ଲର୍ଡସ: ଅଢ଼େଇ ଦଶନ୍ଧି ଧରି ଆଇସିସି ଟ୍ରଫି ଜିତି ନଥିବା ଦକ୍ଷିଣ ଆଫ୍ରିକା ଏବେ ଏହାର ନିକଟତର ହୋଇଛି। ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ଫାଇନାଲ୍‌ରେ ବିଜୟ ଦ୍ବାରରେ ପହଞ୍ଚିଯାଇଛି ଏହି ଦଳ। ପ୍ରଥମ ପାଳିରେ ୭୪ ରନ୍ ପଛୁଆ ରହିବା ସତ୍ତ୍ବେ ଦ୍ବିତୀୟ ପାଳିରେ ଭଲ ବ୍ୟାଟିଂ କରି ବିଜୟ ସମ୍ଭାବନା ବଢ଼ାଇଛି। ଶୁକ୍ରବାର ଅଷ୍ଟ୍ରେଲିଆର ଦ୍ବିତୀୟ ପାଳି ୨୦୭ ରନ୍‌ରେ ଅଟକିଯିବାରୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ମଧ୍ୟ‌ାହ୍ନ ଭୋଜନ ବିରତି ପରେ ପଶ୍ଚାତ୍‌ଧାବନ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ରିଆନ୍ ରିକେଲଟନ୍ (୬) ଓ ୱିଆନ୍ ମୁଲ୍ଡର (୨୭)ଙ୍କୁ ଶସ୍ତାରେ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଅନ୍ୟତମ ଓପନର୍ ଐଦେନ ମାର୍କରାମଙ୍କ ଶତକ (୧୦୨* ରନ୍‌, ୧୫୯ ବଲ୍‌) ଏବଂ ଅଧିନାୟକ ତେମ୍ବା ବଭୂମା (୬୫*, ୧୨୧ ବଲ୍‌)ଙ୍କ ସହ ଶତକୀୟ ଭାଗୀଦାରି (୧୪୩* ରନ୍‌) ଦକ୍ଷିଣ ଆଫ୍ରିକାକୁ ଦୃଢ଼ ସ୍ଥିତି ଦିଗରେ ଆଗେଇ ନେଇଛି। ତୃତୀୟ ଦିନ ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ୍‌ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲା। ଚତୁର୍ଥ ଦିନରେ ଐତିହାସିକ ସଫଳତା ପାଇଁ ଦକ୍ଷିଣ ଆଫ୍ରିକାକୁ ଆଉ ୬୯ ରନ୍ ଏବଂ ଅଷ୍ଟ୍ରେଲିଆକୁ ୮ ୱିକେଟ୍ ଆବଶ୍ୟକ ରହିଛି। ଗ୍ରେମ୍ ସ୍ମିଥ୍ ଓ ନିଲ୍ ମ୍ୟାକେଞ୍ଜିଙ୍କ ପରେ ତୃ୍ତୀୟ ଦକ୍ଷିଣ ଆଫ୍ରିକୀୟ ଭାବେ ମାର୍କରାମଙ୍କ ଶତକ  ହାସଲ କରିଛନ୍ତି। ଅସୀମ ‌ଧୈର୍ଯ୍ୟ ଓ ସାହସ ଦେଖାଇ ଅଷ୍ଟ୍ରେଲିଆର ସମସ୍ତ ଯୋଜନାକୁ ପଣ୍ଡ କରିଥିବା ମାର୍କରାମ ନିଜ ଖେଳ ଜୀବନର ଅଷ୍ଟମ ଟେଷ୍ଟ୍‌ ଶତକ ହାସଲ କରିଛନ୍ତି। ହାଜେଲଉଡ୍‌ଙ୍କୁ ଚୌକା ମାରି ସେ ଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ବିଶେଷ ଉଲ୍ଲସିତ ହୋଇ ନଥିଲେ ସେ। ଦଳକୁ ବିଜୟୀ କରାଇବାର ପ୍ରାଥମିକତା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ପ୍ରତୀୟମାନ ହୋଇଥିଲା। