ଦକ୍ଷିଣ ଆଫ୍ରିକା ପାଇଁ ବଞ୍ଚିବାର ସଂଘର୍ଷ, ଗ୍ରେମ୍ ସ୍ମିଥ୍‌

ଦକ୍ଷିଣ ଆଫ୍ରିକା ଯେମିତି ଆରମ୍ଭ ଆଶା କରିଥିଲା, ସେମିତି ହେଲାନି। ବ୍ୟାଟିଂ ହିଁ ସେମାନଙ୍କୁ ଧୋକା ଦେଲା। କିଛି ପ୍ରମୁଖ ଖେଳାଳି ଆହତ ହେବା ଏହି ଦଳ ପାଇଁ କାଳ ହେଲା। ଯେ କୌଣସି ଅଭିଯାନକୁ ଏହି ଦୁଇଟି କାରକ ଲାଇନଚ୍ୟୁତ କରିପାରେ। ଏସବୁ ସହ ଏବି ଡି’ଭିଲିୟର୍ସଙ୍କୁ ନବାଛିବା ପ୍ରସଙ୍ଗ ଦକ୍ଷିଣ ଆଫ୍ରିକା ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଛି। ବାହାରୁ ଏସବୁ ବି ବହୁତ ଅସୁନ୍ଦର ଦେଖାଯାଉଛି। ମୋ ମତରେ ଦକ୍ଷିଣ ଆଫ୍ରିକା ହାତରୁ ସୁଯୋଗ ଖସି ଖସି ଯାଉଛି। ଚାପରେ ଥିବାର ଝଲକ ସେମାନଙ୍କ ଖେଳରେ ବି ସ୍ପଷ୍ଟ ବାରି ହୋଇଯାଉଛି। ବ୍ୟାଟର୍‌ କାନ୍ଧରେ ପୂରା ବିଶ୍ବକୁ ଧରି ଖେଳୁଥିବା ଭଳି ଲାଗୁଛନ୍ତି। ପ୍ରତ୍ୟେକ ମ୍ୟାଚ୍ ସେମାନଙ୍କ ପାଇଁ ନୂଆ ଆହ୍ବାନ ଭାବେ ଉଭା ହେଉଛି। ବିଶ୍ବକପ୍‌ରେ ବଞ୍ଚି ରହିବା ଲାଗି ଦକ୍ଷିଣ ଆଫ୍ରିକାକୁ ଏବେ ଜୋରଦାର ପ୍ରସ୍ତୁତି କରିବାକୁ ହେବ। ଏଭଳି ସ୍ଥିତିରେ ନେଟ୍ସରେ ଆପଣ କେତେ ସମୟ କଟାଉଛନ୍ତି, ଦଳ ଚୟନ କେମିତି କରୁଛନ୍ତି ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପ୍ରତିପକ୍ଷର ଦକ୍ଷତା ଓ ଦୁର୍ବଳତା ଦେଖି ରଣନୀତି ପ୍ରସ୍ତୁତ କରିବା ମଧ୍ୟ ମହତ୍ବପୂର୍ଣ୍ଣ। ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକୀୟ ବୋଲର ଭଲ କରିଥିଲେ। କାଗି‌ସୋ ରବାଦା ଓ କ୍ରିସ୍ ମୋରିସ୍ ଭାରତକୁ ଆରମ୍ଭରୁ ଅଡ଼ୁଆରେ ପକାଇଥିଲେ। ବ୍ୟାଟିଂ ବିଫଳତା ହିଁ ଦକ୍ଷିଣ ଆଫ୍ରିକା ପରାଜୟର ପ୍ରମୁଖ କାରଣ ଥିଲା। ୱେଷ୍ଟଇଣ୍ଡିଜ୍‌ର ଦକ୍ଷତା ହେଉଛି ନିଜ ପେସ୍ ବାହିନୀରେ ପ୍ରତିପକ୍ଷ ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରିବା। ସେଲଡନ୍ କଟରେଲ, ଓସାନେ ଥୋମାସ ପ୍ରଭାବଶାଳୀ ବୋଲିଂ କରି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଅନେକ ସମୟରେ ଘାଇଲା କରିଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠେ ଇଣ୍ଡିଜ୍‌ର ‘ପ୍ଲାନ୍ ବି’ କ’ଣ? ମୁଁ ଚାହିଁବି ମୋ ଦଳ ଏହି ପ୍ରଶ୍ନ ପଚାରୁ। ତଦନୁଯାୟୀ କ୍ରିକେଟ୍ ଖେଳୁ। ଦକ୍ଷିଣ ଆଫ୍ରିକା ଯଦି ସେହି ପ୍ରଥମ କିଛି ଓଭର ପାର କରିନିଏ ଏବଂ ୱିକେଟ୍ ହାତରେ ରଖେ ତେବେ ପରବର୍ତୀ ସମୟରେ ଏଥିରୁ ଢେର ଲାଭ ଉଠାଇ ପାରିବ। ବୋଲିଂ ଆକ୍ରମଣରେ ବିବିଧତାର ଅଭାବ ଥିବାରୁ ୱେଷ୍ଟଇଣ୍ଡିଜକୁ ଅଷ୍ଟ୍ରେଲିଆ ଧରାଶାୟୀ କରି ପାରିଥିଲା। ପ୍ରାରମ୍ଭିକ ୱିକେଟ୍ ହରାଇବା ସତ୍ତ୍ବେ ଅଷ୍ଟ୍ରେଲିଆ ସଫଳ ପ୍ରତ୍ୟାବର୍ତନ କରିଥିଲା। ସେପଟେ ଅଷ୍ଟ୍ରେଲିଆକୁ ହରାଇବାର ଏକ ଭଲ ସୁଯୋଗ ଇଣ୍ଡିଜ୍ ହାତଛଡ଼ା କରିଥିଲା। ନାଥନ କୁଲଟର ନାଇଲ୍ ଓ ଷ୍ଟିଭେନ୍ ସ୍ମିଥ୍ ଅଷ୍ଟ୍ରେଲିଆକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଦକ୍ଷିଣ ଆଫ୍ରିକା ଏଥିରୁ ଅନେକ କିଛି ଶିଖିବା ଦରକାର। ଗୋଟିଏ କଥା ମୁଁ ସ୍ପଷ୍ଟ ଭାବେ କହିପାରେ ଯେ ୱେ‌ଷ୍ଟଇଣ୍ଡିଜ୍ ଯେଭଳି କ୍ରିକେଟ୍ ଖେଳୁଛି, ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ତାହା ଭଲ। ସୋମବାର ଦକ୍ଷିଣ ଆଫ୍ରିକା ପାଇଁ ସବୁକିଛି ଆଦୌ ସହଜ ହେବନାହିଁ ବୋଲି ମୁଁ କହିପାରିବି।

ସମ୍ବନ୍ଧିତ ଖବର