ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ

କାର୍ଡିଫ୍‌: ଚଳିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଶେଷରେ ବିଜୟର ସ୍ବାଦ ଚାଖିଛି। ପ୍ରଥମ ତିନିଟି ମ୍ୟାଚ୍ ହାରିବା ଏବଂ ଚତୁର୍ଥ ମୁକାବିଲାକୁ ବର୍ଷା ଧୋଇନେବା ପରେ ପଞ୍ଚମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଶନିବାରର ବର୍ଷା ପ୍ରଭାବିତ ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୧୨୫ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଡକୱର୍ଥ/ଲୁଇସ୍ ନିୟମରେ କିନ୍ତୁ ୪୮ ଓଭରରୁ ୧୨୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଦକ୍ଷିଣ ଆଫ୍ରିକା ଏହାକୁ ଗୋଟିଏ ୱିକେଟ୍ ହରାଇ ହାସଲ କରି ନେଇଥିଲା। କେବଳ କ୍ବିଣ୍ଟନ୍ ଡି’ କକ୍ (୬୮) ଆଉଟ୍ ହୋଇଥିଲେ। ହାସିମ ଆମଲା (୪୧*) ଓ ଆନ୍ଦିଲ ଫେଲୁକ୍ବାଓ (୧୭*) ଅବିଭାଜିତ ଦ୍ବିତୀୟ ୱିକେଟ୍‌ରେ ୨୭ ଯୋଡ଼ି ବିଜୟ ମୁଣ୍ଡି ମାରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଥିବା ଆଫ୍‌ଗାନିସ୍ତାନର ପ୍ର‌ାରମ୍ଭିକ ଦୁଇ ବ୍ୟାଟ୍ସମ୍ୟାନ୍‌ ହଜରତୁଲ୍ଲା ଜଜାଇ (୨୨) ଏବଂ ନୁର ଅଲ୍ଲୀ ଜର୍ଦାନ (୩୨) ଭଲ ଆରମ୍ଭ କରିଥିଲେ। ଏହି ଦୁଇ ଜଣଙ୍କୁ ୫୬ ରନ୍‌ରେ ହରାଇବା ପରେ ଆଫ୍‌ଗାନିସ୍ତାନର ପତନ ଆରମ୍ଭ ହୋଇଥିଲା। ଶେଷ ସମୟରେ ରସିଦ ଖାନ୍‌ (୩୬ ରନ୍‌, ୨୫ ବଲ୍‌, ୬ ଚୌକା)ଙ୍କ ଧୁଆଁଧାର ପାଳି ଯୋଗୁଁ ଦଳ ୧୦୦ ରନ୍‌ ଟପିବାକୁ ସମର୍ଥ ହୋଇଥିଲା। ଏହି ତିନି ଜଣଙ୍କ ଛଡ଼ା ଅନ୍ୟ କୌଣସି ବ୍ୟା‌ଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲେଗ୍‌ସ୍ପିନର ଇମ୍ରାନ ତାହିର ୪/୨୯, ଦ୍ରୁତ ବୋଲର କ୍ରିସ୍‌ ମୋରିସ ୩/୧୩, ଆନ୍ଦିଲେ ଫେଲୁକ୍ବାଓ ୨/୧୮ ବୋଲିଂ ସଫଳତା ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ଆଫଗାନିସ୍ତାନ ୩୪.୧ ଓଭରରେ ୧୨୫ (ରସିଦ ଖାନ୍ ୩୫, ନୁର ଅଲ୍ଲୀ ଜର୍ଦାନ ୩୨, ହଜରତୁଲ୍ଲା ଜଜାଇ ୨୨, ଇମ୍ରାନ ତାହିର ୪/୨୯, କ୍ରିସ୍ ମୋରିସ୍ ୩/୧୩)। ଦକ୍ଷିଣ ଆଫ୍ରିକା ୨୮.୪ ଓଭରରେ ୧୩୧/୧ (ଡି/ଏଲ୍ ଲକ୍ଷ୍ୟ ୪୮ ଓଭରରେ ୧୨୭, କ୍ବିଣ୍ଟନ୍ ଡି’ କକ୍ ୬୮, ହାସିମ ଅମଲା ୪୧*, ଆନ୍ଦିଲ ଫେଲୁକ୍ବାଓ ୧୭*, ଗୁଲବଦିନ ନୈବ ୧/୨୯)।

ସମ୍ବନ୍ଧିତ ଖବର