ଗୁଆହାଟୀ: ଅଧିନାୟିକା ଲୌରା ଓଲ୍ଭର୍ଟଙ୍କ ଶତକ ଏବଂ ମାରିଜାନ୍ କାପ୍ଙ୍କ ୫ ୱିକେଟ୍ ସଫଳତା ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଥର ଲାଗି ମହିଳା ବିଶ୍ବକପ୍ର ଫାଇନାଲ୍ରେ ପହଞ୍ଚାଇଛି। ବୁଧବାର ଏଠାରେ ଖେଳାଯାଇଥିବା ଚଳିତ ବିଶ୍ବକପ୍ର ପ୍ରଥମ ସେମିଫାଇନାଲ୍ରେ ୪ ଥରର ବିଜେତା ଇଂଲଣ୍ଡକୁ ଏହି ଦଳ ୧୨୫ ରନ୍ରେ ହରାଇ ଦେଇଛି। ଏଥିସହ ଓଲ୍ଭର୍ଟଙ୍କ ଦଳ ଲିଗ୍ ପର୍ଯ୍ୟାୟର ପ୍ରତିଶୋଧ ମଧ୍ୟ ଇଂଲଣ୍ଡଠୁ ନେଇଛି। ବୁଧବାର ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ଅଧିନାୟିକା ଓଲ୍ଭର୍ଟଙ୍କ ଧମାକାଦାର ୧୬୯ ରନ୍ (୧୪୩ ବଲ୍, ୨୦ ଚୌକା, ୪ ଛକା) ବଳରେ ୩୧୯/୭ କରିଥିଲା।
ଓଲ୍ଭର୍ଟଙ୍କ ବାଦ୍ ତଞ୍ଜିମ ବ୍ରିଟ୍ସ ୪୫, ମାରିଜାନ କାପ୍ ୪୨ ଓ ଚ୍ଲୋଏ ଟ୍ରିଅନ୍ ୩୩* ରନ୍ର ଉପଯୋଗୀ ପାଳି ଖେଳିଥିଲେ। ଇଂଲଣ୍ଡର ସୋଫିଆ ଏସେଲଷ୍ଟୋନ୍ ୪ ୱିକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ପ୍ରଥମ ୭ ବଲ୍ ଭିତରେ ମାତ୍ର ୧ ରନ୍ରେ ୩ ୱିକେଟ୍ ହରାଇ ପାରିମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମଧ୍ୟଭାଗରେ ଅଧିନାୟିକା ନାଟ୍ ଶ୍ଚିଭର-ବ୍ରଣ୍ଟ୍ (୬୪), ଆଲିସ୍ କାପ୍ସି (୫୦) ଓ ଡାନି ୱାଟ୍ ହଜ୍ (୩୩) ଲଢ଼ିଥିଲେ। ହେଲେ ଏହା ଇଂଲଣ୍ଡ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନଥିଲା। ଦକ୍ଷିଣ ଅଫ୍ରିକା ତରଫରୁ କାପ୍ (୫/୨୦)ଙ୍କ ବାଦ୍ ନାଦିନେ ଡି’କ୍ଲର୍କ ୨ ଏବଂ ଆୟାବୋଙ୍ଗା ଖାକା, ନନ୍ଦିନେକୁଲୁଲେକୋ ଏମ୍ଲାବା ଓ ସୁନେ ଲୁସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଓଲ୍ଭର୍ଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/gjdgjdgjcbn-2025-10-30-01-49-15.jpg)
