅତୁଟ ଦ୍ବିତୀୟ ୱିକେଟ୍ ପାଇଁ ୧୯୫ ବଲରୁ ୧୭୫* ରନ୍ କରିଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର କିନ୍ତୁ ଦ୍ରୁତ ବୋଲର ପ୍ରିଟୋରିୟସ୍ (୧୦-୨-୨୫-୩)ଙ୍କୁ ମିଳିଥିଲା।