‘ସ୍ବେଚ୍ଛାକୃତ ସଙ୍ଗରୋଧ’ରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ

ଜୋହାନେସବର୍ଗ: କରୋନା ଭୂତାଣୁ ସଂକ୍ରମଣ ଭୟରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳାକୁ ଅଧାରୁ ବାତିଲ କରି ଦିଆଯାଇଥିଲା। ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆକୁ ବର୍ଷା ଧୋଇ ନେବା ପରେ ଲକ୍ଷ୍ନୌ ଓ କୋଲକାତାରେ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ଓ ତୃତୀୟ ଦିନିକିଆ ନଖେଳି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ସ୍ବଦେଶ ଫେରି ଯାଇଥିଲା। ଜୋହାନେସବର୍ଗ ପହଞ୍ଚିବା ପରେ ନିଜ ଖେଳାଳିମାନଙ୍କୁ ସ୍ବେଚ୍ଛାକୃତ ସଙ୍ଗରୋଧ ବା ସେଲ୍ଫ କ୍ବାରେଣ୍ଟିନ୍‌ରେ ଯିବାକୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ନିର୍ଦେଶ ଦେଇଛି। ବୋର୍ଡର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ସୁଏବ ମଞ୍ଜରା ଏକଥା ସ୍ପଷ୍ଟ କରିଛନ୍ତି। ‘‘ଆମେ ‌ଖେଳାଳିମାନଙ୍କୁ ଅନ୍ୟୁନ ୧୪ ଦିନ ପର୍ଯ୍ୟନ୍ତ ଘର ଭିତରେ ରହିବାକୁ କହିଛୁ। ସମୟକ୍ରମେ ସେମାନଙ୍କର କରୋନା ସଂକ୍ରମଣ ପରୀକ୍ଷା କରାଯିବ। ପରିବାର ଓ ସାଙ୍ଗ ସାଥୀଙ୍କଠାରୁ ଦୂରେଇ ରହିବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ସ୍ବେଚ୍ଛାକୃତ ସଙ୍ଗରୋଧ ବେଳେ ଯେଉଁ ଖେଳାଳିଙ୍କ ଶରୀରରେ କରୋନା ସଂକ୍ରମଣ ହୋଇଥିବାର ଲକ୍ଷଣ ଦେଖାଯିବ, ସେମାନଙ୍କୁ ସ୍ବତନ୍ତ୍ର ଡାକ୍ତରଖାନାରେ ରଖି ଚିକିତ୍ସା କରାଯିବା’’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର