କଲମ୍ବୋ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ଦ୍ବାରରେ ପହଞ୍ଚିଯାଇଛି। ଶୁକ୍ରବାର ଏହି ଦଳ ଘରୋଇ ଶ୍ରୀଲଙ୍କାକୁ ୧୦ ୱିକେଟ୍ରେ ପରାସ୍ତ କରି ଟାଇଟଲ୍ ଦିଗରେ ଆଉ ପାଦେ ଅଗ୍ରସର ହୋଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଶ୍ରୀଲଙ୍କା ୨୦ ଓଭରରେ ୭ ୱିକେଟ୍ ହରାଇ ୧୦୫ ରନ୍ କରିଥିଲା। ଘରୋଇ ଦଳ ପାଇଁ ଭୀଷ୍ମୀ ଗୁଣରତ୍ନେ ସର୍ବାଧିକ ୩୪ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନନ୍କୁଲୁଲେକୋ ମଲାବା (୩/୩୦) ଓ ମାସାବାତା କ୍ଲାସ୍ (୨/୧୮) ସଫଳ ବୋଲର ଥିଲେ। ପୂର୍ବରୁ ଶ୍ରୀଲଙ୍କା ୧୨ ଓଭରରେ ୪୬/୨ରେ ଥିବାବେଳେ ବର୍ଷା ବାଧା ଆଣିଥିଲା ଏବଂ ଏହି ସମୟରେ ମ୍ୟାଚ୍କୁ ୨୦ ଓଭର ବିଶିଷ୍ଟ ନିର୍ଦ୍ଧାରିତ କରାଯିବାରୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଡିଏଲ୍ଏସ୍ ସୂତ୍ର ଅନୁସାରେ ୧୨୧ ରନ୍ ଲକ୍ଷ୍ୟ ରଖାଯାଇଥିଲା।
ନିଜ ପ୍ରଥମ ମ୍ୟାଚ୍ ହାରିଯିବା ପରେ ଜବରଦସ୍ତ ଲୟରେ ଥିବା ପ୍ରୋଟିଆ ଦଳ ଅଧିନାୟିକା ଲୌରା ୱଲଭର୍ଟସ (୪୭ ବଲ୍ରୁ ୬୦* ରନ୍) ଓ ତାଜମିନ୍ ବ୍ରିଟ୍ସ (୪୨ ବଲ୍ରୁ ୫୫* ରନ୍)ଙ୍କ ପାଳି ବଳରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଦକ୍ଷିଣ ଆଫ୍ରିକା ୧୪.୫ ଓଭରରେ କୌଣସି ୱିକେଟ୍ ନ ହରାଇ ୧୨୫ ରନ୍ ସଂଗ୍ରହ କରି ନେଇଥିଲା। ପଞ୍ଚମ ମ୍ୟାଚ୍ରୁ ଦକ୍ଷିଣ ଆଫ୍ରିକା ଚତୁର୍ଥ ବିଜୟ ପାଇଥିବା ବେଳେ ଶ୍ରୀଲଙ୍କା ପଞ୍ଚମ ମ୍ୟାଚ୍ରୁ ତୃତୀୟ ପରାଜୟ ସହ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ୱଲଭର୍ଟସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।