ଭାରତ ଶୃଙ୍ଖଳା ପାଇଁ ଓଲିଭରଙ୍କୁ ଡାକିଲା ଦକ୍ଷିଣ ଆଫ୍ରିକା

ଜୋହାନେସବର୍ଗ: ଭାରତ ବିପକ୍ଷ ବହୁ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ଲାଗି ଦ୍ରୁତ ବୋଲର ଦୁଆନେ ଓଲିଭରଙ୍କୁ ଦକ୍ଷିଣ ଆଫ୍ରିକା ନିଜ ଦଳରେ ସାମିଲ କରିଛି। ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ୨୯ ବର୍ଷୀୟ ଓଲିଭରଙ୍କୁ ତା’ର ୨୧ ଜଣିଆ ଦଳରେ ନେଇଛି। କୋଭିଡ୍-୧୯ କଟକଣା ଓ ସତର୍କତା ପାଇଁ ଏହି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଘରୋଇ ଦଳ ନିର୍ଦ୍ଧାରିତ ୧୫ ଜଣିଆ ଦଳ ପରିବର୍ତ୍ତେ ଅଧିକ ୬ ଜଣ ଖେଳାଳିଙ୍କୁ ‌ରଖିଛି। ଯାହାଫଳରେ ଓଲିଭରଙ୍କ ଟେଷ୍ଟ୍ କ୍ୟାରିୟରକୁ ନୂଆ ଜୀବନ ମିଳିଛି।

ଓଲିଭର ୧୦ ଟେଷ୍ଟ୍ ଖେଳି ୪୮ ୱିକେଟ୍ କରାୟତ୍ତ କରିଛନ୍ତି। ହେଲେ ୨୦୧୯ ମସିହାରେ ଇଂଲିସ୍ କାଉଣ୍ଟି କ୍ଲବ୍ ୟର୍କସାୟାରରେ ଯୋଗଦେବା ପରେ ତାଙ୍କ ଟେଷ୍ଟ୍ କ୍ୟାରିୟର ଶେଷ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଚଳିତବର୍ଷ ଦକ୍ଷିଣ ଆଫ୍ରିକା ଫେରି ୧୧ ଚାରି ଦିନିଆ ପ୍ରଥମ ଶ୍ରେଣୀ ମୁକାବିଲାରେ ୨୮ ୱିକେଟ୍ ଅକ୍ତିଆର କରିବା ପରେ ଘରୋଇ ଚୟନକର୍ତ୍ତା ତାଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି। ସେହିଭଳି ଦ୍ରୁତ ବୋଲର ଗ୍ଲେଣ୍ଟନ୍ ଷ୍ଟରମ୍ୟାନ୍, ଡାହାଣହାତୀ ଅଫ୍ ବ୍ରେକ୍ ବୋଲର ପ୍ରିନିଲାନ୍ ସୁବ୍ରାୟେନ୍‌ଙ୍କ ସହ ଅଲରାଉଣ୍ଡର ସିସାନ୍ଦ ମଗଲା ଓ ବାମହାତୀ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ରିୟାନ୍ ରିକେଲଟନ୍ ମଧ୍ୟ ସୁଯୋଗ ପାଇଛନ୍ତି। ଡିନ୍ ଏଲଗାରଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ ଯେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍ ଡିସେମ୍ବର ୨୬ରୁ ପ୍ରିଟୋରିଆର ସେଞ୍ଚୁରିଅନ ପାର୍କରେ ଖେଳାଯିବ। ସେହିଭଳି ଦ୍ବିତୀୟ ଟେଷ୍ଟ୍ ଜୋହା‌ନେସବର୍ଗର ୱାଣ୍ଡରର୍ସରେ ଜାନୁଆରି ୩ରୁ ୭ ଏବଂ ତୃତୀୟ ତଥା ଶେଷ ଟେଷ୍ଟ୍ ଜାନୁଆରି ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ କେପଟାଉନର ନ୍ୟୁଲାଣ୍ଡ୍ସଠାରେ ଖେଳାଯିବ। ଏହା ପରେ ଦୁଇ ଦଳ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଖେଳିବେ। ଏହି ଶୃଙ୍ଖଳା ଜାନୁଆରି ୧୯ରୁ ଆରମ୍ଭ ହେବ।

ଦକ୍ଷିଣ ଆଫ୍ରିକା ଦଳ
ଡିନ୍ ଏଲଗାର (ଅଧିନାୟକ), ତେମ୍ବା ବଭୁମା (ଉପଅଧିନାୟକ), କ୍ବିଣ୍ଟନ୍ ଡି’କକ୍, କାଗିସୋ ରବାଦା, ସାରେଲ ଏରୱି, ବିୟୁରାନ୍ ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ, କେଶବ ମହାରାଜ, ଲୁଙ୍ଗି ଏନଗିଡ଼ି, ଏଦେନ ମର୍କରାମ, ୱିଆନ୍ ମଲଡର, ଅନରିକ୍ ନର୍ଖିୟା, କିଗାନ ପିଟରସନ୍, ରାସି ଭାନଡର ଦୁସେନ, କାଇଲ ଭେରିନେ, ମା‌ର୍କୋ ଜାନସେନ, ଗ୍ଲେଣ୍ଟନ ଷ୍ଟରମ୍ୟାନ୍, ପ୍ରେନିଲାନ୍ ସୁବ୍ରୟେନ୍, ସିସାନ୍ଦା ମଗଲା, ରିୟାନ୍ ରିକେଲଟନ୍, ଦୁଆନେ ଓଲିଭର।

