ବାଂଲା ବୋଲର ନୟାନ୍ତ; ଦକ୍ଷିଣ ଆଫ୍ରିକା ୪୨୮/୩

ଏଲ୍‌ଗାର, ମର୍କରାମଙ୍କ ଶତକ

ବ୍ଲୋଏମ୍‌ଫୋଣ୍ଟିନ୍‌: ବାଂଲାଦେଶ ବୋଲରଙ୍କୁ ନୟାନ୍ତ କରି ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡିନ୍‌ ଏଲ୍‌ଗାର ଓ ଆଦେନ୍‌ ମର୍କରାମ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର୍‌ ଦିଗରେ ଅଗ୍ରସର କରାଇଛନ୍ତି। ଏଲ୍‌ଗାର ଓ ମର୍କରାମ୍‌ ନିଜ ନିଜର ଶତକ ଜମାଇବା ସହିତ ପ୍ରଥମ ଓ୍ଵିକେଟ୍‌ରେ ୨୪୩ ରନ୍‌ ଯୋଡ଼ିଥିଲେ। ଫଳରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୯୦ ଓଭର ଖେଳି ୩ ଓ୍ଵିକେଟ୍‌ ବିନିମୟରେ ୪୨୮ ରନ୍‌ କରି ଦୃଢ଼ ସ୍ଥିତି ପାଇଯାଇଛି। ଏଲ୍‌ଗାର ୧୧୩ ଓ ମର୍କରାମ ୧୪୩ ରନ୍‌ କରି ପାଭିଲିୟନ୍‌ ଫେରି ଯାଇଥିଲା ବେଳେ ଟେମ୍ବା ବଭୂମା (୭) ବେଶି ସମୟ ତିଷ୍ଠି ପାରିନଥିଲେ। ହେଲେ ହାସିମ୍‌ ଆମ୍‌ଲା (୮୯) ଓ ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ (୬୨) ନିଜ ନିଜର ଅର୍ଧଶତକ ପୂରଣ କରି ଅପରାଜିତ ରହିଛନ୍ତି। ଦୁହେଁ ମଧ୍ୟ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୧୪୦ ରନ୍‌ ଯୋଡ଼ିଛନ୍ତି। ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ଯୋଡ଼ି ଭାଙ୍ଗିଥିବା ଶୁଭାଶିଷ ରୟ ବାଂଲାଦେଶ ପକ୍ଷରୁ ୨ଟି ଓ ରୁବେଲ୍‌ ହୋସେନ୍‌ ଗୋଟିଏ ଓ୍ଵିକେଟ୍‌ ନେଇଛନ୍ତିି।

ସମ୍ବନ୍ଧିତ ଖବର