ନୂଆଦିଲ୍ଲୀ : ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଗୋଟିଏ ମ୍ୟାଚ୍ ଶେଷ ହୋଇଥିଲା ବେଳେ ଆଉ ଦୁଇଟି ମ୍ୟାଚ୍ ଖେଳାଯିବ। ଆହତ ଯୋଗୁଁ ପ୍ରଥମ ମ୍ୟାଚ୍ ଖେଳିବାରୁ ବଞ୍ଚିତ ରହିଥିବା ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଅବଶିଷ୍ଟ ମ୍ୟାଚ୍ରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ତେଣୁ ଶୃଙ୍ଖଳାର ପରବର୍ତୀ ଦୁଇ ମ୍ୟାଚ୍ ପାଇଁ ତାଙ୍କ ସ୍ଥାନରେ ମହମ୍ମଦ ସିରାଜ୍ଙ୍କୁ ସାମିଲ କରାଯାଇଛି। ଗୁରୁବାର ବୁମ୍ରା ଏହି ଶୃଙ୍ଖଳା ସହିତ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ମଧ୍ୟ ବାଦ୍ ପଡ଼ିଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ଆସନ୍ତା ରବିବାର ଗୁଆହାଟୀରେ ଖେଳାଯିବ। ଏହା ପୁର୍ବରୁ ସର୍ବଭାରତୀୟ ଚୟନ କମିଟି ସିରାଜ୍ଙ୍କୁ ବୁମ୍ରାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରିଛି ବୋଲି ଶୁକ୍ରବାର ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି। ବୁମ୍ରା ଏବେ ବିସିସିଆଇ ଡାକ୍ତରୀ ଦଳର ତତ୍ତ୍ବାବଧାନରେ ରହିଛନ୍ତି। ୨୮ ବର୍ଷ ବୟସ୍କ ଡାହାଣ ହାତୀ ଦ୍ରୁତ ବୋଲର ସିରାଜ ଭାରତ ପାଇଁ ୫ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ ୱିକେଟ୍ ଦଖଲ କରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରିରେ ଶ୍ରୀଲଙ୍କା ବିପକ୍ଷରେ ଧର୍ମଶାଳାରେ ସେ ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲେ।