କରାଚି: ୧୪ ବର୍ଷ ପରେ ପ୍ରଥମ ଥର ଲାଗି ପାକିସ୍ତାନ ଗସ୍ତ କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ। ପାକିସ୍ତାନ ସହ ୨ଟି ଟେଷ୍ଟ୍ ଏବଂ ତିନିଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବା ପାଇଁ ଶନିବାର ଏହି ଦଳ କରାଚିରେ ଓହ୍ଲାଇଛି। ପ୍ରଥମ ଟେଷ୍ଟ୍ କରାଚିରେ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ଦ୍ବିତୀୟ ଟେଷ୍ଟ୍ ରାୱଲପିଣ୍ଡିରେ ଫେବ୍ରୁଆରି ୪ରୁ ଖେଳାଯିବା ପରେ ତିନିଟିଯାକ ଟି-୨୦ ଯଥାକ୍ରମେ ଫେବ୍ରୁଆରି ୧୧, ୧୩ ଓ ୧୪ ତାରିଖରେ ଲାହୋରରେ ହିଁ ଖେଳାଯିବ। ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ୨୦୦୭ରେ ପାକିସ୍ତାନ ଗସ୍ତ କରିଥିଲା।
ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ ଡି’ କକ୍ଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଦଳକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଦ୍ବାରା ନିୟୋଜିତ ଉଚ୍ଚ ସ୍ତରର ସୁରକ୍ଷା ବ୍ୟବସ୍ଥା ଭିତରେ ବିମାନ ବନ୍ଦରରୁ ସ୍ବାଗତ କରାଯାଇଥିଲା। ଦକ୍ଷିଣ ଆଫ୍ରିକାର ୨୧ ଜଣିଆ ଦଳ ଜୋହାନେସ୍ବର୍ଗ ଛାଡ଼ିବା ପୂର୍ବରୁ ୨ ଥର କୋଭିଡ୍ ପରୀକ୍ଷା ଦେଇଥିଲା। ସେଥିରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏବେ କରାଚି ପହଞ୍ଚିବା ପରେ ପୁଣି ଥରେ ପରୀକ୍ଷା ଦେବେ। ପ୍ରଥମ ରାଉଣ୍ଡ୍ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦଳ ବ୍ୟକ୍ତିଗତ ସଂଗରୋଧରେ ରହିବେ। ରିପୋର୍ଟ ନେଗେଟିଭ୍ ଆସିଲେ ରହୁଥିବା ହୋଟେଲ ନିକଟସ୍ଥ ପଡ଼ିଆରେ ପ୍ରଶିକ୍ଷଣ ଆରମ୍ଭ କରିବେ ବୋଲି ପିସିବି ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଫ୍ରିକା ପ୍ରଶିକ୍ଷକ ମାର୍କ ବୌଚର ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକଟ କରିଛନ୍ତି।
ଦକ୍ଷିଣ ଆଫ୍ରିକା ଦଳ: କ୍ବିଣ୍ଟନ ଡି’କକ୍ (ଅଧିନାୟକ), ତେମ୍ବା ବଭୂମା, ଏଡେନ୍ ମର୍କରାମ, ଫାଫ୍ ଡୁ’ପ୍ଲେସିସ୍, ଡିନ୍ ଏଲ୍ଗାର, କାଗିସୋ ରବାଦା, ଡ୍ବେନ୍ ପ୍ରିଟୋରିଅସ୍, କେଶବ ମହାରାଜ, ଲୁଙ୍ଗି ଏନ୍ଗିଡ଼ି, ରାସି ଭାନ୍ ଡେର୍ ଦୁସାନ, ଅନ୍ରିକ୍ ନର୍ଖିୟା, ୱିଆନ୍ ମୁଲ୍ଡର, ଲୁଥୋ ସିପାମ୍ଲା, ବିଉରନ୍ ହେଣ୍ଡ୍ରିକ୍ସ, କାଇଲ ଭେରିୟେନ୍, ସାରେଲ ଇର୍ୱି, କିଗାନ୍ ପିଟରସନ୍, ତାବ୍ରେଜ୍ ସାମ୍ସି, ଜର୍ଜ ଲିଣ୍ଡେ, ଡାରିନ୍ ଦୁପାଭିଲନ୍ ଓ ମାର୍କୋ ଜାନ୍ସେନ୍।
ପାକିସ୍ତାନର ୨୦ ଜଣିଆ ଦଳ
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଶୁକ୍ରବାର ପାକିସ୍ତାନର ଏକ ୨୦ ଜଣିଆ ଦଳ ଘୋଷିତ ହୋଇଛି। ପାକିସ୍ତାନ କ୍ରିକେଟ୍ର ନୂଆ ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ୱାସିମ୍ ଟେଷ୍ଟ୍ ଦଳ ଘୋଷଣା କରିଛନ୍ତି। ତେବେ ଗୋଟିଏ ସପ୍ତାହ ପରେ ଦଳର ଆକାର ୧୬ ଜଣିଆକୁ ହ୍ରାସ ପାଇବ ବୋଲି କହିଛନ୍ତି। ଦଳ ଘୋଷଣା ପୂର୍ବରୁ ଅଧିନାୟକ ବାବର ଆଜମ୍, ମୁଖ୍ୟ ପ୍ରଶିକ୍ଷକ ମିସ୍ବା ଉଲ୍ ହକ୍ ଏବଂ ପ୍ରୋଭିନ୍ସିଆଲ୍ ଦଳଗୁଡ଼ିକର ମୁଖ୍ୟ ପ୍ରଶିକ୍ଷକଙ୍କ ସହ ପରାମର୍ଶ କରିଥିଲି ବୋଲି କହିଛନ୍ତି ୱାସିମ୍। ନିକଟରେ ଶେଷ ହୋଇଥିବା ନ୍ୟୁଜିଲାଣ୍ଡ୍ ଗସ୍ତ ସାଙ୍ଗକୁ ଘରୋଇ ପ୍ରତିଯୋଗିତା କ୍ବେଦ୍ ଇ ଆଜମ୍ ଟ୍ରଫିରେ ଭଲ ପ୍ରଦର୍ଶନ ଦେଇଥିବା ଖେଳାଳିଙ୍କୁ ଦଳରେ ଅଗ୍ରାଧିକାର ଦିଆଯାଇଛି ବୋଲି ସେ କହିଛନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି, ଘରୋଇ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିଥିବା ସ୍ପିନର ନୌମନ ଅଲ୍ଲୀ, ବ୍ୟାଟ୍ସମ୍ୟାନ୍ ସୌଦ୍ ସକିଲ, କମ୍ରାନ୍ ଗୁଲାମ୍ ପ୍ରାଥମିକ ୨୦ ଜଣିଆ ଦଳରେ ସାମିଲ ହୋଇଛନ୍ତି।
ଦଳ: ଆବିଦ୍ ଅଲ୍ଲୀ, ଅବ୍ଦୁଲ୍ଲା ସଫିକ୍, ଇମ୍ରାନ୍ ବଟ୍ଟ, ଆଝାର ଅଲ୍ଲୀ, ବାବର ଆଜମ୍ (ଅଧିନାୟକ), ଫୱାଦ ଆଲାମ୍, କମ୍ରାନ୍ ଗୁଲାମ, ସଲ୍ମାନ ଅଲ୍ଲୀ ଆଘା, ସୌଦ୍ ସକିଲ, ଫହିମ୍ ଅସ୍ରଫ୍, ମହମ୍ମଦ ନୱାଜ, ମହମ୍ମଦ ରିଜ୍ୱାନ, ସର୍ଫରାଜ ଅହମ୍ମଦ, ନୌମନ ଅଲ୍ଲୀ, ସାଜିଦ୍ ଖାନ୍, ୟାସିର୍ ଶାହ, ହାରିସ୍ ରଫ୍, ହାସନ୍ ଅଲ୍ଲୀ, ସାହିନ ଶାହ ଆଫ୍ରିଦି, ତାବିସାନ୍ ଖାନ୍।