ଭାରତ ପାଇଁ ‘ପ୍ରଚୁର’ ସମସ୍ୟା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ପାଇଁ ଏକ ସୁଖଦ ମୁଣ୍ଡବିନ୍ଧା ଅପେକ୍ଷା କରି ରହିଛି। କାରଣ ଦଳକୁ ଏକାଧିକ ବରିଷ୍ଠ ଖେଳାଳି ଫେରିବାର ଥିଲା ବେଳେ ସେମାନଙ୍କ ସ୍ଥାନ ନେଇଥିବା ଯୁବ ତାରକାମାନେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏଣୁ ଚୂଡ଼ାନ୍ତ ଦଳରେ କାହାକୁ ଖେଳାଇବେ? କିଏ ବାଦ ପଡ଼ିବ? ସେ ଚିନ୍ତା କୋହଲିଙ୍କୁ ଘାରିଛି। ସେହିଭଳି ରୋହିତ ଶର୍ମା, ଋଷଭ ପନ୍ତ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଭଳି ଖେଳାଳି ଫେରିବା ପରେ ଦଳରୁ କାହାକୁ ବାଦ୍ ଦେବେ? କାହାକୁ ରଖିବେ? ସେ କଥା ମଧ୍ୟ ଚୟନକର୍ତ୍ତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ହେବାକୁ ଯାଉଛି। ଏକଥା କୋହଲି ମଧ୍ୟ ସ୍ବୀକାର କରିଛନ୍ତି। ପ୍ରଚୁର ବିକଳ୍ପ ଥିବାରୁ ଏହାକୁ ସେ ‘ସୁସ୍ଥ ମୁଣ୍ଡବିନ୍ଧା’ ଭାବେ ବର୍ଣ୍ଣନା କରିଛନ୍ତି। ‘‘ଏକଥା ଆମକୁ ଏବେ ଚୟନକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ହେବ।

ଏଭଳି ମୁଣ୍ଡବିନ୍ଧା ସ୍ବାସ୍ଥ୍ୟ ପାଇଁ ଭଲ। ଆମ ମନରେ ଏଥିନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଭଳି ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା ଖେଳିବା ପୂର୍ବରୁ ଆପଣ କଣ କରିବାକୁ ଚାହୁଁଛନ୍ତି, ସେଥି ନେଇ ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ବି ନୁହେଁ। ଯୁବ ଖେଳାଳିମାନେ ଟେଷ୍ଟ୍‌ କ୍ରିକେଟ୍‌ରେ ଭଲ ଖେଳିବା ଲାଗି ଦେଖାଇଥିବା ଭୋକ ମୋତେ ବହୁତ ଖୁସି ଦେଇଛି। ଟେଷ୍ଟ୍ କ୍ରିକେଟ୍ ଖେଳିବା ଲାଗି ଆପଣଙ୍କ ମନରେ ଅସୀମ ଏକାଗ୍ରତା ଓ ପ୍ରଗାଢ଼ ଭଲପାଇବା ରହିବା ଦରକାର। ଏଭଳି ଭାବନା ରଖିଥିବା ଅନେକ ଲୋକ ଚାରିପଟେ ଥିବାରୁ ଭାରତୀୟ ଟେଷ୍ଟ୍ କ୍ରିକେଟ୍ ଏବେ ସୁରକ୍ଷିତ ହାତରେ ରହିଛି’’‌ ବୋଲି କହିଥିଲେ କୋହଲି।

ଦଳରେ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନ ନେଇ ମଧ୍ୟ ଏହି ଅବସରରେ ନିଜ ଅଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ କୋହଲି। ‘‘ମୁଁ ତାଙ୍କ ଫର୍ମକୁ ବିଚାର କରି ପାରିବି ନାହିଁ। କେହି ବି ଏହା କରି ପାରିବେ ନାହିଁ। କେବଳ ସେ ହିଁ ଜାଣିଛନ୍ତି ସେ କେଉଁ ସ୍ଥିତିରେ ଅଛନ୍ତି। ଏହି ମୁହୂର୍ତ୍ତରେ କିନ୍ତୁ ଆମେ ତାଙ୍କୁ ନୈତିକ ସମର୍ଥନ ଦେବା ଉଚିତ’’ ବୋଲି ମତ ରଖିଥିଲେ ସେ।

ସମ୍ବନ୍ଧିତ ଖବର