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ନିଜ କ୍ରି‌କେଟ୍ ଇତିହାସରେ ମାତ୍ର ଗୋଟିଏ ଥର ଆଇସିସି ଟ୍ରଫି ଜିତିଛି। ୧୯୯୮ରେ ଚାମ୍ପିଅନ୍ସ ଟ୍ରଫି ହାତେଇଥିଲା। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଜିତୁଜିତୁ ଭାରତଠାରୁ ହାରିଯାଇଥିଲା। ଏବେ ଏହି ଦଳ ପାଇଁ ୨୭ ବର୍ଷ ପରେ ଏକ ଆଇସିସି ଟ୍ରଫି ବିଜୟ ନିଶ୍ଚିତ ଲାଗୁଛି।

Advertisment

ପୂର୍ବଦିନର ସ୍କୋର୍‌ ୧୪୪/୮ରୁ ଶୁକ୍ରବାର ଖେଳ ପୁନଃଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମିଚେଲ୍ ଷ୍ଟାର୍କଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ (୧୩୮ ବଲ୍‌ରୁ ୫୮* ରନ୍) ବଳରେ ୨୦୭ ରନ୍ କରିନେଇଥିଲା। ଜୋସ୍ ହାଜେଲଉଡ୍‌ (୫୩ ବଲ୍‌ରୁ ୧୭ ରନ୍)ଙ୍କୁ ସାଥୀ କରି ଷ୍ଟାର୍କ ଶେଷ ୱିକେଟ୍‌ ଲାଗି ୫୯ ରନ୍ ଯୋଡ଼ିବାରୁ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୮୨ ରନ୍‌ର ଆହ୍ବାନଭରା ସ୍କୋର୍ ଠିଆ ହୋଇଥିଲା। ଶୁକ୍ରବାର ମଧ୍ୟାହ୍ନ ଭୋଜନ ପୂର୍ବରୁ ୨୫ ଓଭର ଖେଳି ଅଷ୍ଟ୍ରେଲିଆ ୬୩ ରନ୍ ଯୋଡ଼ି ଶେଷ ଦୁଇ ୱିକେଟ୍ ହରାଇଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୧୨/୧୦ (ବିୟୁ ୱେବଷ୍ଟର୍‌-୭୨, ଷ୍ଟିଭ୍ ସ୍ମିଥ୍‌-୬୬, କାଗିସୋ ରବାଡ଼ା-୫/୫୧, ମାର୍କୋ ୟାନସେନ୍‌-୩/୪୯)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୫୭.୧ ଓଭରରେ ୧୩୮/୧୦ (ଡେଭିଡ୍ ବେଡିଙ୍ଗହାମ-୪୫, ତେମ୍ବା ବଭୂମା-୩୬, ପ୍ୟାଟ୍ କମିନ୍ସ-୬/୨୮, ମିଚେଲ୍‌ ଷ୍ଟାର୍କ-୨/୪୧, ଜୋସ୍ ହାଜେଲଉଡ୍‌-୧/୨୭)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୬୫ ଓଭରରେ ୨୦୭/୧୦ (ମିଚେଲ ଷ୍ଟାର୍କ-୫୮*, ଆଲେକ୍ସ କ୍ୟାରି-୪୩, ମାର୍ନସ ଲବୁସାନ୍‌-୨୨, ଲୁଙ୍ଗି ଏନ୍‌ଗିଡି-୩/୩୮, କାଗିସୋ ରବାଡ଼ା-୪/୫୯, ଐଦେନ ମାର୍କରାମ-୧/୫, ୱିଆନ୍ ମୁଲ୍ଡର-୧/୧୮, ମାର୍କୋ ୟାନ୍‌ସେନ୍‌-୧/୫୮)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୫୬ ଓଭରରେ ୨୧୩/୨ (ଐଦେନ ମାର୍କରାମ-୧୦୨*, ତେମ୍ବା ବଭୂମା-୬୫*, ୱିଆନ୍ ମଲ୍ଡର-୨୭, ମିଚେଲ୍ ଷ୍ଟାର୍କ-୨/୫୩)।