ପାକିସ୍ତାନ ଯିବାକୁ ମନାକଲା ଦକ୍ଷିଣ ଆଫ୍ରିକା

ଜୋହାନ୍‌ସବର୍ଗ: ଚଳିତ ବର୍ଷ ମାର୍ଚ୍ଚରେ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ଆଗ୍ରହ ଦେଖାଇଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଏବେ ଓହରିଯାଇଛି। ଖେଳାଳିଙ୍କ ଉପରୁ ଅତ୍ୟଧିକ ମ୍ୟାଚ୍‌ ବୋଝ ଲାଘବ କରିବା ଉଦ୍ଦେଶ୍ୟରେ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଏହି ନିଷ୍ପତ୍ତି ନେଇଛି। ବିଶେଷକରି ଦକ୍ଷିଣ ଆଫ୍ରିକା ଦଳ ମାର୍ଚ୍ଚରେ ଭାରତ ଗସ୍ତ କରିବାକୁ ଥିବାରୁ ଆଉ ପାକିସ୍ତାନ ଗସ୍ତ ସମ୍ଭବ ନୁହେଁ ବୋଲି ବୋର୍ଡ କହିଛି। ତଥାପି ପାକିସ୍ତାନ ଗସ୍ତ ପାଇଁ ଥିବା ଯୋଜନାକୁ ଉଭୟ ବୋର୍ଡର ସହମତିରେ ପୁନଃସୂଚୀ କରାଯାଇପାରିବ ବୋଲି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଦଳ ମାର୍ଚ୍ଚରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୮ରେ ଖେଳାଯିବ। ହେଲେ ୨୨ ତାରିଖ ପର୍ଯ୍ୟନ୍ତ ସେହି ଦଳକୁ ଦୁବାଇରେ ରହିଯିବାକୁ ପାକିସ୍ତାନ କହିଥିଲା। ମାର୍ଚ୍ଚ ୨୨ରେ ପିଏସ୍‌ଏଲ୍‌ ସରିବା ପରେ ଉଭୟ ଦଳ ଦୁବାଇରୁ ସିଧା ପାକିସ୍ତାନ ଯାଇ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଏହି ଗସ୍ତରୁ ଓହରିଯାଇଛି।

ଦକ୍ଷିଣ ଆଫ୍ରିକା ଏବେ ଇଂଲଣ୍ଡ ସହ ୪ ଟେଷ୍ଟ୍‌ ଓ ୩ ଦିନିକିଆ ପରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳୁଛି। ୧୬ ତାରିଖରେ ଏହି ଶୃଙ୍ଖଳା ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବ। ମାର୍ଚ୍ଚ ୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ସରିବ। ଏହାପରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିବ। ଭାରତ ଗସ୍ତରେ ମାର୍ଚ୍ଚ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ସେଠାରେ ଆଇପିଏଲ୍‌ ମଧ୍ୟ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ। ତେଣୁ ଏତେ ମ୍ୟାଚ୍‌ ଖେଳାଳିଙ୍କ ଉପରେ ବୋଝ ହୋଇଯିବ। ସେମାନଙ୍କୁ ଏଥିରୁ ଲାଘବ କରିବା ପାଇଁ ପାକିସ୍ତାନ ବିପକ୍ଷ ପ୍ରସ୍ତାବିତ ‌‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବା ସମ୍ଭବ ନୁହେଁ ବୋଲି ଦକ୍ଷିଣ ଆଫ୍ରିକା ବୋର୍ଡ କହିଛି। ତେବେ ପାକିସ୍ତାନ ଗସ୍ତ ବାତିଲ ସୁରକ୍ଷା ପ୍ରସଙ୍ଗକୁ ନେଇ ନୁହେଁ, ଖେଳାଳିଙ୍କ ଆହତ ଆଶଙ୍କାକୁ ନେଇ ନିଆଯାଇଛି ବୋଲି ଦକ୍ଷିଣ ଆଫ୍ରିକା ବୋର୍ଡ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର